କେନ୍ଦ୍ରୀୟ ପ୍ରକଳ୍ପରେ ରାଜ୍ୟ ସରକାର ବାଧକ ହେବାନେଇ ତଥ୍ୟ ପ୍ରମାଣ ରଖିଲେ କେନ୍ଦ୍ରମନ୍ତ୍ରୀ
– ସ୍ୱାମୀ ପଛେ ମରୁ ସଉତୁଣୀ ବିଧବା ହେଉ ନୀତିରେ ଓଡିଆ ଲୋକ ପଛେ ଲାଭ ନପାଆନ୍ତୁ ମାତ୍ର ମୋଦିଙ୍କ ଲୋକପ୍ରିୟତା ନବଢୁ ଏହା ନବୀନ ପଟ୍ଟନାୟକଙ୍କ ନୀତି ହୋଇଛି
– କେନ୍ଦ୍ରୀୟ ପ୍ରକଳ୍ପର ଫାଇଲକୁ ଅଟକାଇ ରଖି ଓଡିଆ ମାନସିକତା ବୁଝୁନଥିବା କଳାପାହଡ ମାନଙ୍କ ପ୍ରରୋଚନାରେ ବିଳମ୍ବିତ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ
– ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି ପ୍ରକଳ୍ପ ପଡିରହିଛି
– ସଡକ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି ବ୍ୟୟ ବରାଦ ସତ୍ୱେ ରାଜ୍ୟର ସହଯୋଗ ମିଳୁନି
– ରେଳବାଇରେ ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା ପାଇଁ ୧୨ ହଜାର ୨୮୬ କୋଟି ପଡିରହିଛି
– ଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟିଟଙ୍କାର ଲାଭ ଓଡିଆ ଲୋକ ନେଇପାରୁନାହାନ୍ତି
– ସ୍ୱାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଟଙ୍କାର ପ୍ରକଳ୍ପ କ୍ରିୟାନ୍ୱିତ ହୋଇପାରୁନି
– ମୁଖ୍ୟମନ୍ତ୍ରୀଙ୍କ ମାଗଣା ଜମିର ପ୍ରତିଶ୍ରୁତି ସତ୍ୱେ ମଧ୍ୟ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଜମି ଅଭାବରୁ ଆଗେଇ ପାରୁନାହିଁ
– କୋଷ୍ଟାଲ ହାଇେଓ ନେଇ ବଡ ଅଭିଯୋଗ, ପୁରୀ ଜିଲ୍ଲାର ବିଧାୟକ ଓ ମନ୍ତ୍ରୀମାନେ ନିଜ ଜାଗାଦେଇ ରାସ୍ତା ନେବାକୁ ଅପଚେଷ୍ଟା ସମ୍ପର୍କରେ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ଦେଇଛନ୍ତି ସୂଚନା
– ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀ ତାଲିକା ତୁରନ୍ତ ଦେଉନାହାନ୍ତି କାହିଁକି ?
– ସବୁଘରେ ବିଜୁଳି ଓ ପାଇଖାନା ପାଇଁ ପ୍ରଯ୍ୟାପ୍ତ କେନ୍ଦ୍ରୀୟ ଅର୍ଥ ସତ୍ୱେ ଓଡିଶା ଦେଶରେ ପଛୁଆ କାହିଁକି ?
– ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାଣୁ, ଅପାରଗ, ସମ୍ବେଦନହୀନ ଓ ରାଧୁଆ ମିଛୁଆ କାହିଁକି କୁହାଯିବନି ?
