ସବଡେଗା ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Spread the love

ସୁନ୍ଦରଗଡ ତା:୨୧/୬/୨୦୨୬(ସନ୍ଧାନ ନ୍ୟୁଜ) କର୍ମକୁ କୌଶଳର ସହ କରାଯାଏ ସେଇଟାକୁ ଆସନ କୁହାଯାଏ। ଯୋଗ କୌଣସି କଠିନ କାର୍ଯ୍ୟ ନୁହେଁ, ଏହା ଏକ ସରଳ କାର୍ଯ୍ୟ। ଯୋଗ ଏକ ଏଭଳି ପ୍ରକ୍ରିୟା, ଯାହା ସମ୍ପୂର୍ଣ୍ଣ ରୂପେ ବିଜ୍ଞାନ ସମ୍ମତ। ଶାରିରୀକ, ମାନସିକ ଓ ଆତ୍ମିକ ବିକାଶ ହେଉଛି ଯୋଗର ମୂଳ ଲକ୍ଷ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ସୁସ୍ଥ ଓ ନିରାମୟ ଜୀବନ ଯାପନ ଆମ ସମସ୍ତଙ୍କ ପାଇଁ ଯେତେବେଳେ ଏକ ଆହ୍ୱାନ ରୂପେ ଉଭା ହୋଇଛି, ସେତେବେଳେ ଯୋଗ ଆମ ସମସ୍ତଙ୍କ ନିତାନ୍ତ ଜରୁରୀ। ଯୋଗ ର ସର୍ବ ପୁରାତନ ଭାଷ୍ୟ ପତଞ୍ଜଳୀ କରିଛନ୍ତି। ପତଞ୍ଜଳୀ ଲକ୍ଷାଧିକ ଆସନ ବିଷୟରେ ବର୍ଣ୍ଣନା କରିଛନ୍ତି। ତାଛଡା ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ମାନେ ମଧ୍ୟ ଯୋଗକୁ ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରିଛନ୍ତି। ତାଛଡା ମୁନିସମାଜ ସଂସ୍ଥାପକ ଯୋଗେଶ୍ୱର ଶିବମୁନି ଯୋଗକୁ ଆହୁରି ଟିକେ ସରଳୀକରଣ କରି ପ୍ରଚାର କରିଛନ୍ତି। ରୋଗୀ, ନୀରୋଗି, ଶିଶୁ, ବୃଦ୍ଧ ସମସ୍ତେ ଏହାକୁ ଅଭ୍ୟାସ କରିପାରିବେ। ଏଇ ଯୋଗ ଅଷ୍ଟାଙ୍ଗ ଯୋଗ ଭାବେ ପରିଚିତ। ଏହାର ଆଠଟି ଅଙ୍ଗ ହେଲା ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ଯମ, ନିୟମ ଯୋଗର ବହିର୍ଙ୍ଗ ଯାହା ପାଳନ କରାଯାଏ। ଯୋଗର ଅନ୍ୟ ଅଙ୍ଗ ଆସନ, ପ୍ରାଣାୟମ, ପ୍ରତ୍ୟାହାର ଧାରଣା, ଧ୍ୟାନ, ସମାଧି ଆଦିକୁ ଅଭ୍ୟାସ କରାଯାଏ। ଅଧିକାଂଶ ଅନୁଷ୍ଠାନ ମୁଖ୍ୟତଃ ଆସନ ପ୍ରାଣାୟମ ଭିତରେ ସୀମିତ। କିନ୍ତୁ ମୁନିସମାଜ ସମସ୍ତ ଅଷ୍ଟାଙ୍ଗ ବିଧି ଶିଖାଏ। ଯାହା ପୂର୍ଣ୍ଣାଙ୍ଗ ଯୋଗ ଅଟେ। ବ୍ୟକ୍ତିର ଯୋଗସାଧନ ଉପରେ ନିର୍ଭର କରେ ତା’ର ସୁସ୍ଥତା। ଜଣେ ବ୍ୟକ୍ତି ଗୋଟେ ସାର୍ଟ କୁ ସଫା ନକରି କେତେଦିନ ପିନ୍ଧିପାରିବ ? କିଛି ଦିନ ପରେ ସେ ସାର୍ଟ ମଇଳା ହେଇଯିବ। ଆପଣ ସଫା ନକରି ସେ ସାର୍ଟକୁ ଯେମିତି ବେଶି ଦିନ ପିନ୍ଧିପାରିବେ ନାହିଁ। ସେମିତି ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ମଇଳା ହୁଏ। ଯୋଗ ହେଉଛି ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସଫାକରିବାର ଏକ ମାଧ୍ୟମ। ଯୋଗ ପ୍ରଥମତଃ ଶରୀରର ସଫା କରେ। ଦ୍ବିତୀୟ ରେ ପ୍ରାଣଶକ୍ତିକୁ ଦୃଢ କରେ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଏହାଦ୍ବାରା ଯୋଗାଭ୍ୟାସୀ କୁ ବାହ୍ୟ ରୋଗ ଆକ୍ରମଣ କରିବା କଷ୍ଟକର ହେଇପଡେ। ଶରୀର ନୀରୋଗ ରହେ। ଅଷ୍ଟାଙ୍ଗ ଯୋଗ ଦ୍ଵାରା ଶରୀର ରୋଗମୁକ୍ତ ହେବା ଏକ ମାମୁଲି କଥା। କିନ୍ତୁ ରୋଗ ଭଲ କରିବା ଯୋଗର ଏକମାତ୍ର ଲକ୍ଷ୍ୟ ନୁହେଁ। ଅଷ୍ଟାଙ୍ଗ ଯୋଗର ଲକ୍ଷ୍ୟ ହେଉଛି ଜୀବନ୍ମୁକ୍ତି। ମଣିଷକୁ ମୁକ୍ତ, ସ୍ବତନ୍ତ୍ର, ନୀରୋଗ, ସ୍ବାବଲମ୍ବୀ କରିବା ହିଁ ଅଷ୍ଟାଙ୍ଗ ଯୋଗର ଲକ୍ଷ୍ୟ। ତେଣୁ ଦୈନିକ ନିଜ ପାଇଁ କିଛି ସମୟ ବାହାର କରି ଯୋଗସାଧନ କରିବା ଭଲ ନାଁ ଜୀବନସାରା ଡାକ୍ତର ପାଖକୁ ଧାଇଁବା ଭଲ, ତାହା ଆମେ ନିଜେ ସମୀକ୍ଷା କରିବା ଉଚିତ। ସାରା ଦୁନିଆ ଆଜି ଯେତେବେଳେ ପ୍ରାକୃତିକ ଚିକିତ୍ସା ଉପରେ ଜୋର୍ ଦେଉଛି, ସେତେବେଳେ ଆମ ସମାଜ ଯୋଗ ପରି ଏକ ଅମୂଲ୍ୟ ସମ୍ପଦକୁ ଅଣଦେଖା କରି ଯନ୍ତ୍ରଣା ଜର୍ଜରିତ ହେବା ଦୁଃଖଦାୟକ ନିଶ୍ଚୟ। ବ୍ୟକ୍ତିର ନୀରୋଗତା, ସୁସ୍ଥତା ତା’ର ଯୋଗସାଧନା ଉପରେ ନିର୍ଭରଶୀଳ। ତେଣୁ ଯୋଗସାଧନା ନକରି ଫଳ ଖୋଜିଲେ କେଉଁଠୁ ମିଳିବ ? ତାଛଡା ଶାରିରୀକ, ମାନସିକ ଓ ଆତ୍ମିକ ବିକାଶ ପାଇଁ ଯୋଗ ଏକ ବହୁମୂଲ୍ୟ ସମ୍ପଦ। ନିଶାଗ୍ରସ୍ତ, ରୋଗଗ୍ରସ୍ତ, ମାନସିକ ବିଶାଦଗ୍ରସ୍ତ ସମାଜ ପାଇଁ ଯୋଗ ହିଁ ଏକମାତ୍ର ମହୌଷଧି। ଏହି ଅବସରରେ ସବଡେଗା ଉପେନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ବିଡିଓ ବିଶ୍ଵନାଥ ସାହୁ ଯୋଗ ଦେଇ ଏହି ଅମୂଲ୍ୟ ସମ୍ପଦ କୁ କାର୍ଯ୍ୟରେ ଲଗାଇବାକୁ ଅନୁରୋଧ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଶୁଶାନ୍ତ ବେହେରା ଯୋଗ ଦେଇ ଆଗାମୀ ଯୁବପିଢି ଏଥିପ୍ରତି ପ୍ରେରିତ ହେବାକୁ ମତ ରଖିଥିଲେ ।ତା ସହିତ ଅଞ୍ଚଳ ର ସାଂସଦ ପ୍ରତିନିଧି ପ୍ରଶାନ୍ତ ସେଠ ଯୋଗ ଦେଇ ଯୋଗର ଉପକାରିତା ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ବହୁ ସଂଖ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅଞ୍ଚଳ ର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।

Related Posts

About The Author

Add Comment