ନୂଆଦିଲ୍ଲୀ,୩/୩ (ସନ୍ଧାନ ନିଉଜ) : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ଜୈସ-ଇ-ମହମ୍ମଦ (ଜେଇଏମ୍)ର ମୁଖ୍ୟ ମାସୁଦ ଅଝାରର ପ୍ରକୃତରେ ମୃତ୍ୟୁ ହୋଇଛି ନା ପାକିସ୍ତାନର ଏହା ଆଉ ଏକ ଷଡ୍ଯନ୍ତ୍ର ସେଥିନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ପ୍ରକାର ସନ୍ଦେହ ସୃଷ୍ଟି ହେବା ପଛରେ ମଧ୍ୟ ଯଥେଷ୍ଟ କାରଣ ରହିଛି। କାରଣ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଦାବି କରିଛି ଯେ ତା’ର ମୁଖିଆ ମାସୁଦ୍ ଆଝାର ଜୀବିତ ଅଛି। ଅନ୍ୟ ପକ୍ଷରେ ପାକିସ୍ତାନ ସରକାର ଆଧିକାରିକ ଭାବେ ଅଝାରର ମୃତ୍ୟୁ ନେଇ କୌଣସି ବକ୍ତବ୍ୟ ରଖିନାହାନ୍ତି।
ମାସୁଦ୍ ଅଝାରର ମାର୍ଚ୍ଚ ୨ ତାରିଖ ଦିନ ପାକିସ୍ତାନୀ ସେନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଛି ବୋଲି ଭାରତ ସମେତ ଅନ୍ୟ ଦେଶର ପ୍ରମୁଖ ଗଣମାଧ୍ୟମଗୁଡିକରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯକୃତ କର୍କଟ (ଲିଭର କ୍ୟାନସର)ରେ ପୀଡ଼ିତ ମାସୁଦ ଆଝାରର ଇସାଲାମାବାଦରେ ଥିବା ପାକିସ୍ତାନର ଏକ ଆର୍ମି ହସ୍ପିଟାଲରେ ମୁତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ମାସୁଦ୍ର ମୁତ୍ୟୁକୁ ନେଇ ହଜାର ହଜାର ସଂଖ୍ୟାରେ ଖବର ଆସୁଛି। ତେବେ, ଏନେଇ ଅଦ୍ଭୁତପୂର୍ବ ନିରବତା ଅବଲମ୍ବନ କରିଛି ପାକିସ୍ତାନ। ମାସୁଦ୍ର ମୁତ୍ୟୁ ଖବରକୁ ସ୍ୱୀକାର କରିନାହିଁ କି ଆନୁଷ୍ଠାନିକ ଭାବେ ଖଣ୍ଡନ ମଧ୍ୟ କରି ନାହିଁ। ପାକିସ୍ତାନର ଏପ୍ରକାର ଆଭିମୁଖ୍ୟ ଫଳରେ ମାସୁଦ୍ ଅଝାରର ମୁତ୍ୟୁ ଖବରକୁ ସୃଷ୍ଟି ହୋଇଛି ପ୍ରହେଳିକା।
ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ସିଏନ୍ଏନ୍କୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ମାସୁଦ ଆଝାର ପାକିସ୍ତାନରେ ଅଛି। ଏବଂ ସେ ଗୁରୁତର ରୋଗରେ ପୀଡିତ ହେବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଛି। ତେବେ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାସୁଦ ଅଝାର ବାଲାକୋଟ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା କୁହାଯାଉଛି।
ତେବେ ଭାରତର ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାସୁଦ ମୁତ୍ୟୁ ଖବର ପାକିସ୍ତାନର ଏକ ଚାଲ। କାରଣ ପୁଲୱାମା ଆକ୍ରମଣ ପରେ ଭାରତ ସମେତ ପୂରା ବିଶ୍ୱରେ ଜୈସ-ଏ-ମହମ୍ମଦ ଓ ମାସୁଦ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ଉପରେ ଚାପ ପଡି ଆସୁଥିଲା। ତେଣୁ ଏଥିରୁ ମୁକୁଳିବା ପାଇଁ ପାକିସ୍ତାନ ମାସୁଦ ମୃତ୍ୟୁର ମିଛ ଖବର ପ୍ରଚାର କରୁଛି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।
ଏପରି ସମୟରେ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଦାବି କରିଛି ଯେ ତା’ର ମୁଖିଆ ମାସୁଦ୍ ଆଝାର ଜୀବିତ ଅଛି। ତେଣୁ, ଏ ପ୍ରକାରର ଗୋଳମାଳିଆ ସ୍ଥିତିରେ ଏହି ଖବରର ସତ୍ୟତା ଅନୁଧ୍ୟାନ ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।