ଭୁବନେଶ୍ୱର, ୨୩/୨ (ସନ୍ଧାନ ନିଉଜ) ଓଡିଶାର ଦ୍ରୁତ ବିକାଶ ପାଇଁ ୨୦୧୪ ମସିହାରୁ ମୋଦି ସରକାରଙ୍କର ନିଷ୍ଠାପର ଉଦ୍ୟମ ସତ୍ୱେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ବସିରହି ରାଜ୍ୟର ବିକାଶକୁ ବାଟବଣା କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟ, ପ୍ରମାଣ ଓ ଦସ୍ତାବିଜ ଉପସ୍ଥାପିତ କରି ୧ ଲକ୍ଷ ୩୬ ହଜାର ୪୧୭ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ କ୍ରିୟାନ୍ୱୟନରେ ରାଜ୍ୟ ସରକାର ବାଧକ ହେବାର ପ୍ରମାଣ ଉପସ୍ଥାପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସ୍ୱାମୀ ପଛେ ମରୁ ସଉତୁଣି ବିଧବା ହେଉ ଏହି ଓଡିଆ ଢଗକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ପାଖରେ ପଛେ ବିକାଶ ନପହଁଚୁ ମାତ୍ର ମୋଦିଙ୍କ ଲୋକପ୍ରିୟତାକୁ ରୋକିବାକୁ ଷଡଯନ୍ତ୍ର କରି ଓଡିଆ ଲୋକଙ୍କ ସହ ବିଶ୍ୱାସଘାତକ କରିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ତାମିଲ୍ କମ୍ପାନୀ ଠାରୁ ଆରମ୍ଭ କରି ଘରୋଇ କମ୍ପାନୀ ମାନଙ୍କୁ ବିନା ଅସୁବିଧାରେ ଏନଓସି ଦିଆଯାଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି। ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପର ସହାୟତା ପାଇଁ କେବେ ସହଯୋଗ ଦେଉନାହାନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଓଡିଆ ମାନଙ୍କ ଜୀବନଶୈଳୀ ଅଣଓଡିଆ ଅଫିସରଙ୍କୁ ଜଣାନାହିଁ। ଓଡିଆ ଚାଷୀଙ୍କ ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ କଂଟା ସାଜୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତାଲିକା କଣ ପାଇଁ ପଠାଉନାହାନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ତାଲିକା ଦେବେ ସେହି ଅନୁସାରେ କେନ୍ଦ୍ର ସରକାର ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଇବେ। ମୁଖ୍ୟମନ୍ତ୍ରୀ ଚାଷୀଙ୍କ କଥା ନବୁଝି ନିଜ ଉଦ୍ଦେଶ୍ୟରେ ଚାଲିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୪ରୁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦାୟିତ୍ୱ ମିଳିଲା। ୨୦୧୬ରେ ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନାରୀ ଉଦଘାଟନ୍ କରିବା ଗସ୍ତ ସମୟରେ ଓଡିଶା ପୂର୍ବ ଭାରତର ବିକାଶର ଦ୍ୱାର ହେବ ବୋଲି କହିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁରୀର ବିକାଶ ପାଇଁ ଭିତିଭୂମି ନିମନ୍ତେ ଭାରତ ସରକାର ତରଫରୁ ଆଉ ୫୦ କୋଟି ଟଙ୍କା ଦିଆଯାଇଥିଲା। ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଦାବି କରୁଛନ୍ତି। କିନ୍ତୁ ସ୍ଥିତିକୁ ଦେଖିଲେ ତା ବିପରୀତ ଅବସ୍ଥା ଅଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଭାରତ ସରକାରଙ୍କ ୧ କୋଟି ୩୬ ଲକ୍ଷ ୪୧୭ କୋଟି ଟଙ୍କା ପ୍ରକଳ୍ପ ମଧ୍ୟରୁ ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି, ସଡକ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟି, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମୋଟ ୬୨ଟି ଓ ସେଥିରୁ ୨୦୧୭ ପରେ ୪୪ଟି ଚିଠି ଲେଖିଛନ୍ତି। ଏହି ଚିଠି ମଧ୍ୟରୁ ୨୪.୦୪.୨୦୧୭ ମସିହାରେ ଲିଖିତ ଗୋଟିଏ ଚିଠି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପତ୍ରପ୍ରାପ୍ତି ମିଳିଥିବା ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ବିଶୋଧନାଗାର ସମ୍ପ୍ରସାରଣ ଯୋଜନା କରାଯାଇଛି। ପାରାଦୀପ ବିଶୋଧନାଗାରର ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ୍ କ୍ଷମତା ଥିବାବେଳେ ତାଙ୍କୁ ସମ୍ପ୍ରସାରଣ କରିବା ପାଇଁ ତଥା ପେଟ୍ରୋଲ, ଡିଜେଲ ଗୁଡିକୁ ଉତ୍ପାଦନ କରିବା ପାଇଁ ୧୫ ରୁ ୨୫ ମିଲିୟନ ମେଟ୍ରିକ୍ ଟନ୍ କରିବା ପାଇଁ ପ୍ରସ୍ତାବ ଅଛି। ଫଳରେ ଏଥିପାଇଁ ୨୨ ହଜାର କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ। ମାତ୍ର ଏଥିପାଇଁ ଆବଶ୍ୟକ ଥିବା ୨୨୯୦ ଏକର ଜମି ଓଡିଶା ସରକାର ଯୋଗାଇ ଦେଇନାହାନ୍ତି। ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ ପରେ ପିସିସି ତାଇଓାନ ୪୩ ହଜାର କୋଟି ଟଙ୍କା ପେଟ୍ରୋକେମିକାଲ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ମାତ୍ର ଆବଶ୍ୟକ ହେଉଥିବା ଜମି, ପାଣି, ବିଜୁଳି ଓ ପରିବହନର ସୁବିଧା ପାଇଁ ଓଡିଶା ସରକାର କୌଣସି ସହଯୋଗ କରୁନାହାନ୍ତିା
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡିଶା ସରକାର ଯୋଗାଇ ନାହାନ୍ତି। ସେହିପରି ଭାରତବର୍ଷର ସୁରତ ଓ ତିରୁପୁର ୨ଟି ସ୍ଥାନରେ ଟେକ୍ସଟାଇଲ୍ ଶିଳ୍ପାୟନ ଅଛି। ଓଡିଶାର ଅନେକ ଲୋକ ସେଠାକୁ ଯାଇ କାମ କରୁଛନ୍ତି କିନ୍ତୁ ଏଠାରେ ଶିଳ୍ପାୟନ ସ୍ଥାପନ କରି ରୋଜଗାର ସୃଷ୍ଟି କରିବାକୁ ଚାହିଁଲେ ରାଜ୍ୟ ସରକାର ବାଧକ ସାଜୁଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ପାରାଦୀପରେ ୧୦୬ କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ପାର୍କ ତିଆରି କରିବାର ଆକଳନ କରାଗଲା। ଏଥିପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ ଅନୁରୋଧ କରିଥିଲେ। ଏଥିପାଇଁ ଟଙ୍କା ମଧ୍ୟ ପଠାଗଲା ଓ ଜଏଂଟ ଭେନଚର କମ୍ପାନୀ ତିଆରି କରଗଲା। ରାଜ୍ୟ ସରକାର ଜଏଂଟ ଭେନଚରର ଏମଓୟୁରେ ଦସ୍ତଖତ କଲେ ା ମାତ୍ର କମ୍ପାନୀ ବନାଇବା ପାଇଁ ରାଜ୍ୟ ସରକାର ଅଗ୍ରସର ହେଲେନି। ନୀରବ ମୋଦୀ ସାଙ୍ଗରେ ଏମୟୁ କରି ୬୦-୭୦ ଏକର ବହୁମୂଲ୍ୟ ସମ୍ପତି ରାଜ୍ୟ ସରକାର ଦେଲେ। କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ। ଓଡିଶା ସରକାର କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। କେନ୍ଦ୍ରୀୟ ପ୍ରକଳ୍ପ କାମ କରିବା ଦିଗରେ ସହଯୋଗ ନକରି ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।
ପାରାଦୀପରେ ୨୨ ଏକର ଜମିରେ ରିଫାଇନାରୀ ସଂମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ସରକାର ଘରୋଇ କମ୍ପାନୀ ଜିନ୍ଦଲକୁ ଦେବା ପାଇଁ ଜାଗା ଅଛି କିନ୍ତୁ ୩୪ ହଜାର କୋଟି ଟଙ୍କା ପାରାଦୀପରେ ନିବେଶ କରିଥିବା ଆଇଓସିଏଲକୁ ଜାଗା ଦେବାକୁ ଜାଗା ନାହିଁ। ପେଟ୍ କୋକ୍ ପାଇଁ ଜାଗା ଦେଉନାହାନ୍ତି। ପିଏକ୍ସ-ପିଟିଏ ପ୍ରକଳ୍ପ ପାଇଁ ଜାଗା ଦେଇନାହାନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଚଣ୍ଡିଖୋଲରେ ଅଶୋଧିତ ତୈଳ ଷ୍ଟ୍ରାଟେଜିକ୍ ରିଜର୍ଭରେ ୬ ହଜାର ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ ପୁଞ୍ଜିନିବେଶ ୬୦୦ ଏକର ଜମି ପାଇଁ ସ୍ଥଗିତ ଅଛି। ଡଙ୍କାରୀପାହାଡ ତଳେ ଏହି ଷ୍ଟୋରେଜ୍ ଫାସିଲିଟି ବନାଇବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଗଲା। ଫଳରେ ରାଜ୍ୟ ସରକାର ରାଜସ୍ୱ ପାଇବେ ଏବଂ ରୋଜଗାର ମଧ୍ୟ ବୃଦ୍ଧି ହେବ। ଏଥିପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ମଧ୍ୟ ରାଜ୍ୟ ସରକାର ଅନେକ ବାହାନା ଦେଖାଇ ଏଥିରେ ସହଯୋଗ କଲେ ନାହିଁ। ରୋଡ ସେକ୍ଟରରେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଘାରୁ ଗୋପାଳପୁର ୪୧୫ କିଲୋମିଟର କୋଷ୍ଟାଲ ହାଇେଓ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ମିଳିପାରୁନାହିଁ। ମୂଳ ବିକାଶ ପାଇଁ ରାସ୍ତାର ଆବଶ୍ୟକତା ଅଛି। ଓଡିଶାରେ ବିଶେଷ କରି କୋଷ୍ଟାଲ ହାଇେଓ ପାଇଁ ୨୦୧୬ ମସିହାରୁ ଏହାର କାମ ଆରମ୍ଭ ହେଲା। ଏହାର ଆଲାଇନମେଂଟ ତିଆରି ହୋଇ ପ୍ରଥମ ପ୍ରେଜନଷ୍ଟେସନ ୨୦୧୬ରେ ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ କରାଗଲା। ଏହାକୁ ସେ ପ୍ରଶଂସା କରିବା ସହ ଅନ୍ୟ କିଛି ପ୍ରସ୍ତାବ ମଧ୍ୟ ଦେଲେ। ଏହାପରେ ସେ ଅଂଚଳର ଜନପ୍ରତିନିଧି ଓ ବିଧାୟକଙ୍କ ସହ ବାରମ୍ବାର ଆଲୋଚନା ହେଲା। କିନ୍ତୁ ଓଡିଶା ସରକାରଙ୍କ ଜମି, ପରିବେଶ ଓ ସିଆରଜେଡ୍ ମଞ୍ଜୁରୀ ମିଳିବାରେ ବିଳମ୍ବ ହୋଇଛି। ଓଡିଶାରେ କୋଷ୍ଟାଲ ହାଇେଓକୁ ନିର୍ମାଣ କରିବା ପାଇଁ ବ୍ୟକ୍ତିଗତ ଭାବେ ସେ ଆଲୋଚନା କରିବା ପରେ ମଧ୍ୟ ଏବେ ସୁଦ୍ଧା ତାହାର ଆନୁସଙ୍ଗିକ ଅନୁମତି ମିଳିନାହିଁ। ଦିନରେ ଲଣ୍ଠନ ଦେଖାଇଲେ ହେବନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜଗନ୍ନାଥ ସଡକ ଜାତୀୟ ରାଜପଥ ହୋଇପାରୁନାହିଁ। ଅନୁଗୁଳ ଠାରେ ଆଲୁମିନିୟମ ପାର୍କ କରିବା ପାଇଁ ମଧ୍ୟ କଳ୍ପନା କରାଯାଇଥିବା ବେଳେ ସେଠାକାର ରାସ୍ତାକୁ ଜାତୀୟ ରାଜପଥ କରିବା ପାଇଁ ସହଯୋଗ ରାଜ୍ୟ ସରକାରଙ୍କ ମିଳୁନାହିଁ। ସେହିପରି ୧୨ ହଜାର ୨୮୬ କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୦୬୦ କି.ମିର ରେଳବାଇ ପ୍ରକଳ୍ପ ସ୍ଥଗିତ ହୋଇଛି ଓଡିଶା ସରକାରଙ୍କ ଜମି ଓ ଜଙ୍ଗଲ ମଞ୍ଜୁରୀ ନଦେବା କାରଣରୁ। ଏନଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାଓାଟ ତାଳଚେର ପ୍ରକଳ୍ପର ସଂପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। କାରଣ, ଏନଟିପିସି ଠାରୁ ବିଜୁଳି କିଣାନହେଉଥିବାରୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହାନ୍ତି। ଦାମନଯୋଡି ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ୨୦୧୭ରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି। ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଥିବା କହୁଥିବା ବେଳେ ନାଲକୋକୁ ସହଯୋଗ କରୁନାହାନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଡେରାଶରେ ମୋରାଇନ୍ ଫୁଡ ପ୍ରସୋସିଂ ପ୍ଲାଂଟ ନିର୍ମାଣ ହେଲେ ଓଡିଆ ଲୋକମାନେ ଚିଙ୍ଗୁଡି କାରଖାନା କରି କାମ କରିପାରନ୍ତେ। ଭାରତ ସରକାର ପଇସା ଖର୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ସହଯୋଗର ହାତ ବଢାଉନାହାନ୍ତି। ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଦେବା କଥା କହିଲେ। ୨୪ ଡିସେମ୍ବର ୨୦୧୮ରେ କହିବା ପରେ ଆଜି ୨ ମାସ ପରେ ବି ଜାଗା ମିଳିନାହିଁ। ସ୍ୱଚ୍ଛ ଭାରତ ମିଶନରେ ସବୁ ଘରେ ପାଇଖାନା ବନିବା ପାଇଁ ଭାରତ ସରକାର ଚାହିଁଲୋ ଦେଶର ସମସ୍ତ ରାଜ୍ୟରେ ଶୌଚାଳୟ ବନିସାରିଥିଲେ ମଧ୍ୟ ଓଡିଶାରେ ପାଖାପାଖି ୧୮ ଜଣଙ୍କ ଘରେ ପାଇଖାନା ବନିନାହିଁ। ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ। ସୌଭାଗ୍ୟ ଯୋଜନାରେ ବିଜୁଳି ଘରେ ପହଂଚିନାହିଁ। ଡିଏମଏଫ୍ ପଇସା ଖର୍ଚ୍ଚ ହେଉ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।