ସମ୍ବଲପୁର, ୪/୧୧ ( ସନ୍ଧାନ ନିୟୁଜ) : ଠିକଣା ସମୟରେ ବର୍ଷା ଅଭାବରୁ ଜିଲ୍ଲାରେ ମରୁଡି ସ୍ଥିତି ଗମ୍ଭୀର ହୋଇଛି। ଅଣଜଳସେଚତି ଅଞ୍ଚଳରେ ସ୍ଥିତି ଗମ୍ଭୀର ଥିବା ବେଳେ ଜଳସେଚିତ ବ୍ଲକ୍ ଧନକଉଡ଼ା ଓ ରେଙ୍ଗାଲିରେ ମଧ୍ୟ ସ୍ଥିତି ଜଟିଳ ହୋଇଛି। ଖରିଫ ଫସଲ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟିପାତ ଉତ୍ତାରୁ ଜୁଲାଇ ଓ ଅଗଷ୍ଟ ମାସରେ ଭଲ ବର୍ଷା ଯୋଗୁଁ ଚାଷୀମାନେ ସହଳ କିସମର ଧାନ କରିଥିଲେ। ହେଲେ ସେପ୍ଟେମ୍ବର ମାସରେ ଜିଲ୍ଳାରେ ୨୨୪ ମିଲିମିଟର ସ୍ଥାନରେ ଅତିକମ୍ ବର୍ଷା ହେବାରୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଏଥର ଜିଲ୍ଲାରେ ରେକର୍ଡ଼ ୧ ଲକ୍ଷ ୮ ହଜାର ହେକ୍ଟର ଜମିରେ ଧାନଚାଷ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତ ଓ ଜଳର ଅଭାବ ଯୋଗୁଁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ଅଣଜଳସେଚିତ ଅଞ୍ଚଳରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ଗୁଡିକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆନ୍ଦୋଳନ ମଧ୍ୟ ଜୋର୍ ଧରିଛି। ଏଭଳି ସ୍ଥିତିରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ହୋଇଥିବା ଯୁଗ୍ମ ସର୍ଭେ ରିପୋର୍ଟ (ଗ୍ରାମୱାରୀ) ସ୍ୱତନ୍ତ୍ର ରିଲିଫ କମିଶନର୍(ଏସ୍ଆର୍ସି)ଙ୍କ ନିକଟକୁ ପଠାଯାଇଛି। ଉକ୍ତ ରିପୋର୍ଟରେ ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ୭ଟିରେ ୪୧ ହଜାର ୬୯.୭୮ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବା ଦର୍ଶାଯାଇଛି। ସେହିପରି ନାକଟିଦେଉଳ ଏବଂ ରେଢ଼ାଖୋଲ ବ୍ଲକ୍ରେ ୩୩%ରୁ କମ କ୍ଷତି ହୋଇଥିବା ଜଣାପଡ଼ିଛି। ସେଠାରୁ ଯୁଗ୍ମ ସର୍ଭେ ରିପୋର୍ଟ ଆସିନଥିବା ଓ ରିପୋର୍ଟ ଆସିବା ପରେ ତହା ଏସ୍ଆସିଙ୍କ ନିକଟକୁ ପଠାଯିବ ବୋଲି କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ କୁଚିଣ୍ଡା ବ୍ଲକରେ ସର୍ବାଧିକ ୧୧ ହଜାର ୫୩୨.୮୧ ହେକ୍ଟର ଜମି ମରୁଡିଗ୍ରସ୍ତ ହୋଇଛି। ସେହିପରି ବାମରାରେ ୧୦ ହଜାର ୯୫୪ ହେକ୍ଟର, ରେଙ୍ଗାଲିରେ ୧୦ହଜାର ୧୫ ହେକ୍ଟର, ଜମନକିରାରେ ୩୯୨୦.