ନୂଆଦିଲ୍ଲୀ 27/7(ସନ୍ଧାନ ନିୟୁଜ): ଭୋଜନ ପରେ ଯାତ୍ରୀମାନଙ୍କ ଠାରୁ ଅଇଁଠା ଆଦି ସଂଗ୍ରହ କରି ନେବାକୁ ବିମାନ ପରିଚାରକମାନଙ୍କ ପରି ରେଳବାଇ କ୍ୟାଟେରିଙ୍ଗ୍ କର୍ମଚାରୀମାନେ ମଧ୍ୟ ଟ୍ରାସ୍ ବ୍ୟାଗ୍ ଧରି ବୁଲିବେ ବୋଲି ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଅଶ୍ୱିନୀ ଲୋହାନି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଯାତ୍ରୀମାନଙ୍କୁ ବିମାନ ଭଳି ଆରାମ ଦାୟକ ସୁବିଧା ଦେବାକୁ ଖାଦ୍ୟ ଠାରୁ ଭ୍ୟାକମ୍ ଶୌଚାଳୟ ଯାଏଁ ସବୁ ପ୍ରକାର ଏୟାର୍ଲାଇନ୍ ମଡେଲ୍ ଅନୁସରଣ କରୁଛି ରେଳବାଇ।
ଜୁଲାଇ ୧୭ ତାରିଖ ଦିନ ଉପଖଣ୍ଡସ୍ତରୀୟ ଅଧିକାରୀ ଓ ବୋର୍ଡ ମେମ୍ବରଙ୍କର ଏକ ବୈଠକରେ ଲୋହାନି କହିଛନ୍ତି ଯେ ଟେନ୍ଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପେଣ୍ଟ୍ରି କର୍ମଚାରୀମାନେ ଭୋଜନ ପରିବେଷଣ ପରେ ଅଇଁଠା ସଂଗ୍ରହ କରି ନେଇ ଆସିବେ। ଯେମିତି ଉଡ଼ାଜାହାଜରେ ହେଉଛି।
ଜଣେ ଅଧିକାରୀ କହିଛନ୍ତି କି, ଖାଇ ସାରିବା ପରେ ସାଧାରଣତଃ ଯାତ୍ରୀମାନେ ଭୋଜନ ପ୍ଲେଟ୍ ସବୁ ସିଟ୍ ତଳେ ଥୋଇ ଦିଅନ୍ତି ଓ ଗୋଟିକ ପରେ ଗୋଟିଏ ରଖି ପେଣ୍ଟ୍ରି କର୍ମଚାରୀମାନେ ସେ ସବୁ ନେଇ ଯାଆନ୍ତି। ବେଳେବେଳେ ସେଥିରୁ ଅଇଁଠା ଇଡ଼ି ଯାଇ ଡବା ଚଟାଣରେ ପଡ଼ିଯାଏ। ଯାତ୍ରୀମାନେ ମଧ୍ୟ କେତେବେଳେ କେମିତି କଦଳୀ ଚୋପା, ପ୍ୟାକେଟ୍ ଏବଂ ସେ ଭଳି ଅନେକ ଜିନିଷ ବର୍ଥ କିଂବା ଚଟାଣରେ ଫିଙ୍ଗି ଥାଆନ୍ତି।
ଏଭଳି ହେଲେ ପେଣ୍ଟ୍ରି କର୍ମଚାରୀମାନେ ପ୍ରତି ଯାତ୍ରୀଙ୍କ ପାଖକୁ ମୁଣାଟିଏ ଧରି ଯିବେ, ଯାତ୍ରୀମାନେ ସେଥିରେ ଉଚିଷ୍ଟ ଓ ଅନ୍ୟାନ୍ୟ ଅଳିଆ ପକାଇବେ।
ଲୋହାନୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଟ୍ରେନ୍ରେ ପେଣ୍ଟ୍ରି ନାହିଁ ସେଥିରେ ଅନ୍-ବୋର୍ଡ ହାଉସ୍କିପିଙ୍ଗ୍ କର୍ମଚାରୀମାନେ ଟ୍ରାସ୍ ବ୍ୟାଗ୍ ଧରି ବୁଲିବେ।
ଏବେ ଟ୍ରାସ୍ ବ୍ୟାଗ୍ ସବୁ ନିୟମିତ କ୍ୟାଟରିଙ୍ଗ୍ ଠିକା ନେଇଥିବା କ୍ୟାଟରର୍ଙ୍କ ଠାରେ ସାମିଲ କରାଯିବ।