ମହାପ୍ରଭୁଙ୍କ ମହାସ୍ନାନ ସଂପନ୍ନ: ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

Spread the love

ରାତି ସାଢ଼େ ୭ରୁ ସାଢ଼େ ୯ଟା ଯାଏ ସାହାଣମେଲା ଦର୍ଶନ ବ୍ୟବସ୍ଥା

ପୁରୀ, ୨୮/୬  (ସନ୍ଧାନ ନିୟୁଜ): ଆଜି ରଥଯାତ୍ରାର ଆଦ୍ୟପର୍ବ ପ୍ରସିଦ୍ଧ ସ୍ନାନଯାତ୍ରା ମହାସମାରୋହର ସହ ସଂପନ୍ନ ହୋଇଛି। ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ ହାତୀ ବେଶରେ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗୁରୁବାର ସକାଳୁ ନିର୍ଘଣ୍ଟ ମୁତାବକ ସମସ୍ତ ନୀତି ସମାପିତ ହୋଇଛି। ସକାଳ ସାଢ଼େ ୫ଟାରୁ ପହଣ୍ଡି ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନବେଦୀକୁ ଅଣାଯାଇଥଲା। ଏହାପରେ ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ମହାସ୍ନାନ କରାଯାଇଥିଲା। ଏହାପରେ ଗଜପତି ମହାରାଜା ଛେରା ପହଁରା ସଂପନ୍ନ କରିଥିଲେ। ଛେରାପହଁରା ପରେ ଶ୍ରୀଜିଉଙ୍କୁ ହାତୀବେଶ କରାଯାଇଥିଲା। ଭକ୍ତଙ୍କ ପାଇଁ ରାତି ସାଢ଼େ ୭ରୁ ସାଢ଼େ ୯ଟା ଯାଏ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ସ୍ନାନ ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟି ଲାଗି ଓ ଅନ୍ୟାନ୍ୟ ନୀତି ଶେଷ ହୋଇଥିଲା। ଏଥିସହ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯିବା ସହ ଆବଶ୍ୟକ ଲୁହାବାଡ଼ରେ ଅଚ୍ଛାଦିତ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସରସ୍ଥିତ ସୁନା କୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଗତକାଲି ଏହାର ଶୋଧ କାର୍ଯ୍ୟ ଶେଷ ହୋଇଥିଲା ।ଦେବସ୍ନାନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ଆଗରେ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି। ୪୨ ପ୍ଲାଟୁନ୍ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭକ୍ତମାନେ ଦର୍ଶନ ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ଵାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି। ପହଣ୍ଡି ଦର୍ଶନ ଟିକେଟ୍ ବିକ୍ରି ବି ବୁଧବାର ଠାରୁ ଆରମ୍ଭ ହୋଇଛି। ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ବୁଧବାରଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଗୁରୁବାର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

Related Posts

About The Author

Add Comment