ସମ୍ୱଲପୁର/ସନ୍ଧାନ ନ୍ୟୁଜ:ଜୟ ମା ସମଲେଶ୍ୱରୀ, ଜୟ ଜଗନ୍ନାଥ । ସମ୍ବଲପୁରର ଭାଇ ଓ ଭଉଣୀମାନେ । ଆପଣ୍ ମାନେ କେନ୍ତା ଅଛନ୍ । କାର୍ତ୍ତିକ ପାଣ୍ଡିଆନଙ୍କ ମୁହଁରୁ ଏତିକି ଶୁଣିବା ପରେ ସମ୍ବଲପୁରର ରାଜରାସ୍ତାରେ ଉପସ୍ଥିତ ଥିବା ଜନସମୁଦ୍ରରେ ଖୁସିର ଲହରୀ ଖେଳିଯାଉଥିଲା । ବିଜେଡିର ଷ୍ଟାର ପ୍ରଚାରକ ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପଚାରୁଥିଲେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲପାଆନ୍ତି କି ? ମୁଖ୍ୟମନ୍ତ୍ରୀଙ୍କ କାମ ଭଲଲାଗେ କି? ଉଚ୍ଛ୍ୱସିତ ଭାବରେ ଏକା ସ୍ୱରରେ ଉତ୍ତର ଆସୁଥିଲା ହଁ । ରବିବାର ଦିନ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ବୁଲିବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସନ୍ଧ୍ୟାରେ ସମ୍ବଲପୁର ସହରରେ ମେଗା ରୋଡ ସୋ କରିଥିଲେ ଶ୍ରୀ ପାଣ୍ଡିଆନ । ଜେଲ ଛକଠାରୁ ରୋଡ ସୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପାଣ୍ଡିଆନ । କାର୍ତ୍ତିକ ପାଣ୍ଡିଆନ ଆସୁଥିବା ଜାଣି ସମ୍ବଲପୁରର ରାଜରାସ୍ତା ଜନସମୁଦ୍ର ପାଲଟିଥିଲା । ସମ୍ବଲପୁର ସହର ଶଙ୍ଖମୟ ହୋଇଥିଲା । ସହରର ଗଳିକନ୍ଦିରେ ଶଙ୍ଖ ପତାକା ଛାଇଯାଇଥିଲା । ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ, ଯୁବତୀ, ଶିଶୁ, ବୃଦ୍ଧମାନେ ଉପସ୍ଥିତ ରହି ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ଘର ସମ୍ମୁଖରେ ରଙ୍ଗୋଲି କରି, ଦୀପ ଜଳାଇ, ପୁଷ୍ପମାଲ୍ୟ ଧରି ମା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ପାଣ୍ଡିଆନ, ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ପୁଷ୍ପବୃଷ୍ଟି କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପାଣ୍ଡିଆନଙ୍କ ସହିତ ସେଲଫି ନେବାକୁ, ହାତ ମିଳାଇବାକୁ ପ୍ରଚାର ଗାଡି ପାଖରେ ଲୋକଙ୍କ ଭିଡଲାଗି ରହିଥିଲା । ମା ଭଉଣୀ ମାନେ ଆସି ପୁଷ୍ପମାଲ୍ୟ ପ୍ରଦାନ କରୁଥିଲେ । ବିଭିନ୍ନ ଛକଠାରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା । ସମ୍ବଲପୁର ଜେଲଛକ ଠାରୁ ବାହାରି ମ୍ୟୁନିସିପାଲଟି ଛକ, ସମଲେଶ୍ୱରୀ ମନ୍ଦିର, ବଡବଜାର, ଦଲେଇପଡା, ଫାର୍ମ ରୋଡ, ଚେରୁଆପଡା, ମୋଦୀପଡା, ସାହୁ କଲୋନୀ, ଲକ୍ଷ୍ମୀ ଟକିଜ ଛକ ଦେଇ ଜିଲ୍ଲା ସ୍କୁଲ ଛକଠାରେ ରୋଡ ସୋ କାର୍ଯ୍ୟକ୍ରମ ସରିଥିଲା । ସମ୍ବଲପୁରୀ ବାଜାର ତାଳେ ତାଳେ ପ୍ରଚାର ଗାଡି ଆଗକୁ ବଢୁଥିଲା । ବାଣ ଫୁଟାଇ, ପୁଷ୍ପବୃଷ୍ଟି କରି ଲୋକେ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ୱାଗତ କରୁଥିଲେ । ସହର ସାରା ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି ହୋଇଥିଲା । ଏହି ଅବସରରେ ସେ ସମ୍ବଲପୁରର ଜନତାଙ୍କୁ ସମ୍ବୋଧନ କରିଥିଲେ । ଏଭଳି ଭାବରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିବାରୁ ସମ୍ବଲପୁରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ବଲପୁର ପାଇଁ ଅନେକ କାମ କରିବାର ଅଛି । ଆଗାମୀ ପାଞ୍ଚବର୍ଷରେ ଆମେ ନୂଆ ସମ୍ବଲପୁର ଗଠନ କରିବା । ଆପଣ ମାନଙ୍କର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ । ସମଲେଇ ମନ୍ଦିରରେ ପାଣ୍ଡିଆନଙ୍କ ପ୍ରଚାର ଗାଡି ପହଞ୍ଚିବା ପରେ ଶହଶହ ସଂଖ୍ୟାରେ ଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ପାଣ୍ଡିଆନ ଯେଉଁ କଥା ଦି ପଦ କହିଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁଥିଲା । ସେ କହିଥିଲେ ମା ଙ୍କ ଭବ୍ୟ ମନ୍ଦିର ଦେଖି ଆଜି ଖୁସି ଲାଗୁଛି । ମା ଙ୍କର ଆଶୀର୍ବାଦରୁ ହିଁ ଏ ମନ୍ଦିରର ଋପାନ୍ତରିକରଣ ହୋଇପାରିଛି । ଆମେ ତ ନିମିତ୍ତ ମାତ୍ର । ମଣିଷ ଜନ୍ମ ଆଜି ଅଛି କାଲିକି ନାହିଁ । କେବଳ ମାଁ ଥିବେ ମନ୍ଦିର ଥିବ ଏବଂ ଭକ୍ତମାନଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ । ତାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଜୟ ମା ସମଲେଇ ଜୟନାମ ସାଙ୍ଗକୁ କରତାଳି ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସ୍ଥାନୀୟ ପରିବେଶ । କାର୍ତ୍ତିକ ପାଣ୍ଡିଆନଙ୍କ ଏହି ମେଗା ରୋଡ ସୋ ସ୍ପଷ୍ଟ ଭାବରେ ବୟାନ କରିଥିଲା ବିଜେଡି ପ୍ରତି ସମ୍ବଲପୁରବାସୀଙ୍କ ଭଲପାଇବା ବଢିଛି । ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଥିବା ନେଇ ବିଜେଡି ମହଳରୁ କୁହାଯାଉଛି।
ସମ୍ବଲପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର:ଶଙ୍ଖମୟ ସମ୍ବଲପୁର,ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି
|
May 20, 2024 |