ଷ୍ଟିଲ ସିଟିରେ ଫିକା ପଡ଼ିବ ଦୁର୍ଗାପୂଜା,ବେଉସା ହରାଇବେ ଶହଶହ ବାଦ୍ୟକାର!

Spread the love

ରାଉରକେଲା: ପାର୍ବଣ ରୁତୁ କବାଟ ଠକ୍‌ଠକ୍ କଲାଣି । ପାର୍ବଣ ରୁତୁ ଆସିଲେ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ଏକ ନୂତନ ଶିହରଣ ଖେଳି ଉଠିଥାଏ । ସମସ୍ତେ ପାର୍ବଣ ରୁତୁରେ ନିଜ ପରିବାର ସହ ମଉଜ ମଜଲିସ କରିବାକୁ ଆଗଭର ହୋଇ ଉଠିଥାନ୍ତି । ମାତ୍ର ଏଥର ସ୍ଥିତି ସମୂର୍ଣ୍ଣ ବାମ! କରୋନା ମହାମାରୀ ଯୋଗୁ ଫିକା ପଡ଼ି ଯାଇଛି ପାର୍ବଣ ରୁତୁ । ଚଳିତ ବର୍ଷର ଦୁର୍ଗାପୂଜାରେ ତୋରଣ, ଆଲୋକ ସଜ୍ଜା, ସାଉଣ୍ଡ ଆଦି ପରିବେଷଣ ହେବ ନାହିଁ ବୋଲି ପ୍ରଶାସନର କଡ଼ା ନିର୍ଦ୍ଦେଶନାମା ରହିଛି । ଏପରି ସ୍ଥଳେ ବର୍ଷବର୍ଷ ଧରି ପାରମ୍ପାରିକ ବାଦ୍ୟଯନ୍ତ୍ର ମା’ଙ୍କ ପେଣ୍ଡାଲ ନିକଟରେ ପରିବେଷଣ କରୁଥିବା ଏଭଳି ଶହଶହ ବାଦ୍ୟକାର ଏବେ ଅତ୍ୟନ୍ତ ମର୍ମାହତ ଓ ବିଚଳିତ ଭାବେ କାଳତିପାତ କରୁଛନ୍ତି । ପାର୍ବଣ ରୁତୁକୁ ସାହାରା କରି ଜୀବନଜୀବିକା ନିର୍ବାହ କରୁଥିବା ଶହଶହ ବାଦ୍ୟକାର ଏଥର ହୋଇ ପଡ଼ିଛନ୍ତି ବିମୁଖ ଓ ବିଚଳିତ । ଚଳିତ ବର୍ଷ ସେମାନଙ୍କ ରୋଜଗାର ଉପରେ ପଡ଼ିଛି କରୋନା ଚୋଟ! ଏଥର ନାଁ ଶୁଭିବ ମହୁରୀର ଶଦ୍ଦ ନା ବାଜିବ ଢୋଲ! କରୋନା ମହାମାରୀ ଗତ ମାର୍ଚ୍ଚ ମାସରୁ ଓଡ଼ିଶାରେ ତା’ର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲା । ମାର୍ଚ୍ଚ ୨୫ ତାରିଖରୁ ଓଡ଼ିଶାରେ ଲକଡାଉନ ଆରମ୍ଭ ହୋଇଯିବା ପରେ ସମସ୍ତ ପ୍ରକାର ସାମାଜିକ, ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ  ସମୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । ଅନୂରୂପ ଭାବେ ସୁନ୍ଦରଗଡ଼ ଜିଲାରେ ଗତ ୮ ମାସ ହେଲା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପଡ଼ିଛି । ସରକାରଙ୍କ ଅନଲକ-୫ ଆରମ୍ଭ ହେବା ପରେ ଜିଲାରେ କିଛି ମାତ୍ରାରେ କୋଭିଡ଼ କଟକଣା କୋହଲ କରାଯାଇଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରୋଶଣୀ, ଶୋଭାଯାତ୍ରା ଉପରେ ଏବେ ବି ପ୍ରତିବନ୍ଧକ ଲଗାଯାଇଛି । ଗତ ମାର୍ଚ୍ଚରୁ ଜୁଲାଇ ମାସ ଭିତରେ ବିବାହ, ବ୍ରତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବନ୍ଦଥିବାରୁ କଳାକାର ମାନେ ହାତବାନ୍ଧି ବସିଥିଲେ । ସେହି ସମୟରେ ସଟଡାଉନ ଓ ଲକଡାଉନ ବଳବତର ଥିବା ଯୋଗୁ ମୁହଁ ମାଡ଼ି କଳାକାର ତଥା ବାଦ୍ୟକାର ମାନେ ବସି ରହିଥିଲେ । ପୂଜା ସମୟରେ ବାଦ୍ୟକାର ମାନଙ୍କର ଶେଷ ଆଶା ରହିଥିଲା, ତାହା ମଧ୍ୟ ମଉଳି ଯାଇଛି! ଦୁର୍ଗାପୂଜା ସମୟରେ କଠୋର କଟକଣା ମଧ୍ୟରେ ଏଥର ପୂଜା କରାଯିବ ବୋଲି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ରାଉରକେଲାରେ ୧୦୦ରୁ ଉର୍ଦ୍ଧ କଳାକାର ଓ ବାଦ୍ୟକାର ମାନଙ୍କ ମଧ୍ୟରେ ନୈରାଶ୍ୟର ବାତାବରଣ ଖେଳି ଯାଇଛି । ରାଉରକେଲା ସହରକୁ ପଡୋଶୀ ଜିଲା ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର ଆଦି ଅଂଚଳରୁ ବହୁ ବେକାର ଯୁବକ ପାର୍ବଣ ରୁତୁରେ ଦୁଇ ପଇସା କମାଇବାକୁ ଆସିଥାନ୍ତି । ଏହି ଯୁବକ ମାନେ ଦୁର୍ଗାପୂଜା ପେଣ୍ଡାଲ ଗୁଡ଼ିକରେ ତୂରୀ, ଯୋଡ଼ି ନାଗରା, ତେଲିଙ୍ଗି ବାଜା, ସୁରପିଆ(ରାହା ଧରିବା), ପେଁକାଳୀ, ମହୁରୀ,ଝାଂଜ ସମେତ ସମ୍ବଲପୁରୀ ବାଦ୍ୟ ଚାଳନା କରି ଦର୍ଶକଙ୍କୁ ବିମୋହିତ କରିବା ସହ କିଛି ଅର୍ଥ ରୋଜଗାର କରିଥାନ୍ତି, ମାତ୍ର ଏଥର କରୋନା ଏମାନଙ୍କ ପେଟରେ ଲାତ ମାରି ଦେଇଛି । ଜଣେ ବାଦ୍ୟକାରଙ୍କ କହିବା ଅନୁଯାୟୀ,ପ୍ରତିବର୍ଷ ପାର୍ବଣ ରୁତୁରେ ୧୦୦ରୁ ଉର୍ଦ୍ଧ ଡାକରା ଆମକୁ ମିଳିଥାଏ, ଏଥିଲାଗି ପୂଜା କମିଟି ମାନେ ଅଗ୍ରୀମ ଅର୍ଥ ପ୍ରଦାନ କରିଥାନ୍ତି । ମାତ୍ର୍ର ଚଳିତ ବର୍ଷ କରୋନା ଯୋଗୁ ସବୁ କିଛି ଫିକା ପଡ଼ି ଯାଇଛି, ଆମ ଗ୍ରୁପରେ ଥିବା ୨୦ ଜଣ ବାଦ୍ୟକାର ଏବେ ବିଚଳିତ ଅବସ୍ଥାରେ କାଳ କାଟୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।    ଏଭଳି କଳାକାର ମାନଙ୍କୁ ସରକାର କିଛିଟା ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ବାଦ୍ୟକାର ମାନଙ୍କ ଦୁଃଖକଷ୍ଟ ଦୂର ହୋଇ ପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।Report-S Nayak, Sandhan News

Related Posts

About The Author

Add Comment