୮୨ ହେକ୍ଟର, ମାନେଶ୍ୱରରେ ୧୧୬୮ ହେକ୍ଟର, ଯୁଯୁମୁରାରେ ୨୪୫୮ ହେକ୍ଟର ଏବଂ ଧନକଉଡ଼ାରେ ୧୦୪୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ନାକ୍ଟିଦେଉଳ ଓ ରେଢ଼ାଖୋଲ ବ୍ଲକ୍ରୁ ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତ ଜମିର ପରିମାଣ ବୃଦ୍ଧି ପାଇବ। ପୂର୍ବରୁ କୃଷି ବିଭାଗ ପକ୍ଷରୁ ଜିଲ୍ଲାରେ ମରୁଡି ସ୍ଥିତିର ଆଇଏଷ୍ଟିମେଟ୍ ଆକଳନ କରି ୩୬ ହଜାର ୧୮୦ ହେକ୍ଟର ଜମି ମରୁଡିଗ୍ରସ୍ତ ହୋଇଥିବା ରିପୋର୍ଟ ଦିଆଯାଇଥିଲା। ପ୍ରଶାସନର ରିପୋର୍ଟ ନେଇ କୃଷକ ସୁରକ୍ଷା ସଙ୍ଗଠନର ଆବାହକ ଅଶୋକ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କ୍ରପ୍ କଟିଂ ରିପୋର୍ଟରେ ହିଁ ଜିଲ୍ଲାରେ ମରୁଡି ସ୍ଥିତି ସ୍ପଷ୍ଟ ହେବ। ଉକ୍ତ ରିପୋର୍ଟରେ ରେଢ଼ାଖୋଲ ଓ ନାକ୍ଟିଦେଉଳ ବ୍ଲକ୍ର ରିପୋର୍ଟ ନଥିବା ତଥା ସେଠାରେ ମଧ୍ୟ ବହୁ ପରିମାଣରେ କ୍ଷତି ହୋଇଥିବାରୁ ସେଠାକାର ରିପୋର୍ଟ ତୁରନ୍ତ ଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ପ୍ରଶାସନର ଏହି ରିପୋର୍ଟ ଆଧାରରେ ଚାଷୀଙ୍କୁ କେବଳ ଇନପୁଟ୍ ସବ୍ସିଡି ପ୍ରଦାନ କରାଯିବ। ସରକାରଙ୍କ ପକ୍ଷରୁ ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପ୍ରତି ୬ ହଜାର ୮୦୦ ଏବଂ ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ହୋଇଛି। ଫସଲ ଉତ୍ପାଦନ ପାଇଁ ଚାଷୀ ଖର୍ଚ୍ଚ କରୁଥିବା ଟଙ୍କା ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏଣୁ ଠିକଣା ଭାବେ କ୍ରପ୍ କଟିଂ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ କହିଛନ୍ତି।
ତାଜା ଖବର
- ସ୍ୱାଧୀନତା ଦିବସକୁ ସୁଚାରୁ ଓ ଭବ୍ୟ ଭାବେ ଆୟୋଜନ କରିବା ଜିଲ୍ଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ: ଅଣ-ସରକାରୀ ସଦସ୍ୟ ପଦ ପାଇଁ ଆବେଦନ ଆହ୍ଵାନ
- ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ।
- ୫୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ ଗୁରୁତର, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- କଳିଙ୍ଗନଗରରେ ଟ୍ରକ୍ ବ୍ୟାଟେରୀ ଚୋରି ର୍ୟାକ୍ର ପର୍ଦ୍ଦାଫାଶ: ୩ ଗିରଫ, ୯ଟି ବ୍ୟାଟେରୀ ଓ ବାଇକ୍ ଜବତ
- ତଳସରା ପଞ୍ଚାୟତ କାଦୋପାନି ଗ୍ରାମର ସରକାରୀ ବିଦ୍ୟାଳୟ ଆଜି ମଧ୍ୟ ଅବହେଳିତ
- *ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ*



