ମାଲକାନଗିରି, ୧୯ା୬ (ସନ୍ଧାନ ନିୟୁଜ) ଅଭିନବ ଉପାୟରେ ଏକ ବୋଲେରୁ ପିକକ ଭ୍ୟାନରେ ଗଞ୍ଜେଇ ଚିତ୍ରକୋଣ୍ଡା ଠାରୁ ଅନୁଗୁଳ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ସମୟରେ ମୁଦୁଲିପଡା ଥାନା ପୁଲିସ ଜବତ କରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉକରି ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ କାରି ମାନଙ୍କୁ ଗିରଫ କରିବାସହିତ କୋଟି କୋଟି ଟଙ୍କାର ଗଞ୍ଜେଇ ଇତି ମଧ୍ୟରେ ଜବତ ହୋଇସାରିଛି। ଚିତ୍ରକୋଣ୍ଡା ଠାରୁ ଏକ ଗଞ୍ଜେଇ ବୋଝେଇ ବୋଲେରୁ ପିକ୍କ ଭ୍ୟାନ ବାଲିମେଳା ରାସ୍ତାଦେଇ ଆସୁଥିବାର ମୁଦୁଲିପଡା ଥାନା ପୁଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଡା ଘାଟ ରାସ୍ତା ଛକ ନିକଟରେ ଗତକାଲି ରାତ୍ରରେ ଜଗି ରହିଥିଲେ ଘାଟି ରାସ୍ତାରୁ ଉକ୍ତ ଭ୍ୟାନ ଟି ତଳକୁ ଖସୁଥିବା ସମୟରେ ପୁଲିସ ସେ ଗାଡିକୁ ଅଟକାଇ ଜାଞ୍ଚ କରିଥିଲେ। ଜାଞ୍ଚ କରିବାରୁ ସ୍ୱତନ୍ତ୍ର ଭାବେ ଗାଡି ସିଟ ତିଆରି କରାଯାଇ ସେଥିରେ ଗଞ୍ଜେଇ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ। ଗାଡିରେ ଥିବା ଜଣେ ବ୍ୟକ୍ତିକୁ ଗିରଫ କରି ଗଞ୍ଜେଇ ଭ୍ୟାନକୁ ଜବତ କରି ମୁଦୁଲିପଡା ଥାନାକୁ ନେଇଯାଇଥିଲେ। ଆଜି ସକାଳେ ଜବତ ଗଞ୍ଜେଇ ଗୁଡିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଓଜନ କରିଥିଲେ। ୧୬ଟି ପ୍ଲାଷ୍ଟିକ ବସ୍ତାରେ ୪୭୭.୪୫୦ କେଜି ଉନ୍ନତମାନର ଗଞ୍ଜେଇ ମିଳିଥିଲା।
ଗିରଫ ହୋଇଥିବା ରଜିଂତ କୁମାର ଗଡନାୟକ(୩୨) ତାଙ୍କ ନିଜ ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଣ୍ଣଗୁଡା ଗ୍ରାମରେ। ସେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ବୋଝେଇ କରି ଅନୁଗୁଳୁ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଜବତ ଗଞ୍ଜେଇର ମୂଲ୍ୟପ୍ରାୟ ୨୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଚୋରା ଗଞ୍ଜେଇ ଚାଲାଣକାରୀ ରଜିଂତ ଗଡନାୟକଙ୍କୁ ଗିରଫ କରି ମୁଦୁଲିପଡା ଥାନା ପୁଲିସ ଆଜି ମାଲକାନଗିରି କୋର୍ଟକୁ ଚାଳାଣ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରୀଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରା ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରିବେରେ ସଫଳ ହେଉଛନ୍ତି।