ନୂଆଦିଲ୍ଲୀ, ୦୧/୧୦ (ସନ୍ଧାନ ନିଉଜ) ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଆବାସକୁ ଯାଇ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଗତ ସେପ୍ଟେମ୍ବର ୨୦ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂହ ଚନ୍ନି ଶପଥ ନେଇଥିଲେ ।
ପ୍ରଧାନମନ୍ତ୍ରୀ ଓ ଚନ୍ନିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଅକ୍ଟୋମ୍ବର ୧ ତାରିଖରୁ ପଞ୍ଜାବରେ ଧାନ କିଣା ପ୍ରକ୍ରିୟାକୁ ସ୍ଥଗିତ ରଖିବା ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଚନ୍ନି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା କଥା ସୂଚନା ମିଳିଛି । ଏହାଛଡା ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନ ବାବଦରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଖବର ମିଳିଛି ।
ସେହିପରି ଧାନ କିଣା ପ୍ରାୟତଃ ଅକ୍ଟୋମ୍ବର ପହିଳାରୁ ଆରମ୍ଭ ହୋଇଥାଏ । କିନ୍ତୁ କେନ୍ଦ୍ର ସରକାର ଧାନ କ୍ରୟ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ଚନ୍ନି । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଚନ୍ନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବାକୁ କହିଥିଲେ ।