କେନ୍ଦୁଝର, ୬/୯(ସନ୍ଧାନ ନିଉଜ): କେନ୍ଦୁଝର ସଦର ଥାନା ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ସ୍ତ୍ରୀ କେଶରୀ ମହାନ୍ତ(୬୦)ଙ୍କୁ ହତ୍ୟା କରାଯାଇଥିଲା । କୌଣସି ଦୁର୍ବୃତ୍ତ ତାଙ୍କର ମୁଣ୍ଡ କାଟି ନେଇଯିବା ଘଟଣାରେ ସଦର ପୁଲିସ ଗୁରୁବାର ମହିଳାଙ୍କ କଟା ମୁଣ୍ଡ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଏଣୁ ସହିତ ଗତ ୨୪ ଘଣ୍ଟା ଧରି ଘଟଣା ଉପରେ ଲାଗି ରହିଥିବା ସସପେନ୍ସ ଦୁର ହୋଇଛି । ସ୍ତ୍ରୀ ତଥା ଅନ୍ୟ ଝିଅ ବୋହୁ ମାନଙ୍କୁ କୁତ୍ସାରଟନା କରୁଥିବାରୁ ପୁରୁଣା ରାଗ ଶୁଝାଇବା ପାଇଁ ମହିଳାଙ୍କ ପୁତୁରା ଶରତ ମହାନ୍ତ(୪୨) ଟାଙ୍ଗିଆରେ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଥିବା ସୂଚନା ମିଳିଛି । ପାଟଣା ଥାନା କୁଆପଶୀ ଗାଁ ନିକଟରେ ରହିଥିବା ହାଡଖାଇ ନାଳରୁ ମହିଳାଙ୍କ କଟା ମୁଣ୍ଡ ଉଦ୍ଧାର ହୋଇଛି ।
ଅଭିଯୁକ୍ତ ଶରତଙ୍କ ସୂଚନା ମୁତାବକ ଶରତଙ୍କ ସ୍ତ୍ରୀ ତଥା ତାଙ୍କ ପରିବାରର ଝିଅ ବୋହୁଙ୍କ ନାମରେ କେଶରୀ ସବୁବେଳେ ନାନା କୁତ୍ସାରଟନା କରି ଆସୁଥିଲେ । ଶରତ ଏସବୁ ଶୁଣିବା ପରେ ଭୀଷଣ ରାଗି ଯାଇଥିବାବେଳେ ପ୍ରତିଶୋଧ ନେବା ପାଇଁ ମନେ ମନେ ସୁଯୋଗ ଖୋଜୁଥିଲେ । ବୁଧବାର ଅପରାହ୍ନରେ କେଶରୀ ବାଡିରୁ ଲଙ୍କା ତୋଳି ହାଟକୁ ବିକିବା ପାଇଁ ଯାଉଥିବାବେଳେ ପୂର୍ବରୁ ଏକ ଟାଙ୍ଗିଆ ଧରି ଶରତ ନିଛାଟିଆ ସ୍ଥାନ ଦେଖ୍ ବାଟରେ ଛକି ବସିଥିଲା । ଭୂଦବାହାଳୀ ଗାଁ ନିକଟ ରାସ୍ତାରେ ଏକୁଟିଆ ପାଇ କେଶରୀଙ୍କ ବେକକୁ ଟାଙ୍ଗିଆରେ ଚୋଟ ପକାଇଥିଲା । କେଶରୀ ତଳେ ପଡ଼ିଯିବାରୁ ଏକାଧିକବାର ଟାଙ୍ଗିଆ ସାହାଯ୍ୟରେ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିବା ସହିତ ଏକ ବ୍ୟାଗରେ କଟାମୁଣ୍ଡ ଧରି ସାଇକେଲ ଯୋଗେ ଦ୍ଵାରିକାପଶି ହାଟକୁ ଯାଇଥିଲା । ହାଟରେ ଏକ ମାଛ ଦୋକାନ ସାମନାରେ ବ୍ୟାଗରୁ କଟା ମୁଣ୍ଡ କାଢି ଦେଖାଇଥିଲା । କିଛି ଲୋକ ଏହା ଦେଖୁଦେବାରୁ ସେହି ସ୍ଥାନ ଛାଡି ଚାଲିଯାଇଥିବାବେଳେ କିଛି ଦୁରରେ ସାଇକେଲ ଛାଡି ଚାଲି ଚାଲି ଜଙ୍ଗଲ ରାସ୍ତାରେ ପାଟଣା ଆଡକୁ ଯାଇଥିଲା । ବ୍ୟାଗରେ କଟା ମୁଣ୍ଡ ଧରି ନଦୀ ନାଳ ପାର ହେବା ସହିତ ରାତି ତମାମ ଜଙ୍ଗଲରେ ବୁଲିବା ପରେ ପାଟଣା ଥାନା, କୁଆପଶି ଗାଁ ନିକଟରେ ରହିଥିବା ହାଡଖାଇ ନାଳ ମଝିରେ ରହିଥିବା ଏକ ଜାମୁ ଗଛରେ କଟା ମୁଣ୍ଡ ଭର୍ଭ ବ୍ୟାଗଟିକୁ ଟାଙ୍ଗି ଦେଇଥିଲା । ପରେ ନାଳରେ ଗାଧୋଇବା ସହିତ କୁଆପଶି ଗ୍ରାମରେ ରହିଥିବା ପିଉସୀ ଘରେ ଯାଇ ଭାତ ଖାଉଥିବା ସମୟରେ ସଦର ପୁଲିସ ପହଞ୍ଚି ଶରତକୁ କାବୁ କରିଥିଲା । ଏହାପରେ ଶରତକୁ ହାଡଖାଇ ନାଳ ନିକଟକୁ ଆଣି କଟା ମୁଣ୍ଡ ଉଦ୍ଧାର କରାଯିବା ପରେ ଘଟଣାସ୍ଥଳରେ ଗଣ୍ଡି ସହିତ ମୁଣ୍ଡ ଯୋଡି ଆବଶ୍ୟକୀୟ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିବାବେଳେ ଶରତକୁ ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି। ହତ୍ୟାର କାରଣ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିନଥିବାବେଳେ ପୁଲିସ ପକ୍ଷରୁ ଦଫା ୩୦୨/୨୦୧ ସମ୍ବଳିତ ଏ ସମ୍ବନ୍ଧୀୟ ଏକ କେଶ ନଂ ୨୬୮/୨୦୨୦ ରୁଜୁ କରି ତଦନ୍ତ ଜାରି ରଖୁଛି । ପ୍ରକାଶ ଥାଉକି, ବାଡିରୁ ଲଙ୍କା ତୋଳି ବୁଧବାର ଅପରାହ୍ନରେ ଦ୍ବାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକି ବାହାରିଥିଲେ କେଶରୀ । ସନ୍ଧ୍ୟା ୫ଟା ୩୦ ପାଖାପା ଭୂଦବାହାଳୀ ନିକଟ ରାସ୍ତାକଡରେ ସ୍ଥାନୀୟ ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୁଣ୍ଡ ବିହୀନ ଗଣ୍ଡି ପଡିଥିବା ଦେଖୁବା ପରେ ଏ ଘଟଣା ଆଖପାଖରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।