ପଲ୍ଲୀଗଡ଼ ଏକ ଅନାଲୋଚିତ ଇତିହାସ

Spread the love

ଷଣ୍ଢ ବଂଶୀୟ ସାମନ୍ତ ଜମିଦାରମାନଙ୍କ ଦ୍ବାରା; ପଲ୍ଲୀଗଡ଼, ରୋମିତଗଡ଼, ପାରାଦ୍ବୀପଗଡ଼, ଗଡ଼କୁଜଙ୍ଗ, ଧୋବେଇଗଡ଼, କାଙ୍କଡ଼ିଆଗଡ଼, ଆମ୍ବିକଗଡ଼, ଅଳିଗଡ଼ ପ୍ରଭୃତି ୮ଗୋଟି ଅଂଚଳକୁ ନେଇ କୁଜଙ୍ଗ ଇଷ୍ଟେଟ୍ ଗଠିତ ହୋଇଥିଲା l ଏହି ସାମନ୍ତ ଜମିଦାରମାନେ ନିଜକୁ ରାଜା ଭାବେ ପ୍ରଜାଙ୍କ ନିକଟରେ ପ୍ରତିପାଦନ କରୁଥିଲେ l ୭ମ ଶତାବ୍ଦୀରେ ଓଡ଼ିଶା (୬୩୯ଖ୍ରୀଷ୍ଟାବ୍ଦରେ) ଆସିଥିବା ଚୀନ ପରିବ୍ରାଜକ ହୁଏନସାଂ ତାଙ୍କ ପରିଭ୍ରମଣ ପୁସ୍ତକ ‘Wa-Cha’ ରେ କୁଜଙ୍ଗ ନାମ ଉଲ୍ଲେଖ କରିଛନ୍ତି l

ଏଠିକାର ଅଧିବାସୀମାନେ ମୁଖ୍ୟତଃ ବୃତ୍ତିଗତ ଭାବେ ଜଳଦସ୍ୟୁ ଥିଲେ l ସେମାନଙ୍କ ସାମାଜିକ ବ୍ୟବସ୍ଥା ଅନ୍ୟ ଅଚଂଳ ଲୋକଙ୍କ ଠାରୁ ଭିନ୍ନ ଥିଲା l ମତ୍ସଜୀବୀ ଗୋଷ୍ଠୀମାନଙ୍କ ଦଳପତି ବା ମୁଖିଆମାନଙ୍କ ଦ୍ବାରା ଅଂଚଳଟି ପରିଚାଳିତ ହେଉଥିଲା l ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିକୋଣରୁ କୁଜଙ୍ଗ ଅଂଚଳରେ ବୌଦ୍ଧ ଧର୍ମ ପ୍ରଭାବ ବିସ୍ତାର କରିଥିଲା ବୋଲି ଜଣାପଡ଼େ l ଯାହାକି, ୭ମଷ୍ଠ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀରେ ମଧ୍ୟରେ ପ୍ରସିଦ୍ଧ ଲାଭ କରିଥିବା ଲଳିତଗିରି ବୌଦ୍ଧୀୟ ମଠ ସଭ୍ୟତାର ସମସାମୟିକ ଅଟେ l ପାରାଦ୍ବୀପଗଡ଼ସ୍ଥ ଲୋକନାଥ ମନ୍ଦିରରେ ପୂଜିତ ହେଉଥିବା ବିଷ୍ଣୁ ପ୍ରତିମା ବାସ୍ତବତଃ, ବୌଧିସତ୍ତ୍ବ ଅବଲୋକିତଶ୍ବର l ଯାହା; ବୌଦ୍ଧଧର୍ମୀୟ l ସେହିପରି ଭାବେ ରାମନଗରଠାରେ ରୋମିତଗଡ଼ ରାଜାଙ୍କ ଦ୍ବାରା ପ୍ରତିଷ୍ଠିତ ହେଇଥିବା ସମୁଦ୍ରନୈକା ଦେବୀ ରାମଚଣ୍ଡୀ ମଧ୍ୟ ବୌଦ୍ଧଧର୍ମୀୟ ବୋଲି ଜଣାଯାଏ l
