ଟ୍ରକ୍ ଧକ୍କାରେ ୧୨ ବର୍ଷୀୟ ପୁଅର ଘଟଣାସ୍ଥଳରେ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ବାପା ମୃତ
ବରଗଡ, ୯/୮/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ଜିଲା ସୋହେଲାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୋହେଲାର ରୋଶନ ଅଗ୍ରୱାଲ (୪୮) ଓ ତାଙ୍କ ୧୨ ବର୍ଷୀୟ ପୁଅ ତରୁଣ। ସୂଚନା ଅନୁଯାୟୀ, ରୋଶନ ତାଙ୍କ ପୁଅ ତରୁଣଙ୍କ ସହ ସ୍କୁଟି ଯୋଗେ ଥାନା ଛକ ପଟରୁ ମୁଖ୍ୟ ଛକ ଅଭିମୁଖେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ (ଓଡି ୧୫ ଆର୍ ୭୩୦୧) ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଟ୍ରକ୍ଟି ସ୍କୁଟିକୁ ଥାନା ଛକରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ତରୁଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ରୋଶନଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନା ଏବଂ ପରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରୋଶନଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସୋହେଲାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିବା ବେଳେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଘଟଣାସ୍ଥଳରେ ସୋହେଲା ତହସିଲଦାର ଶୁଭରଞ୍ଜନ ନାୟକ, ବରଗଡ଼ ଅତିରିକ୍ତ ଏସ୍ପି ଡୋଳାମଣି ଭୋଇ, ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର, ସୋହେଲା ଥାନା ଆଇଆଇସି ହରିଶଙ୍କର ଭୋଇଙ୍କ ସମେତ ମେଳଛାମୁଣ୍ଡା ଓ ପଦ୍ମପୁର ଥାନାର ଅଧିକାରୀମାନେ ପହଞ୍ଚିଥିଲେ। ପ୍ରଶାସନ ଓ ପୋଲିସ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ସରକାରୀ ସହଯୋଗ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା। ବାପା-ପୁଅଙ୍କ ଅକାଳ ମୃତ୍ୟୁରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ଏମ୍ପି ପ୍ରଦୀପ ପୁରୋହିତ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶନିବାର ସକାଳେ ବିଧାୟକ ମୃତକଙ୍କ ଶେଷଯାତ୍ରାରେ ସାମିଲ ହୋଇ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସୋହେଲାରେ ଜାତୀୟ ରାଜପଥର ଅସୁରକ୍ଷିତ ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ରାସ୍ତାରେ ବ୍ୟାପକ ସୁଧାର ଓ ସୁରକ୍ଷା ବ୍ୟବସ୍ଥା ନ କରାଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସୋହେଲା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।



