ୱେଷ୍ଟଇଣ୍ଡିଜ୍‌କୁ ୧୨୫ ରନ୍‌ରେ ହରାଇଲା ଭାରତ, ସାମି ନେଲେ ୪ ଓ୍ଵିକେଟ୍‌

Spread the love

ମଂଚେଷ୍ଟର, ୨୭/୬ (ସନ୍ଧାନ ନିଉଜ) : ଆଇସିସି ବିଶ୍ୱକପ୍‌-୨୦୧୯ର ୩୪ତମ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଟିମ୍‌ ଇଣ୍ଡିଆ ଗୁରୁବାର େଓ୍ଵଷ୍ଟଇଣ୍ଡିଜକୁ ୧୨୫ ରନ୍‌ରେ ପରାସ୍ତ କରିଛି। ମହମ୍ମଦ ସାମି ଏହି ମ୍ୟାଚ୍‌ରେ ୬.୨ ଓଭରରେ ୧୬ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି। ପୂର୍ବରୁ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ସହ ୪ଟି ଓ୍ଵିକେଟ୍‌ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ୩୪.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି।

ମଚେଂଷ୍ଟରସ୍ଥିତ ଇମିରେଟସ୍‌ ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍‌୨୬୯ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଭରସାଯୋଗ୍ୟ ଖେଳାଳି କ୍ରିସ୍‌ ଗେଲ୍‌ ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସ୍କୋର ୧୦ ରନ୍‌ ଥିବା ବେଳେ ଗେଲ ୧୯ଟି ବଲ ଖେଳି ଗୋଟିଏ ଚୌକା ମାରିିଥିଲେ। ମହମ୍ମଦ ସାମିଙ୍କ ବଲ କେଦାର ଯାଦବଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ। ସୁନିଲ ଅମ୍ବରିସ୍‌ ୪୦ଟି ବଲ ଖେଳି ୩୧ ରନ୍‌ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍‌ ହୋଇଥିଲେ। ସ୍କୋର ୭୧ ରନ୍‌ରେ ଇଣ୍ଡିଜର ୩ୟ ଓ୍ଵିକେଟ ଭାବେ ସେ ପାଭଲିଅନ୍‌ ଫେରିଥିଲେ। ଏହା ପୂର୍ବରୁ ସାଇ ହୋପ୍‌ (୫ ରନ୍‌) ଆଉଟ ହୋଇଥିଲେ। ଭାରତୀୟ ବୋଲର ସାମିଙ୍କ ଦ୍ୱାରା ହୋପ୍‌ ଆଉଟ୍‌ ହୋଇଥିଲେ।

ସ୍କୋର ୮୦ ରନ୍‌ରେ ନିକୋଲାସ୍‌ ପୂରନ (୨୮ ରନ୍‌) ଓ ୯୮ ରନ୍‌ରେ ଜସନ ହୋଲଡର (୬) ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। କୁଲଦୀପ ଯାଦବଙ୍କ ବଲ ସାମିଙ୍କୁ କ୍ୟାଚ୍‌ ଦେଇ ନିକୋଲାସ ଓ ୟୁଜବେନ୍ଦ୍ର ଚହଲଙ୍କ ବଲ କେଦାର ଯାଦବଙ୍କୁ କ୍ୟାଚ ଦେଇ ହୋଲଡର ଆଉଟ୍‌ ହୋଇଥିଲେ। ସ୍କୋର ୧୦୧ ରନ୍‌ରେ ଟିମ୍‌ ୪ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍‌ ହରାଇ ଥିବା ବେଳେ ୨୫ ଓଭର ଖେଳ ଶେଷ ହୋଇଥିଲା।

