ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ : ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଂସଦରେ ମିଳୁନି ଜାଗା

Spread the love

ଭୁବନେଶ୍ୱର, ୭ା୯, (ସନ୍ଧାନ ନିୟୁଜ) କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଅଥଚ ପାଇକ ବିଦ୍ରୋହର ମହାନ୍ ଯୋଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ବସିପାରୁନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନ୍ୟତମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ପାଇକ ବିଦ୍ରୋହର ମହାନ୍ ଯୋଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ବସାଇବା ଲାଗି ରାଜ୍ୟ ସରକାର କେବେ ପ୍ରସ୍ତାବ ଦେଇଥିଲେ ଏବଂ ସେଠାରେ ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, କିଟ୍ଟୁର୍ ରାଣୀ ଚେନ୍ନାମା, ମହାତ୍ମା ବାସବେଶ୍ୱର ଆଦିଙ୍କ ଘୋଡ଼ା ଉପରେ ବସିଥିବା ସଶସ୍ତ୍ର ପ୍ରତିମୂର୍ତ୍ତିମାନ ରହିଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସଂକ୍ରାନ୍ତରେ କି ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି ଯେ ପାଇକ ବିଦ୍ରୋହର ମହାନ୍ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ଘୋଡ଼ାରେ ବସିଥିବା ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନ କରିବା ପାଇଁ ୨୦୦୪ ମସିହାରେ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେଠାରେ ସ୍ଥାନାଭାବ ଦର୍ଶାଇ ପ୍ରତିମୂର୍ତ୍ତି ସ୍ଥାପନ କମିଟି ବକ୍ସି ଜଗବନ୍ଧୁଙ୍କର ୯ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପ୍ରସ୍ତାବ ଦେଇଥିଲେ। ୨୦୦୮ ମସିହାରେ ବକ୍ସିଙ୍କର ଘୋଡ଼ାରେ ବସିଥିବା ଶରୀର ଏକ ପ୍ରତିମୂର୍ତ୍ତିକୁ ସଂସଦ ଭବନ ପରିସରରେ ସ୍ଥାପନ ଲାଗି କର୍ତ୍ତୃପକ୍ଷ ପୁନଃବିଚାର କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ ମଧ୍ୟ ଏ ଦିଗରେ କୌଣସି ଉତ୍ତର ସଂସଦ କର୍ତ୍ତୃପକ୍ଷଙ୍କ ଠାରୁ ମିଳିନାହିଁ। ଏ ବିଷୟରେ ରାଜ୍ୟ ସରକାର ପାର୍ଲାମେଣ୍ଟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରୁଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

ବକ୍ସି ଜଗବନ୍ଧୁଙ୍କ ଉତ୍ତୋଳିତ ତରବାରୀ ସହ ଘୋଡ଼ା ଉପରେ ବସିଥିବା ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସଂସଦ ସଚିବାଳୟ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବା ସହ ମାନବ ସମ୍ବଳ ବିଭାଗ ମନ୍ତ୍ରୀଙ୍କ ଘୋଷଣା ମୁତାବକ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପାଠ୍ୟପୁସ୍ତକରେ ତୁରନ୍ତ ସ୍ଥାନିତ କରିବା ଲାଗି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି। ଏ ଦିଗରେ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ସାଂସଦ, ଦୁଇଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଧ୍ୟାନ ଦେବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି।

Related Posts

About The Author

Add Comment