ମାଲକାନଗିରି: ନକ୍ସଲ ନୂଆ ରଣନୀତି , ରିମୋଟ୍‌ରେ ବିସ୍ଫୋରଣ ପାଇଁ ଯୋଜନା

Spread the love

ମାଲକାନଗିରି  (ସନ୍ଧାନ ନିୟୁଜ) : ମାଲକାନଗିରି ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ର ଏବଂ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ନୂଆ ରଣନୀତି କରିଛନ୍ତି। ଛତିଶଗଡ ପୁଲିସ ହାତରେ ଲାଗିଥିବା କିଛି କାଗଜପତ୍ରରୁ ଏହାର ପ୍ରମାଣ ମିଳିବା ପରେ ସୁରକ୍ଷା ବାହିନୀର ଚିନ୍ତା ବଢ଼ି ଯାଇଛି।

ଏହି ନୂଆ ରଣନୀତି ଅନୁଯାୟୀ ବାଇକ୍‌ରେ ଛୋଟ ଛୋଟ ଦଳ ହୋଇ କମ୍ବିଂ ଅପରେସନ୍‌ରେ ଯାଉଥିବା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବେ। ପାଦଚଲା ସଂକୀର୍ଣ୍ଣ ଜଙ୍ଗଲିଆ ରାସ୍ତାରେ ବୋମା ଖଞ୍ଜି ଦୂରରୁ ତାହାକୁ ବିସ୍ଫୋରଣ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ତାର ବିଛାଇବାକୁ ବି ପଡ଼ିବ ନାହିଁ। ସବୁ କାମ ରିମୋଟ୍‌ କଣ୍ଟ୍ରୋଲରେ ହିଁ ନିୟନ୍ତ୍ରିତ ହେବ ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଯଦି ନକ୍ସଲଙ୍କ ଏହି ଯୋଜନା ସଫଳ ହୁଏ ତାହାହେଲେ ସୁରକ୍ଷା ବାହିନୀ ପାଇଁ ଅପରେସନ ଅଧିକ କଷ୍ଟକର ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ଦୁର୍ଗମ ଅଞ୍ଚଳକୁ ପୂର୍ବରୁ ସୁରକ୍ଷା କର୍ମୀ ୪ଚକିଆ ଗାଡ଼ିରେ ଅପରେସନରେ ଯାଉଥିଲେ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଯବାନ୍‌ମାନେ ଛୋଟଛୋଟ ଦଳରେ ବିଭକ୍ତ ହୋଇ ବାଇକ ଧରି ପଶୁଥିଲେ। ଯାହାଫଳରେ ନକ୍ସଲଙ୍କୁ କ୍ୟାମ୍ପ ଛାଡ଼ି ଯିବା ପାଇଁ ସମୟ ମିଳୁନଥିଲା।

ଏହାପରେ ପୁଲିସର ପରିବର୍ତିତ ରଣନୀତିର ମୁକାବିଲା କରିବା ପାଇଁ ବହୁ ଦିନ ହେଲା ଟପ୍‌ କ୍ୟାଡର ନକ୍ସଲ ଯବାନଙ୍କ ଗତିରୋଧ ପାଇଁ ଯୋଜନା କରି ଚାଲିଥିଲେ। ଶେଷରେ ସେମାନଙ୍କୁ ନୂଆ ଉପାୟ ମିଳି ଯାଇଛି।

ବାଇକ ତଥା କାରରେ ଲାଗୁଥିବା ସତର୍କ ଆଲାର୍ମକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହି ଆଲାର୍ମ ଲାଗିଥିବା ଗାଡ଼ିକୁ କେହି ସ୍ପର୍ଶ କଲେ ତାହା ବାଜିବାକୁ ଲାଗିଥାଏ। ରିମୋଟ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଦୂରରୁ ତାହାକୁ ଯେ କେହି ବି ବନ୍ଦ କରିପାରିବ। ତେଣୁ ଏହି ମେସିନକୁ ଆଣି ସେଥିରେ କିଛି ପରିବର୍ତନ କରି ବିସ୍ଫୋରକ ଲଗାଇଲେ ମାଟି ତଳେ ପୋତି ଦିଆଯିବ। ତାର କିମ୍ବା ଡିଟୋନେଟର ଆବଶ୍ୟକ ହେଉ ନଥିବା ବେଳେ ଛୋଟ ଛୋଟ ଦଳ ହୋଇ ଯାଉଥିବା ଯବାନଙ୍କୁ ଅତି ସହଜରେ ଟାର୍ଗେଟ କରାଯାଇପାରିବ। କେବଳ ଶହେ ମିଟର ଦୂରରୁ ରିମୋଟରେ ସୁଇଚ୍‌ ଟିପିଲେ ସବୁ କାମ ହୋଇଯିବ।

ସେହିପରି ବାଇକରେ ବି ବିସ୍ଫୋରକ ଲଗାଇ ତାହାକୁ ରିମୋଟ କଣ୍ଟ୍ରୋଲରେ ବିସ୍ଫୋରଣ କରିବାକୁ ନକ୍ସଲ ଷଡ଼ଯନ୍ତ୍ର କରିଛନ୍ତି।

ଏହି ଖବରକୁ ବସ୍ତର ପୁଲିସ ଆଇଜି ବିବେକାନନ୍ଦ ସିହ୍ନା ସ୍ୱୀକାର କରିଛନ୍ତି। ତେବେ, ଏହା ସତ ହେଲେ ଏହା ମାଲକାନଗିରି ସମେତ ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲା ପାଇଁ ଏକ ନୂଆ ଆହ୍ଵାନ ସୃଷ୍ଟି ହେବାର ସମ୍ଭାବନା ରହିଛି।

Related Posts

About The Author

Add Comment