ରାମମନ୍ଦିର ପାଇଁ ୧୮ ବର୍ଷ ପରେ ଟ୍ରେଜେରିରୁ ବାହାରିବ ରାମଶିଳା

Spread the love

ଲକ୍ଷ୍ନୌ, ୩/୧/୨୦ (ସନ୍ଧାନ ନିଉଜ) : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସରକାର, ସାଧୁସନ୍ଥ, ଆରଏସଏସ ଏବଂ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମନ୍ଦିର ନିର୍ମାଣ ଲାଗି ପ୍ରକ୍ରିୟା ଜୋରଦାର ଚାଲିଛି। ଏହା ଭିତରେ ୨ଟି ରାମଶିଳାକୁ ୧୮ ବର୍ଷ ପରେ ଟ୍ରେଜେରିରୁ ବାହାର କରାଯିବା ନେଇ ଉଦ୍ୟମ ଆରମ୍ଭ ହୋଇଛି।

ଏହି ରାମଶିଳା ଦୁଇଟିକୁ ୨୦୦୨ ମାର୍ଚ୍ଚ ୧୫ରେ ଶ୍ରୀରାମ ଜନ୍ମଭୂମି ନ୍ୟାସର ତତ୍କାଳୀନ ଅଧ୍ୟକ୍ଷ ତଥା ଅଯୋଧ୍ୟା ଆନ୍ଦୋଳନର ପ୍ରମୁଖ ସୂତ୍ରଧର ଦିଗମ୍ବର ଆଖଡ଼ାର ମୁଖ୍ୟ ରାମଚନ୍ଦ୍ର ପରମହଂସ ଏବଂ ବିଶ୍ଵ ହିନ୍ଦୁ ପରିଷଦର ତତ୍କାଳୀନ ଅଧ୍ୟକ୍ଷ ଅଶୋକ ସିଂଘଲ କେନ୍ଦ୍ରର ତତ୍କାଳୀନ ଅଟଳ ବିହାରୀ ବାଜପେୟୀ ସକରାରରେ ଗଠିତ ଅଯୋଧ୍ୟା ପ୍ରକୋଷ୍ଠର ପ୍ରଭାରୀଙ୍କୁ ପ୍ରଦାନ କରିଥିଲେ।

ସୂଚନା ଅନୁସାରେ, ରାମଚନ୍ଦ୍ର ପରମହଂସ ଅଯୋଧ୍ୟାରେ ୧୦୦ ଦିନର ଯଜ୍ଞ କରିବା ଏବଂ ୨୦୦୨ ମାର୍ଚ୍ଚ ୧୫ରେ ରାମ ଜନ୍ମଭୂମି ସ୍ଥଳରେ ମନ୍ଦିର ନିର୍ମାଣ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। କିନ୍ତୁ ମାର୍ଚ୍ଚ ୧୩ରେ ସୁପ୍ରିମକୋର୍ଟ ବିବାଦୀୟ ସ୍ଥଳରେ ପୂର୍ବସ୍ଥିତି ବଳବତ୍ତର ରଖିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ପରମହଂସ ନିଜର ପ୍ରାଣତ୍ୟାଗ କରିବା ଲାଗି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଫୋନ କରି ବୁଝାଶୁଝା କରିବା ସହିତ ବିବାଦୀୟ ସ୍ଥଳକୁ ନ ଯାଇ ପ୍ରତୀକାତ୍ମକ ଶିଳାଦାନ କରିବାକୁ ରାଜି କରାଇଥିଲେ। ଫଳରେ ପରମହଂସ ଏବଂ ସିଂଘଲଙ୍କ ନେତୃତ୍ଵରେ ଶତାଧିକ ଲୋକ ରାମଶିଳାର ପୂଜନ କରିଥିଲେ।

ଏହି ଶିଳା ଦୁଇଟିକୁ ମନ୍ଦିର ଗର୍ଭଗୃହରେ ଲଗାଯିବା ନେଇ ସ୍ବାମୀ ପରମହଂସ ଏବଂ ସିଂଘଲଙ୍କ ଇଚ୍ଛା ଥିଲା। ଏଥିପାଇଁ ମନ୍ଦିର ନିର୍ମାଣ ଆରମ୍ଭ ହେବା ପୂର୍ବରୁ ସାଧୁସନ୍ଥ ଏବଂ ବିଶ୍ଵ ହିନ୍ଦୁ ପରିଷଦ ଶିଳା ଦୁଇଟିକୁ ଟ୍ରେଜେରିରୁ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛି। ଆଗକୁ ପ୍ରୟାଗରାଜରେ ମାଘମେଳା ଅନୁଷ୍ଠିତ ହେବ। ଏଥିରେ ସାଧୁସନ୍ଥ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ବୈଠକରେ କୌଣସି ଏକ ଶୁଭ ମୁହୂର୍ତ୍ତରେ ଶିଳାଗୁଡ଼ିକୁ ଟ୍ରେଜେରିରୁ ବାହାର କରିବାର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Related Posts

About The Author

Add Comment