ଶିଶୁ ଦିବସରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ’ କାର୍ଯ୍ୟକ୍ରମ ଆୟୋଜିତ

Spread the love

ଯାଜପୁର, : ୧୭/୧୧/୨୬ (ସନ୍ଧାନ ନ୍ୟୁଜ) ଶିଶୁ ଦିବସ ଅବସରରେ ନଭେମ୍ବର ୧୪ ତାରିଖ ଦିନ ଯାଜପୁର ପ୍ରକଳ୍ପ ଅନ୍ତର୍ଗତ କମାଗଡ଼-୧ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ‘କୋଟିଏ ହସ’ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ଶିଶୁଙ୍କ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୦ରୁ ୩ ବର୍ଷ ବୟସର ଶିଶୁଙ୍କ ସାମଗ୍ରିକ ଶାରୀରିକ, ମାନସିକ ଓ ସାମାଜିକ ବିକାଶ ପାଇଁ ଉପଯୁକ୍ତ ପୋଷଣ, ଯତ୍ନ, ସ୍ନେହ ଓ ଅନୁକୂଳ ପରିବେଶର ଆବଶ୍ୟକତା ସମ୍ପର୍କରେ ସେ ବୁଝାଇଥିଲେ। ଏଥିସହ ପ୍ରାକ୍‌-ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ଓ ବିକାଶରେ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ଗଳ୍ପ କଥନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସ୍ୱଳ୍ପ ଖର୍ଚ୍ଚରେ ଉପଲବ୍ଧ ସାମଗ୍ରୀ ବ୍ୟବହାର କରି ଶିଶୁଙ୍କ ପାଇଁ ଖେଳଣା ପ୍ରସ୍ତୁତିରେ ଅଂଶଗ୍ରହଣ କରିଥିବା ପିତାମାନଙ୍କୁ ମଧ୍ୟ ସେମାନଙ୍କ ଉତ୍ସାହଜନକ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହାଦ୍ୱାରା ଶିଶୁଙ୍କ ଯତ୍ନ ଓ ବିକାଶରେ ପିତାମାତାଙ୍କ ସକ୍ରିୟ ଅଂଶଗ୍ରହଣର ବାର୍ତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯାଜପୁର ସିଡିପିଓ ଶ୍ରୀମତୀ ଶାନ୍ତିଲତା ସେଠୀ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସରୋଜିନୀ ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଲିଲି ଗଗରାଇ ଏବଂ ଜିଲ୍ଲା ପୋଷଣ ଅଭିଯାନ ସଂଯୋଜକ ଶ୍ରୀ ରଜନୀଶ ଜେନା ଉପସ୍ଥିତ ଥିଲେ। ଏଥିରେ ୦ରୁ ୬ ବର୍ଷ ବୟସର ଶିଶୁ, ସେମାନଙ୍କ ପିତାମାତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଞ୍ଚାୟତିରାଜ ପ୍ରତିନିଧି ଏବଂ ଆଦ୍ୱିକା କିଶୋରୀ ବାଳିକାମାନେ ଉତ୍ସାହର ସହ ଯୋଗଦେଇଥିଲେ। ‘କୋଟିଏ ହସ’ କାର୍ଯ୍ୟକ୍ରମ ଶିଶୁଙ୍କ ହସ, ସୁସ୍ଥତା, ସୁରକ୍ଷା ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ସହ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପରିବାର ଓ ସମାଜର ସାମୂହିକ ଦାୟିତ୍ୱକୁ ପୁନର୍ବାର ଉଜାଗର କରିଥିଲା।

Related Posts

About The Author

Add Comment