ପ୍ରତ୍ଯେକ ଗଡ଼ ଜଣେ ଜଣେ ମୁଖିଆଙ୍କ ଦ୍ବାରା ପରିଚାଳିତ ହେଉଥିଲା l ସେମାନେ ରାଜା ଭଳି ଜୀବନଯାପନ କରୁଥିଲେ l ରୋମିତ ଓ ପଲ୍ଲୀଗଡ଼ ଗୋଖା ମୁଖ୍ୟଙ୍କ ଅଧିନସ୍ଥ ଥିଲା l  ଅନ୍ଯ ଗଡ଼ଗୁଡ଼ିକ କୈବର୍ତ୍ତ ମୁଖିଆମାନଙ୍କ ଦ୍ବାରା ପରିଚାଳିତ ହେଉଥିଲା l ସେମାନଙ୍କ ମଧ୍ୟରେ କୁଜଙ୍ଗଗଡ଼ ଶକ୍ତିଶାଳୀ ଥିଲା l ସମୟ କ୍ରମେ କୁଜଙ୍ଗଗଡ଼ ସମସ୍ତଙ୍କ ଉପରେ ସାର୍ବଭୌମତ୍ବ ବିସ୍ତାର କରି କୁଜଙ୍ଗ ଇଷ୍ଟେଟ୍(ରାଜ୍ୟ) ପ୍ରତିଷ୍ଠା ଲାଭ କରିପାରିଥିଲା l ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ରାଜତ୍ବରେ(ଖ୍ରୀଷ୍ଟାବ୍ଦ ୧୨୧୧-୩୮) କୁଜଙ୍ଗ ସାମନ୍ତ ରାଜ୍ୟର ମାନ୍ୟତା ପାଇ ପାରିଥିଲା ଓ ପରବର୍ତ୍ତୀ କାଳରେ ଗଜପତି କପିଳେନ୍ଦ୍ର ଦେବଙ୍କ (ଗୋପିନାଥପୁର ଶିଳାଲିପି, ଲିଂଗରାଜ ମନ୍ଦିର ଶିଳାଲେଖ-୧୪୩୬ ଖ୍ରୀଷ୍ଟାବ୍ଦ) ସାର୍ବଭୌମତ୍ବକୁ ଗ୍ରହଣ କରିଥିଲା l ୧୬ଶହ ଶତାବ୍ଦୀର ମଧ୍ୟଭାଗରେ ବଂଗଳା ନବାବ ସୁଲେମାନ କରଣୀ(ଆଫଗାନ) ନିର୍ଦ୍ଦେଶରେ ସେନାପତି କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଜଗନ୍ନାଥ ମନ୍ଦିର ଭାଙ୍ଗି ଦେଇଥିଲା l ପୂଜକମାନେ ଶ୍ରୀଜଗନ୍ନାଥଙ୍କ କାଷ୍ଠ ପ୍ରତିମାକୁ ସମୁଦ୍ରରେ ଭସାଇ ଦେଇଥିଲେ l କାଷ୍ଠ ପ୍ରତିମାଟି ଭାସିଆସି କୁଜଙ୍ଗ ସମୁଦ୍ର କୂଳରେ ଲାଗିଥିଲା l ବିଶର ମହାନ୍ତି ନାମକ ଜଣେ ଜଗନ୍ନାଥ ଭକ୍ତ ପ୍ରତିମାକୁ ପାଇ କୁଜଙ୍ଗ ରାଜା ଅନନ୍ତ ନରେନ୍ଦ୍ର ସାମନ୍ତକୁ ପ୍ରଦାନ କଲେ l ରାଜା ଜଗନ୍ନାଥଙ୍କ ନୂତନ କାଷ୍ଠ ପ୍ରତିମା ତିଆରି କରି, ସେଥିରେ ସଂଗୃହୀତ ବହ୍ମମଣିକୁ ସ୍ଥାପନ କଲେ l ଏହା କୁଂଜବିହାରୀ ନାମରେ ଖ୍ୟାତ ହେଲା ଓ ଧାର୍ମିକ ସ୍ଥଳ ଭାବେ ନୂତନ ପରିଚୟ ପାଇ ପାରିଥିଲା l ପରବର୍ତ୍ତୀ ସମୟରେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବ (୧୫୮୮ ଖ୍ରୀଷ୍ଟାବ୍ଦ) ପ୍ରତିମାକୁ ବହୁ ଆଡ଼ମ୍ବର ସହିତ ପୁରୀକୁ ଫେରାଇ ନେଇଥିଲେ l
