ବାରିପଦା, ୧୪.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସ୍ଥାନୀୟ ବାରିପଦା ସମନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟର ଜନୈକ ଯନ୍ତ୍ରୀ କୁଆଡେ ଠିକାଦାରଙ୍କ ଦସ୍ତଖତକୁ ଜାଲ କରି ପାଖାପାଖି ସାଢ଼େ ୪ଲକ୍ଷ ଟଙ୍କା ଉଠାଇ ନେଇଥିବା ସଂପର୍କରେ ବାରିପଦା ଟାଉନ ଥାନାରେ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ୨୨ ନମ୍ବର ୱାର୍ଡ ରଘୁନାଥପୁରର ଠିକାଦାର ତପନ କୁମାର ହାବୋଡାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗକ୍ରମେ ଥାନାରେ ଗୁରୁବାର ରାତି ସାଢ଼େ ୧୦ ଟା ସମୟରେ ୪୪୦/୨୦ ନମ୍ବରର ଏକ ମାମଲା ଆଇପିସିର ୪୧୯,୪୨୦ ଓ ୪୬୮ ଦଫାରେ ରୁଜୁ ହୋଇଥିଲା ସହ ସଂସ୍ଥାର ଜୁନିୟର ଇଂଜିନିୟର ସନ୍ତୋଷ କୁମାର ହାସ ସଂସ୍ଥାର ଜୁନିୟର ଇଂଜିନିୟର ସନ୍ତୋଷ କୁମାର ଦସ ଅଭିଯୁକ୍ତ ଥିବା ପ୍ରକାଶ । ଏହି ମାମଲାରେ ଟାଉନ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଚାଲିଥିଲେ ସୁଦ୍ଧା ଏସଆଇ ବଦ୍ରିକାନାଥ ବେହେରା ସ୍ବତନ୍ତ୍ରଭାବେ ତଦନ୍ତ ଅଧିକାରୀଭାବେ ନିୟୋଜିତ ହୋଇଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଏକ ଶହ ଶଯ୍ୟା ବିଶିଷ୍ଟ ଜନଜାତି ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୨୦୧୩ ଡିସେମ୍ବର ୯ ତାରିଖରେ ୫୫୧୩ ନମ୍ବର କାର୍ୟ୍ୟାଦେଶ ନେଇ ଅଭିଯୋଗକାରୀ ଠିକାଦାର ଶ୍ରୀହାବୋଡାଙ୍କ ଦ୍ଵାରା ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା ଏବଂ ଏହାର ନିର୍ମାଣ କାର୍ୟ୍ୟର ଏଷ୍ଟିମେଣ୍ଟ ପରିମାଣ ୧୫୨ ଲକ୍ଷ ଟଙ୍କା ଥିଲା ବେଳେ ଟେଣ୍ଡରର ପରିମାଣ ୧୨୦୮୮ ଲକ୍ଷ ଟଙ୍କା ଥିଲା ପ୍ରକାଶ । କେତେକ ବିଲରେ ତାଙ୍କର ସ୍ବାକ୍ଷର ଜାଲ କରାଯାଇ ପାଖାପାଖି ସାଢ଼େ ୪ ଲକ୍ଷ ଟଙ୍କା ଉଠାଯାଇଥିଲେ ସୁଦ୍ଧା ତାଙ୍କୁ ତାହା ପୈଠ କରାଯାଇ ନଥିଲା ବୋଲି ଦର୍ଶାଯାଇଛି । ଏହି ଅଭିଯୋଗ ମାମଲାରେ ତଦନ୍ତ ସଂପୂର୍ଣ୍ଣ ଭାବେ କାଗଜ ପତ୍ର ଉପରେ ପର୍ୟ୍ୟବେସିତ ଥିବାରୁ ସଂପୃକ୍ତ ବିଲ୍ ସମେତ କାଗଜ ପତ୍ରମାନ ଆଦି ଜବଦ ପାଇଁ ପୋଲିସ ପକ୍ଷରୁ ଆଇଟିଡିଏରେ ପିଏଙ୍କୁ ଲେଖାଯାଇଛି ଏବଂ ସେଗୁଡିକୁ ମିଳିବା ପରେ ସେଥିରେ ଥିବା ହସ୍ତାକ୍ଷର ଗୁଡିକ ଯାଞ୍ଚ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଶ୍ରୀସେନାପତିଙ୍କଠାରୁ ପ୍ରକାଶ ।
ବାରିପଦା ଆଇଟିଡିଏରେ ଠିକାଦାରଙ୍କ ଜାଲ ସ୍ବାଷରରେ ୪.୫ ଲକ୍ଷ ଟଙ୍କା ହଡପନେଇ ପୋଲିସ ମାମଲା
|
July 14, 2020 |