ଯଶପ୍ରୀତ ବୁମରାଙ୍କୁ ସମ୍ମୁଖୀନ ହୋଇ ନପାରି କାଲୋର୍ସ ବ୍ରାଥେଓ୍ଵଟ ମାତ୍ର ୧ ରନ୍‌ କରି ଧେନିଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ। ସ୍କୋର ୧୦୭ ରନ୍‌ରେ ଇଣ୍ଡିଜ ବ୍ରାଥେଓ୍ଵଟଙ୍କ ସମେତ ଫାବିଆନ ଆଲେନ (୦ ରନ୍‌)ଙ୍କୁ ହରାଇ ଥିଲା। ବୁମରାଙ୍କ ଦ୍ୱାରା ଆଲେନ ଏଲବିଡବ୍ଲୁ ହୋଇ ପାଭଲିଅନ୍‌ ଫେରିଥିଲେ। ସ୍କୋର ୧୧୨ ରନ୍‌ରେ ଭାରତର ୮ମ ଶିକାର ହୋଇଥିଲେ ସମିରନ ହେଟମେୟର (୧୮ ରନ୍‌), ୧୨୪ ରନ୍‌ରେ ସେଲଡନ କଟ୍‌ଟ୍ରେଲ (୧୦ ରନ୍‌) ଆଉଟ୍‌ ହୋଇଥିବା ବେଳେ ଶେଷରେ ଓସାନେ ଥୋମାସ (୬ ରନ୍‌) ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲିଙ୍କ ୭୨ ରନ୍‌ ବଳରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ୨୬୮ ରନ୍‌ ଟାର୍ଗେଟ ଦେଇଥିଲା। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏକଦା ଟିମ୍‌ର ସ୍କୋର ମନ୍ଥର ଗତିରେ ଚାଲୁଥିବା ବେଳେ କୋହଲି ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୬୮ ରନ୍‌ କରଥିଲା। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫୬ ରନ୍‌ କରିଥିଲେ। ସେ ୬୧ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ଭାତର ସ୍କୋର ୨୯ ରନ୍‌ରେ ରୋହିତ ଶର୍ମା (୧୮ ରନ୍‌)ଙ୍କୁ ହରାଇଥିଲା। କେମାର ରୋଚଙ୍କ ବଲ ସାଇ ହୋପଙ୍କୁ କ୍ୟାଚ ଦେଇ ରୋହିତ ଆଉଟ୍‌ ହୋଇଥିଲେ। ଜସନ ହୋଲଡରଙ୍କ ଦ୍ୱାରା ବୋଲ୍ଡ ହୋଇ ଲୋକେଶ ରାହୁଲ (୪୮ ରନ୍‌, ୬୪ ବଲ, ୬ ଚୌକା) ଆଉଟ୍‌ ହୋଇଥିଲେ। ସେତେବେଳକୁ ଭାରତର ସ୍କୋର ୨୦.୪ ଓଭରରେ ୯୮ ରନ୍‌ ଥିଲା। ସ୍କୋର ୧୨୬ ରନ୍‌ରେ ଭାରତ ବିଜୟ ଶଙ୍କର (୧୪ ରନ୍‌)ଙ୍କୁ ହରାଇ ଥିଲା। ରୋଚଙ୍କ ବଲ ହୋପଙ୍କୁ କ୍ୟାଚ୍‌ ଦେଇ ଶଙ୍କର ଆଉଟ୍‌ ହୋଇଥିଲେ। କେଦାର ଯାଧବ ୧୦ଟି ବଲ ଖେଳି ୭ ରନ୍‌ କରିଥିଲେ। ସେ ମଧ୍ୟ ରୋଚଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ।

ବିରାଟ କୋହଲି ୮୨ଟି ବଲ ଖେଳି ୭୨ ରନ୍‌ କରିଥିଲେ। ଏଥିରେ ୮ଟି ଚୌକା ସାମିଲ ଥିଲା। ଭାରତ ୧୮୦ ରନ୍‌ରେ ଜସନ ହୋଲଡରଙ୍କ ବଲ ବ୍ରାଭୋଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ଟି ବଲ ଖେଳି ୪୬ ରନ କରି ଇଣ୍ଡିଜର କଟଟ୍ରେଲଙ୍କ ଦ୍ୱାରା ୬ଷ୍ଠ ଶିକାର ହୋଇଥିଲେ। ମହମ୍ମଦ ସାମି ୨ଟି ବଲ ସମ୍ମୁଖୀନ ହୋଇ କଟଟ୍ରେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

Related Posts

About The Author

Add Comment