୧୫୭୬ ଖ୍ରୀଷ୍ଟାବ୍ଦରେ ମୋଗଲମାନଙ୍କ ଦ୍ବାରା ଓଡ଼ିଶା ଅଧିକୃତ ହେଲା l  ପ୍ରଥମେ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବ ମୋଗଲମାନଙ୍କ ବଶ୍ଯତା କରିବାରୁ, ମୋଗଲ ପାରିଷଦବର୍ଗ ତାଙ୍କୁ ସବୁଠାରୁ ସମ୍ମାନଜନକ ମହାରାଜ(୩୫୦୦ ଅଶ୍ବାରୋହୀଙ୍କ ସେନାପତି) ଉପାଧି ପ୍ରଦାନ କଲେ l ସ୍ବତଃ ପ୍ରବୃତ୍ତ ଭାବେ ଖୋର୍ଦ୍ଧା ରାଜାଙ୍କ ଅଧିନସ୍ଥ ଜମିନଦାରି ଶାସକମାନେ ମୋଗଲ ସମ୍ରାଟଙ୍କ ଅଧିନସ୍ଥ ହୋଇଗଲେ l ଶକ୍ତିଶାଳୀ ମୁଖିଆ ମଲ୍ଲିକ ଷଣ୍ଢଙ୍କ ରାଜତ୍ବ ସମୟରେ ମୋଗଲମାନେ (୧୬୬୭ ଖ୍ରୀ.) କୁଜଙ୍ଗ ଆକ୍ରମଣ କରିଥିଲେ l ରାତ୍ରିର ସୁଯୋଗ ନେଇ ମଲ୍ଲିକ ଷଣ୍ଢଙ୍କ ଆମ୍ବିକଗଡ଼ସ୍ଥ ସୈନ୍ୟମାନେ, ଶୋଇଥିବାର ସୁଯୋଗ ନେଇ ମୋଗଲମାନଙ୍କୁ “ପଠାଣଡ଼ିଆ”ଠାରେ (ମଂଗରାଜପୁର ନିକଟସ୍ଥ) ହତ୍ଯା କଲେ ଓ ମୋଗଲମାନଙ୍କ ବୋଟ୍ ଓ ଯୁଦ୍ଧାସ୍ତ୍ର ଲୁଟି ନେଲେ l
ଏଠାରେ ମଲ୍ଲିକ ଷଣ୍ଢଙ୍କ ଜୀବନ ଉପରେ ଏଇ ଐତିହାସିକ ଆଲୋକପାତ କରିବା ସମୀଚୀନ ହେବ l କୁଜଙ୍ଗ ଇତିହାସରେ ମଲ୍ଲିକ ଷଣ୍ଢଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି l
ବାରବାଟୀ ଦୁର୍ଗର ଜଣେ ସେନାପତି ଦମ୍ପତ୍ତିଙ୍କ ସନ୍ତାନ ହେଉନ’ଥିବାରୁ, ଜଣେ ସାଧୁଙ୍କ ଶରଣାପନ୍ନ ହେଲେ l ରାଣୀଙ୍କୁ ଗୋଟିଏ ମଲ୍ଲୀଫୁଲ ଦେଇ ସାଧୁଜଣଙ୍କ କହିଲେ, ତୁମେ ଖୁବ୍ ଶୀଘ୍ର ପୁତ୍ର ସନ୍ତାନର ଜନନୀ ହେବ l ଶେଷରେ ରାଣୀ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ l ତାଙ୍କୁ ଶ୍ରଦ୍ଧାରେ ସମସ୍ତେ “ମଲିକ୍” ନାମରେ ଡାକିଲେ l  ଏକ ଯୁଦ୍ଧ କ୍ଷେତ୍ରରେ ମଲ୍ଲିକ, ସେନାପତି ପିତାଙ୍କୁ ହରାଇଲେ l ପାରମ୍ପରିକ ରୀତିରେ ମା’ ଅଗ୍ନିକୁଣ୍ଡରେ(ସତୀ) ଝାସ ଦେଲେ l ପିତାଙ୍କ ଜୀବିତ ଅବସ୍ଥାରେ ମଲ୍ଲିକ ଯୁଦ୍ଧ କୌଶଳରେ ପାରଙ୍ଗମ ହୋଇସାରି ଥିଲେ l ଖଣ୍ଡଯୁଦ୍ଧରେ ନିପୁଣ ଥିଲେ l ଇନ୍ଦ୍ରଜିତ ନାମକ ଅନ୍ୟ ଜଣେ ସେନାପତିଙ୍କ ପୁତ୍ର, ମଲ୍ଲିକଙ୍କ ମୁଖ୍ୟ ପ୍ରତିଦ୍ବନ୍ଦି ଥିଲା l ନିଜ ସେନାପତି ପିତାଙ୍କ ସାହାଯ୍ୟରେ ମଲ୍ଲିକକୁ ବାରବାଟୀ ଦୁର୍ଗରୁ ତଡ଼ି ଦେବା ପାଇଁ ଚାହୁଁଥିଲା l ଏହି କାରଣରୁ ମଲ୍ଲିକ, ମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ପାଇଁ ଯାଇଥିଲେ l ଦୁର୍ଭାଗ୍ୟବଶତଃ ମନ୍ତ୍ରୀ ସାକ୍ଷାତ ନ’ହେବାରୁ, ଫେରିବା ସମୟରେ ମନ୍ତ୍ରୀଙ୍କ ସ୍ତ୍ରୀ’ ଡାକିବାରୁ, ଅଭିଯୋଗଟିକୁ ମଲ୍ଲିକ ବଖାଣିଲେ l ନିକଟ ଉପସ୍ଥିତ ମନ୍ତ୍ରୀଙ୍କ ଝିଅ ମଲ୍ଲିକଙ୍କ ବାକଚାତୁରୀରେ ମୁଗ୍ଧ ହୋଇ ବିବାହ ପାଇଁ ମନସ୍ଥିର କଲା l ଅନ୍ଯପକ୍ଷରେ, ମନେ ମନେ ଗଭୀର ଭଲପାଉଥିବା, ଇନ୍ଦ୍ରଜିତର କଦର୍ଯ୍ୟ ବ୍ଯବହାର ମନ୍ତ୍ରୀ ଝିଅକୁ ଆଦୌଁ ଭଲ ଲାଗୁନ’ଥିଲା l ଅଧିକନ୍ତୁ; ଇନ୍ଦ୍ରଜିତ ଖଣ୍ଡାୟତ ଓ ଝିଅ କରଣ ଜାତିର ହୋଇଥିବାରୁ ମନ୍ତ୍ରୀ ସ୍ତ୍ରୀ’ ଇନ୍ଦ୍ରଜିତ ସହିତ ବିବାହ ଦେବାକୁ ମନା କରିଦେଲେ l ଏହି ବିଷୟକୁ ନେଇ ଦୁଇ ଯୋଦ୍ଧା ଭିତରେ ପ୍ରତିଦ୍ବନ୍ଦିତା ତିବ୍ରତାର ହେଲା l ଅନୁସରଣକାରୀ ସୈନ୍ଯ ବି’ ଦୁଇଭାଗ ହୋଇଗଲେ l ଦୁଇବର୍ଷ ଅତିକାନ୍ତ ହୋଇଯାଇ ଥିବାରୁ, ଇନ୍ଦ୍ରଜିତ ମନ୍ତ୍ରୀ ଝିଅକୁ ବିବାହ ନିମନ୍ତେ ଧର୍ଯ୍ୟହରା ହୋଇପଡ଼ିଲେ l ମନ୍ତ୍ରୀ ଝିଅକୁ ଅପହରଣ କରି ବିବାହ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି କାର୍ତ୍ତିକ ମାସର ଧବଳେଶ୍ଵର ବଡ଼ଓଷା ଦିନକୁ ଅପେକ୍ଷା କଲା l ଏକଥା ମଲ୍ଲିକ ନିଜର ଜଣେ ବିଶ୍ବସ୍ତ ସୈନ୍ୟଙ୍କ ଠାରୁ ଜାଣିପାରି ପ୍ରସ୍ତୁତ ରହିଲା l ଇନ୍ଦ୍ରଜିତ ମନ୍ତ୍ରୀ ପରିବାରକୁ ବଡ଼ଓଷା ଦିନ ଡଂଗାରେ ଧବଳେଶ୍ଵର ଶିବ ମନ୍ଦିର ନେଇ ଯିବା ବାଟରେ, ମଲ୍ଲିକ ନିଜର ବିଶ୍ବସ୍ତ ସୈନ୍ଯଙ୍କ ସହିତ ଅନ୍ଯ ଗୋଟିଏ ଡଂଗାରେ ମନ୍ତ୍ରୀ ପରିବାରକୁ ଅନୁସରଣ କରି ଆକ୍ରମଣ କରିଦେଲା l ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା l ଲଢ଼େଇରେ ମଲ୍ଲିକ, ଇନ୍ଦ୍ରଜିତକୁ ହତ୍ଯା କଲା l ମନ୍ତ୍ରୀଙ୍କ ସ୍ତ୍ରୀ ସମସ୍ତ ବିଷୟ ଜାଣିପାରି, ହସ୍ତରେ ମହାନଦୀ ଜଳ ଧରି ନିଜ ଝିଅକୁ ମଲ୍ଲିକ ହାତରେ ଦେବାକୁ ଶପଥ ନେଲା l ଇନ୍ଦ୍ରଜିତ ପିତା(ସେନାପତି) ପୁଅ ମୃତ୍ୟୁର ନିଶ୍ଚିତ ପ୍ରତିଶୋଧ ନେଇ ପାରନ୍ତି ଭୟରେ, ମଲ୍ଲିକଙ୍କୁ ଗୋଟିଏ ବର୍ଷ ପାଇଁ ଲୁଚିବାକୁ ମନ୍ତ୍ରୀଙ୍କ ସ୍ତ୍ରୀ ପରାମର୍ଶ ଦେଲେ l ସେହିଠାରୁ ମଲ୍ଲିକ ଲୁଚିବା ଉଦେଶ୍ୟରେ କିଛି ବିଶ୍ବସ୍ତ ସୈନ୍ଯଙ୍କୁ ଧରି, ଏକ ଛୋଟ ଡ଼ଙ୍ଗାରେ ମହାନଦୀରେ ଦେଇ ପାରାଦ୍ବୀପଗଡ଼ ପହଞ୍ଚିଲା l ନିଜର ଜଣେ ବିଶ୍ବସ୍ତ ସୈନିକର ପିତା ଲୋକନାଥ ମନ୍ଦିରରେ ମାଳି କାମ କରୁଥିଲେ l ତାଙ୍କର ପୋଷ୍ଯପୁତ୍ରର ପରିଚୟ ଦେଇ ରହିଲା l ମାଳିର ସୁପାରିଶ କ୍ରମେ ପାରାଦ୍ବୀପଗଡ଼ ରାଜାଙ୍କ ଅଙ୍ଗରକ୍ଷୀ ଭାବେ ନିଯୁକ୍ତି ପାଇଲା l ସେତେବେଳେ ରାଜା ନରେନ୍ଦ୍ର ବାହାଦୁର ଏକମାତ୍ର ସୁନ୍ଦରୀ କନ୍ୟା ନିମନ୍ତେ ବରପୁତ୍ର ଖୋଜିବା ପାଇଁ ଅଂଗରକ୍ଷୀ ମଲ୍ଲିକକୁ ଧରି ପୁରୀ ଯାତ୍ରା କଲେ l ପୁରୀରେ ଗୋଟିଏ ଷଣ୍ଢ ଭାରି ଉତ୍ପାତ କରୁଥିଲା l ତା’ ଲାଗି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା l ଏଣୁ ପୁରୀ ରାଜା ଘୋଷଣା କରିଥିଲେ ଯେ; ଯେଉଁ ବ୍ୟକ୍ତି ଷଣ୍ଢକୁ କାବୁ କରିବ, ତାକୁ ମୋ ରାଜ୍ଯରୁ ଏକ-ଚତୁର୍ଥାଂଶ ଦେବି l ପୁରୀ ଯାଇଥିବା ମଲ୍ଲିକ ଦିନେ ଅଂଗରକ୍ଷୀ ଶିବିରକୁ ଫେରୁଥିବା ସମୟରେ ଷଣ୍ଢଟି ତାକୁ ଆକ୍ରମଣ କରିବାରୁ, ସେ ତା’ ସହିତ ଲଢ଼େଇ କଲା l ଏ ଲଢ଼େଇରେ ଷଣ୍ଢଟି କଚାଡ଼ି ହୋଇ ଖାଲରେ ପଡିବାରୁ ମରିଗଲା l ମଲ୍ଲିକଙ୍କୁ ରାଜଦରବାରକୁ ଅଣାଗଲା l ନରେନ୍ଦ୍ର ବାହାଦୁରଙ୍କ ଅଙ୍ଗରକ୍ଷୀ ବୋଲି ରାଜା ଜାଣିବାକୁ ପାଇଲେ l ବରପାତ୍ର ଖୋଜୁଥିବା ଗଡ଼ ରାଜା ନରେନ୍ଦ୍ର ବାହାଦୁରଙ୍କ କନ୍ଯାକୁ ମଲ୍ଲିକ ସହିତ ବିବାହ ଓ ତାଙ୍କୁ ରାଜ୍ୟଭାର ପ୍ରଦାନ ପାଇଁ ପୁରୀ ରାଜା ପ୍ରସ୍ତାବ ଦେଲେ l ନରେନ୍ଦ୍ର ବାହାଦୁର ବାରବାଟୀ ଦୁର୍ଗର ମନ୍ତ୍ରୀ କନ୍ଯା ସହିତ ମଲ୍ଲିକ ବିବାହ କଥା ଜାଣିଥିବାରୁ କନ୍ଯାକୁ ମଲ୍ଲିକ ହାତରେ ଦେବା ପାଇଁ ଅମଙ୍ଗ ହୋଇ ଶେଷରେ ରାଜି ହେଲେ l ଏପଟେ ଷଣ୍ଢଟି ମରି ଯାଇଥିବାରୁ ଧାର୍ମିକ ପରମ୍ପରା ଅନୁସାରେ ମୋକ୍ଷ ଲାଗି କୁହାଗଲା l ମଲ୍ଲିକଙ୍କ ଗାରିମା ବ୍ଯପ୍ତ ହୋଇ ଯାଇଥିବାରୁ, ମହାପାପ ପ୍ରାୟଶ୍ଚିତ ପାଇଁ ତାଙ୍କ ପକ୍ଷରୁ ଶଶୁର ନରେନ୍ଦ୍ର ବାହାଦୁର ଖୋଳା ଯାଇଥିବା ପୋଖରୀରେ(ଷଣ୍ଢ ଯେଉଁ ଖାଲରେ ମୃତ୍ୟୁ ହୋଇଥିଲା) ସ୍ନାନ ପୁର୍ବକ ମୋକ୍ଷ ପ୍ରାପ୍ତି କଲେ l ବର୍ତ୍ତମାନ ଏହି ପୋଖରୀକୁ’ ନରେନ୍ଦ୍ର ପୁଷ୍କରିଣୀ’ କୁହାଯାଉଛି l ଏହିଠାରୁ ମଲ୍ଲିକଙ୍କର “ମଲ୍ଲିକ ଷଣ୍ଢ” ନାଁ’ରେ ନୂତନ ପରିଚୟ ସୃଷ୍ଟି ହେଲା l ଅତଏବ୍ ମଲ୍ଲିକ ଷଣ୍ଢ ଜଣେ ଶାରୀରିକ ଭାବେ ବଳଶାଳୀ, ସାହାସୀ, ଚତୁର ଓ ଶିକ୍ଷାହୀନ ଥିଲେ l
Another record(Copy&Paste), According to Calcutta Review, Volume 77, 1883, edited by JAMES W. FURRELL (Page No. 144) says, The Rajah of Dobas Gurh owned a bramini bull which grew savage and committed great davastations, The brute become a terror to the country, Knocked down houses, killed numbers of people, and destroyed so much of the crops that many of tenants began to migrate. The Rajah who was a Hindu Khetri, hearing of devastation caused by the bull, and that number of people were leaving his territory, issued a proclamation that a fourth of kingdom would be given to any