ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍‌ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି

Spread the love

ଜେନାପୁର , ୨୭/୯ (ସନ୍ଧାନ ନ୍ୟୁଜ )ଦୀର୍ଘ ଦଶନ୍ଧି ଧରି ବ୍ରାହ୍ମଣୀର ଦୁଇ କୂଳରେ ବିଚ୍ଛିନ୍ନ ହୋଇ ରହିଥିବା ଧର୍ମଶାଳା ଓ ସୁକିନ୍ଦା ଅଞ୍ଚଳବାସୀଙ୍କ ଯୋଗାଯୋଗ ସ୍ୱପ୍ନ ଏବେ ବାସ୍ତବତାର ଦ୍ୱାରଦେଶରେ। ବ୍ରାହ୍ମଣୀ ନଦୀ ଉପରେ କଲାଣ୍ଡ ଠାରୁ ସୁକିନ୍ଦା ବ୍ଲକର ହାତିବାରିକୁ ସଂଯୋଗ କରୁଥିବା ଏକ ବିଶାଳ ହାଇଲେଭେଲ ସେତୁ ନିର୍ମାଣ ପାଇଁ ସରକାରୀ ଅନୁମୋଦନ ମିଳିଛି। ଦୀର୍ଘବର୍ଷର ପ୍ରତୀକ୍ଷା, ଦାବି ଓ ଆଶା ପରେ ଏହି ପ୍ରକଳ୍ପ ମଞ୍ଜୁର ହେବା ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ବିଭାଗୀୟ ପ୍ରକ୍ରିୟା ଶେଷ କରି ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବା ସହ ନିର୍ମାଣ କାର୍ଯ୍ୟ ଆଗେଇବ ବୋଲି ଜଣାପଡ଼ିଛି।

ବର୍ଷ ବର୍ଷ ଧରି ବ୍ରାହ୍ମଣୀ ନଦୀ ଏହି ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗର ଏକ ପ୍ରମୁଖ ପ୍ରତିବନ୍ଧକ ହୋଇ ରହିଛି। ନଦୀ ପାରି ହେବା ପାଇଁ ଦେଶୀ ଡଙ୍ଗା ହିଁ ଲୋକଙ୍କ ଏକମାତ୍ର ଭରସା। ଛାତ୍ରଛାତ୍ରୀଙ୍କ ଶିକ୍ଷା, ରୋଗୀଙ୍କ ଚିକିତ୍ସା, ଚାଷୀଙ୍କ କୃଷିକାର୍ଯ୍ୟ, ବ୍ୟବସାୟୀଙ୍କ ବ୍ୟବସାୟ ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ—ସବୁକ୍ଷେତ୍ରରେ ଏହି ନଦୀ ପାରାପାର ଏକ ବଡ଼ ସମସ୍ୟା ସୃଷ୍ଟି କରିଆସୁଛି। ବିଶେଷକରି ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇଲେ ଡଙ୍ଗାଯାତ୍ରା ଅଧିକ ଜୁଆଁପୂର୍ଣ୍ଣ ହୋଇପଡ଼ୁଛି।

ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଏହି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରକଳ୍ପର ବୈଷୟିକ ଦିଗକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା। ଡ୍ରୋନ୍‌ ସର୍ଭେ, ବନ୍ୟା ସର୍ଭେ, ଦୀର୍ଘବର୍ଷର ବନ୍ୟା ରେକର୍ଡ ବିଶ୍ଳେଷଣ, ହାଇଫ୍ଲଡ୍‌ ଲେଭେଲ ନିର୍ଦ୍ଧାରଣ ଓ ମାଟି ପରୀକ୍ଷା ଆଦି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହାପରେ ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ ବିଭାଗୀୟ ଅନୁମୋଦନ ପ୍ରକ୍ରିୟା ଆଗେଇଥିଲା।

ନିର୍ମାଣ ସୌଧ ଚିଫ୍‌ ଇଞ୍ଜିନିୟରଙ୍କ ଚିଠି ନମ୍ବର ୩୦୪୯୪, ତାରିଖ ୧୯/୮/୨୦୨୬ ଅନୁଯାୟୀ ଆରଏଫ୍‌ପି ଆଇଡେଣ୍ଟିଫିକେସନ ନମ୍ବର ସିଇ ବ୍ରିଜେଶ୍‌ ୧୦/୨୬ ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଛି। ପାଣିକୋଇଲି ଆର୍‌ଆଣ୍ଡବି ଡିଭିଜନ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ସେତୁର ମୋଟ ଲମ୍ବ ୧୬୩୯.୯୨ ମିଟର ରହିବ। ସେତୁ ସହିତ ଆପ୍ରୋଚ୍‌ ରୋଡ୍‌ ମଧ୍ୟ ନିର୍ମାଣ କରାଯିବ। ସମଗ୍ର ପ୍ରକଳ୍ପ ପାଇଁ ପ୍ରାୟ ୧୭୯.୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାର ଲକ୍ଷ୍ୟ ରହିଛି।

ଏହି ସେତୁ ନିର୍ମାଣ ହେଲେ ଧର୍ମଶାଳା ଓ ସୁକିନ୍ଦା ମଧ୍ୟରେ ଯୋଗାଯୋଗର ନୂଆ ଅଧ୍ୟାୟ ଆରମ୍ଭ ହେବ। ବର୍ତ୍ତମାନ ସୁକିନ୍ଦା ବ୍ଲକକୁ ଯିବା ପାଇଁ ପ୍ରାୟ ୨୫ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ବୁଲି ଚଣ୍ଡିଖୋଲ–ଢୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଦେଇ ଯିବାକୁ ପଡ଼ୁଛି। ଫଳରେ ଲୋକଙ୍କର ଅତିରିକ୍ତ ସମୟ ଓ ଅର୍ଥ ବ୍ୟୟ ହେଉଛି। ପ୍ରସ୍ତାବିତ ସେତୁ ଏହି ଦୂରତାକୁ ଅନେକାଂଶରେ କମାଇବା ସହ ଦୁଇ ବ୍ଲକର ଲୋକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗର ଦ୍ୱାର ଖୋଲିବ।

ଉଲ୍ଲେଖଯୋଗ୍ୟ, ରେକର୍ଡରେ ସେତୁଟି ମଞ୍ଜୁରୀପଡ଼ାଠାରୁ ହାତିବାରି ନାମରେ ଉଲ୍ଲେଖ ରହିଥିଲେ ମଧ୍ୟ ଧର୍ମଶାଳା ବ୍ଲକର କଲାଣ୍ଡ ଠାରୁ ବଞ୍ଜା ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଏହା ଫଳରେ ଉଭୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଯୋଗାଯୋଗ ଆହୁରି ସୁଦୃଢ଼ ହେବାର ଆଶା ରହିଛି।

କେବଳ ଯାତାୟାତ ନୁହେଁ, ଏହି ସେତୁ ନିର୍ମାଣ ହେଲେ ରୋଗୀଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ସହଜ ହେବା ସହ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଅଞ୍ଚଳର ଯୋଗାଯୋଗ ମଧ୍ୟ ଆହୁରି ସୁଗମ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଓ ରୋଜଗାର କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

ଦୀର୍ଘବର୍ଷର ପ୍ରତୀକ୍ଷା ପରେ ବ୍ରାହ୍ମଣୀ ଉପରେ ସେତୁ ନିର୍ମାଣ ପାଇଁ ମିଳିଥିବା ଅନୁମୋଦନକୁ ନେଇ ଅଞ୍ଚଳରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଥିବା ବେଳେ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସାରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Related Posts

About The Author

Add Comment