ମହାନ୍ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନକାରୀ ପ୍ରଦତ୍ତ ଚିତ୍ର। ସମ୍ଭବତଃ ଏହା ସୁଚେଇ ଦେଉଛି ଉତ୍କଳଭୂମିକୁ ସମସ୍ତ ବାଧାବିପତ୍ତିରୁ ରକ୍ଷା କରିବାକୁ ସ୍ବୟଂ ବଳୀୟାରଭୂଜ ସତତ ପ୍ରସ୍ତୁତ। ଏହି ଅବକ୍ଷୟମୁଖୀ ଆକର୍ଷଣୀୟ କଳାକୃତିଟି ପୁରୀ ସହର ତିଆଡିସାହିରେ ଅବସ୍ଥିତ ପ୍ରାଚୀନ ଶଙ୍କରାନନ୍ଦ ମଠର ଭଗ୍ନ କାନ୍ଥରେ ଦୃଷ୍ଟିଗୋଚର ହୁଏ। ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କର କାଞ୍ଚି ଯୁଦ୍ଧଯାତ୍ରାର ସ୍ମାରକୀ ସ୍ବରୂପ, ଏହି ପ୍ରତିମା ଭୋଈବଂଶୀୟ କୌଣସି ନରେଶଙ୍କ ରାଜତ୍ବ କାଳରେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ସ୍ଥାନୀୟ ଜନଶୃତି କହେ। ମୂର୍ତ୍ତୀଟିରେ ଭଗବାନ ବଳଭଦ୍ର ଦଧିପାନ ପରେ କଉଡି ବଦଳରେ ନିଜ ରତ୍ନମୁଦ୍ରିକା ମାଣିକ ଗଉଡୁଣୀକୁ ଦାନକରୁଥିବାର ମନୋମୁଗ୍ଧକାରୀ ଦୃଶ୍ୟ ଚିତ୍ରିତ ହୋଇଛି। ଏହି ମନୋରମ ମୂର୍ତ୍ତୀ ଯେ କୌଣସି ଭକ୍ତକୁ ଜଗନ୍ନାଥପ୍ରେମରେ ରସାୟିତ କରିବ। ପ୍ରଶାସନ କିନ୍ତୁ ଏହି ବିରଳ ମୂର୍ତ୍ତୀ ତଥା ପ୍ରାଚୀନ ମଠର ରକ୍ଷଣାବେକ୍ଷଣ ପାଇଁ ଉଦାସୀନ। ମଠର ଧ୍ବଂସଗାମୀ ଅବସ୍ଥା ଦେଖି ମନ ବ୍ୟଥିତ ହୋଇଉଠେ। ଆଶା… ପୁନୋରୁଦ୍ଧାର ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବେ।
ମହାନ୍ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନକାରୀ ଚିତ୍ର
|
August 25, 2020 |