ଯାଜପୁର:୧୩/୦୨ ( ସନ୍ଧାନ ନ୍ୟୁଜ୍): ବିରଜାକ୍ଷେତ୍ର ନିକଟସ୍ଥ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେର୍ ଫେର୍ ପେଡ଼ି ଶେଷରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଚିଠି ନଂ. ୬୭୫୫,ତା ୦୭.୦୨.୨୦୨୫ ରିଖରେ ପରଦା ଫାଶ୍ କଲେ । ଅଧ୍ୟକ୍ଷ ଅଦୈତ ପ୍ରସାଦ ମଲ୍ଲିକଙ୍କୁ ତାଙ୍କ ସ୍ଥାନରୁ ହଟାଇ ଏକ ନୂତନ ଅଧ୍ୟକ୍ଷ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯାଜପୁରର ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତିକୁ ବିଭାଗୀୟ କର୍ତ୍ତୁପକ୍ଷ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକ, ଭୁବନେଶ୍ୱରଙ୍କ ଅନୁମୋଦନ କ୍ରମେ କଲେଜ ପ୍ରତିଷ୍ଠାତା ବଦ୍ରୀନାରାୟଣ ରାୟ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଭାବେ ଚିଠି ନଂ. ୫୪୩, ତା ୧୦.୦୧.୨୦୧୮ରିଖ ଅନୁଯାୟୀ ମନୋନୀତ ହୋଇ ତା ୦୪.୦୫.୨୦୧୮ ରିଖ ପର୍ଯ୍ୟନ୍ତ କେବଳ ୪ ମାସ ପାଇଁ କାର୍ଯ୍ୟ କରିଥିଲେ । ସେହି ସମୟରେ ବର୍ତ୍ତମାନର ଅଧ୍ୟକ୍ଷ ଅଦୈତ ପ୍ରସାଦ ମଲ୍ଲିକ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟକରୁ ନଥିଲେ । ବିଡମ୍ବନାର ବିଷୟ ବଦ୍ରୀନାରାୟଣ ରାଙ୍କ କାର୍ଯ୍ୟକାଳ ସଂମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ଅପସାରିତ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର ଥିଲା । ଯାହା ବିରୋଧରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ଦାୟର କଲେ । ଯାହାକି ଆଜି ମଧ୍ୟ ବିଚାରାଧୀନ ରହିଅଛି । ପରବର୍ତ୍ତୀ ସମୟରେ ଯାଜପୁର ଉପଜିଲ୍ଲାପାଳ ତା: ୦୫.୦୫.୨୦୧୮ ରିଖ ଠାରୁ ଗତ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କଲେଜ ପରିଚାଳନା କମିଟିର ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ । ଏତଦ୍ ବ୍ୟତୀତ ଉପଜିଲ୍ଲାପାଳଙ୍କ ତା: ୨୭.୧୨.୨୦୧୮ ରିଖ ସୁପାରିଶ୍ ଅନୁଯାୟୀ ଅଦୈତ ପ୍ରସାଦ ମଲ୍ଲିକ ଅଧ୍ୟକ୍ଷ ଭାବେ ଓଡ଼ିଶା ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ଲାଭ କଲେ । ତଦ୍ ଅନୁଯାୟୀ ତାହା ତା ୧୮.୦୧.୨୦୧୯ ରିଖ ଠାରୁ ଚିତାଳୋ ଡିଗ୍ରୀ କଲେଜର ଭାର ପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟକଲେ । ନିଯୁକ୍ତି ଦିନ ଠାରୁ ସେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କ ବାହୁଛାୟା ତଳେ ରହି ମହା ଦୁର୍ନୀତିରେ ଲିପ୍ତ ରହିଲେ । କୌଣସି କାର୍ଯ୍ୟରେ କମିଟିର ସଭାପତି ଓ ଉପଜିଲ୍ଲାପାଳ, ଯାଜପୁରଙ୍କୁ ଖାତିର ନକରି କଲେଜର ସମସ୍ତ ଅର୍ଥ କେବଳ ତାଙ୍କର ଆୟତରେ ରଖି ବେଆଇନ ଭାବରେ କୋଟି କୋଟି ଗଚ୍ଛିତ କଲେଜ ଅର୍ଥକୁ ଚଳୁ କରିଦେଲେ । ଏଥିରେ ସ୍ଥାନୀୟ ରାଜନୈତିକ ବଡପଣ୍ଡାଙ୍କ ଅଦୃଶ୍ୟ ଶକ୍ତି ତାଙ୍କୁ ସାହାଯ୍ୟ କଲେ । ଯାହା ଫଳରେ ପୂର୍ବତନ ପରିଚାଳନା କମିଟି ତରଫରୁ ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କ ଅର୍ଥ ଅନିୟମିତତା ବିରୋଧ୍ୟରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ଦାୟର କରାଗଲା । ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଓଡ଼ିଶା ସରକାରଙ୍କ ତରଫରୁ ଏକ ଉଚ୍ଚ ସ୍ତରୀୟ ଅର୍ଥ ଯାଞ୍ଚ କମିଟି ଗଠନ କରାଯାଇ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା । ଇତି ମଧ୍ୟରେ କର୍ଣ୍ଣାଟକେଶରୀ ଦାସ ନୂତନ ପରିଚାଳନା କମିଟି ସଭାପତିଙ୍କ ନେତୃତ୍ୱରେ ନୂତନ କମିଟି ମାର୍ଚ୍ଚ ୨୦୨୩ ଠାରୁ କାର୍ଯ୍ୟ କରି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଓ ସେମାନଙ୍କ ରାଜନୈତିକ ଚାପ ସତ୍ତ୍ୱେ ସରକାରଙ୍କ ଯାଞ୍ଚ କମିଟି ଅଧ୍ୟକ୍ଷ ଅଦୈତ ପ୍ରସାଦ ମଲ୍ଲିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ହେରଫେର କରିଥିବା ଏକ ବିସ୍ତୃତ ରିପୋର୍ଟ ତା: ୦୨.୦୭.୨୦୨୪ ରିଖରେ ଓଡ଼ିଶା ସରକାରଙ୍କୁ ପ୍ରବଳ ରାଜନୈତିକ ପ୍ରଭାବ ଯୋଗୁ ଉକ୍ତ ଯାଞ୍ଚ ରିପୋର୍ଟ ନାଲିଫିତା ତଳେ ଚାପି ଦିଆଗଲା । କିନ୍ତୁ ସୌଭାଗ୍ୟ ବସତଃ ନୂତନ ବିଜେପି ସରକାରଙ୍କ ଆବିର୍ଭାବ ହେତୁ ଚାପି ଦିଆଯାଇଥିବା ଉକ୍ତ ରିପୋର୍ଟ ଓ ମହା ଦୁର୍ନୀତିର ପେଡ଼ି ଖୋଲିଗଲା ।
କିନ୍ତୁ ଦୁର୍ଭାଗ୍ୟ ବସତଃ ଉକ୍ତ କଲେଜର ବାଳିକା ଓ ବାଳକ ବିଭାଗ ହଷ୍ଟେଲର ଆଦାୟ ଅର୍ଥ୨୦୧୯-୨୦ ରୁ ଆଜିପର୍ଯ୍ୟନ୍ତ ଯାଞ୍ଚ କାର୍ଯ୍ୟ ସେହି ଅଧ୍ୟକ୍ଷଙ୍କ ଅସହଯୋଗ ହେତୁ ଯାଞ୍ଚ କାର୍ଯ୍ୟ ହୋଇପାରି ନଥିଲା । ଯାହାର ବିବରଣୀ ଯାଞ୍ଚ ରିପୋର୍ଟରେ ସ୍ଥାନ ପାଇଅଛି, ତାହା ବ୍ୟତିତ କଲେଜର ଅର୍ଥଗତ ୨୦୨୩-୨୪ ଠାରୁ ୨୦୨୪-୨୫ ବର୍ଷ ପାଇଁ ସ୍ୱତନ୍ତ୍ର ଯାଞ୍ଚର ଆବଶ୍ୟକତା ରହିଅଛି । କାରଣ ଦୁର୍ନୀତିର ଦୂର୍ଗନ୍ଧ ବାରି ହେଉଅଛି । ସରକାରଙ୍କର ଲୋକାଲ ଫଣ୍ଡ ଅଡିଟ୍ ଟିମ୍ ପୁନଶ୍ଚ ସ୍ୱତନ୍ତ୍ରଭାବେ ଯାଞ୍ଚ କଲେ ବହୁ କୋଟି ଟଙ୍କାର ଆତ୍ମସାତ ପଦାକୁ ଆସିବ । ବର୍ତ୍ତମାନ କଲେଜର ଦୂରାବସ୍ଥା ନକହିଲେ ଭଲ । କଲେଜରେ ଥିବା ପି.ଜି. ଶ୍ରେଣୀ, ଇଗ୍ନୋ ସେଣ୍ଟର, ମେଡିକାଲ, ନ୍ୟାକ୍ ମାନ୍ୟତା ଓ ଅନୁମୋଦିତ ବିଷୟମାନ ପ୍ରତ୍ୟାହାର ହୋଇଅଛି । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ଭାବେ ଆଜି ଏହି ମହାବିଦ୍ୟାଳୟରେ ପଢ଼ିବା ପାଇଁ ମୁହଁ ଫେରାଇ ନେଇଛନ୍ତି । ବହୁ ଅଧ୍ୟାପକ ଓ କର୍ମଚାରୀ ଅନୈତିକ କାମରେ ଲିପ୍ତରହି କଲେଜକୁ ବଦନାମ କରୁଛନ୍ତି । ଯାହାଫଳରେ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ ଅନୁଯାୟୀ କଲେଜର ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ତାହାର ୪୮୮ ବର୍ଗୀୟ କଲେଜ ରୁ ଏକ ସ୍ୱଚ୍ଛ ବରିଷ୍ଠ ପ୍ରାଧ୍ୟାପକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିବାକୁ ମସୁଧା କରୁଛନ୍ତି । ତେଣୁ ଉପରୋକ୍ତ କଲେଜରୁ ଯଥାଶୀଘ୍ର ଜଣେ ସ୍ୱତନ୍ତ୍ର ଓ ବରିଷ୍ଠ ପ୍ରାଧ୍ୟାପକଙ୍କୁ ଯଥାଶୀଘ୍ର ପ୍ରେରଣ କରିବା ସହିତ ଅଦୈତ ପ୍ରସାଦ ମଲ୍ଲିକଙ୍କ ଦ୍ୱାରା ଆତ୍ମସାତ ହୋଇଥିବା ଅର୍ଥକୁ ଦଣ୍ଡବିଧାନ କରିବାସହ ଯଥାଶୀଘ୍ର ଆଦାୟ କରାଯିବାକୁ ସାଧାରଣରେ ଦାବୀ କରାଯାଉଅଛି ।