one who would rid the country of the ferocious bull by driving him without maiming or hurting him in any way. At that time one Mullick Samant, a relation of Rajah, was staying on a visit at the Gurh and, hearing of the proclamation offered to accept the terms. He insisted only that the terms be at first engraved on a copper-plate. This being done, on an appointed day, Mullick Samant fought the bull naked, and unarmed. He is said to have completely over powered him, So that on being let off , he run away, and ran away whenever any man approached him. The bull at last left the country.
       Mullick Samanta thus got the one fourth share of the kingdom, and from the day of his instalment, was known by the surname of the Sand (bull) which has continued in the family up to this day. On the death of the Rajah of Dobas Gurh, Samanta Sand annexed the whole Raj. He reigned altogether 29years……….
ଗୋଟିଏ ଲମ୍ବା ବେଲାରି’ର ଭୌଗୋଳିକ ଅବସ୍ଥିତ ହିଁ, ପଲ୍ଲୀ ଠାରେ ସୁରକ୍ଷିତ ଗଡ଼ କରିବା ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି ହୋଇଥିବାର ମନେ ହୁଏ ବୋଲି କହିଛନ୍ତି: କିଛି ସ୍କଲାର l
ସାର୍ବଭୌମତ୍ବ ପଲ୍ଲୀ ଗୋଖା ଜାତିର ମୁଖିଆଙ୍କ ଦ୍ବାରା ପରିଚାଳିତ ହେଉଥିଲା l ଏଠାରେ ଅନେକ ଲୋକବସତି ସ୍ଥାପନ ହୋଇଥିଲା l ବଡ଼ବଡ଼ ପ୍ରଚୀନ କୁଦ ତାର ମୁକସାକ୍ଷୀ ଭାବେ ଏବେ ମଧ୍ୟ ଦଣ୍ଡାୟମାନ l ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ପଲ୍ଲୀ ବାହ୍ଯ ଶତ୍ରୁରୁ ମୁକ୍ତ ଥିଲା l ପଲ୍ଲୀର ମୁଖ୍ୟ ଅର୍ଥନୀତି ଶୁଖୁଆ ବ୍ଯବସାୟରେ ସମୃଦ୍ଧଶାଳୀ ଥିଲା l ମଲ୍ଲିକ ଷଣ୍ଢ ଏହି ବ୍ଯବସାୟରେ ଭାଗ ନେବା ପାଇଁ ଗୋଖା ମୁଖିଆକୁ ନିଜ ରାଜଦରବାରକୁ ଡାକିଲେ l ମୁଖିଆ ନ’ଯିବାରୁ ମଲ୍ଲିକ ଷଣ୍ଢ ତାଙ୍କୁ ହତ୍ଯା କଲେ ଓ ପଲ୍ଲୀକୁ ନିଜ ରାଜ୍ୟ ସହିତ ମିଶାଇ ଦେଲେ l ମଲ୍ଲିକ ଷଣ୍ଢଙ୍କ ପ୍ରଥମ ପତ୍ନୀ ପାରାଦ୍ବୀପଗଡ଼, ଦ୍ବିତୀୟ ପତ୍ନୀ କୁଜଙ୍ଗଗଡ଼, ତୃତୀୟ ପତ୍ନୀ କେନ୍ଦ୍ରାପଡା ଓ ଚତୁର୍ଥ ପତ୍ନୀ ପଲ୍ଲୀଗଡ଼ରେ ରହିଲେ l ୪ର୍ଥ ରାଣୀଙ୍କ ପାଇଁ ପଲ୍ଲୀରେ ରାଜପ୍ରସାଦ(ଗଡ଼), ପ୍ରାଚୀର, ପୋଖରୀ ନିର୍ମାଣ କରିଥିଲେ l ଗଡ଼ ଠାରୁ ଅନତିଦୂରରେ ହରଚଣ୍ଡୀ ଠାକୁରାଣୀ ଓ ଶିବମନ୍ଦିର(ଶ୍ରୀହରିଶଙ୍କର ମହାପୁରୁଷ) ସୁଉଚ୍ଚ ସ୍ଥାନରେ ସ୍ଥାପନ କରାଗଲା l ଏବେ ବି’ ମାଟି ତଳେ ପୋତି ହୋଇଥିବା ଭଗ୍ନାବଶେଷ ଦେଖିବାକୁ ମିଳେ l ଏଠାରୁ ପୋଡ଼ା ଇଟା, ମାଟି ଘୋଡା, ମାଟି ଦୀପ, ପଥର ଷଣ୍ଢ ମୂର୍ତ୍ତି, ଗଣେଶ ମୂର୍ତ୍ତି, ମାଟି ହାଣ୍ଡି, ପ୍ରଚୁର ଖପରା, ପୋଡ଼ା ଇଟା(ଲମ୍ବ ୧୪ଇଞ୍ଚ, ପ୍ରସ୍ଥ ୯ଇଞ୍ଚ, ଉଚ୍ଚତା ୩ଇଞ୍ଚ) ମିଳିଛି l ତେବେ ଇଟାଗୁଡିକର ପ୍ରତ୍ନତାତ୍ତ୍ଵିକ ଅନୁଶୀଳନ କଲେ, ତାହା ୫୦୦ବର୍ଷରୁ ଅଧିକ ପୁରୁଣା ବୋଲି ମନେହୁଏ l ରାଜସ୍ବ ରେକର୍ଡ ଅନୁଯାୟୀ, ବର୍ତ୍ତମାନ ଶ୍ରୀହରିଶଙ୍କର ମହାପୁରୁଷ ତିନିଟି ପ୍ଲଟ୍ ରେ ରକବା ଏ୬.୩୬ଡି ଏବଂ ହରଚଣ୍ଡୀଙ୍କର ଦୁଇଟି ପ୍ଲଟ୍ ମଧ୍ୟରୁ ୧- ରକବା ଏ୨.୩୪ଡ଼ି ଓ ୨- ରକବା ୦.୧ଡି ଜାଗା(ବିଜେସ୍ଥଳୀ) ରହିଅଛି l ପଲ୍ଲୀଗଡ଼ରେ ଯେଉଁଠାରେ ଅତେଙ୍ଗଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ/ଓସଡ଼ମା ବିଲ୍ଡିଂ (ପ୍ଲଟ୍ ନଂ-୩୭୭, ରକବା-୫୭ଡ଼ି,ବେଆଇନ୍ ଦଖଲ ରାମଚଣ୍ଡୀ ଯୁବକ ସଂଘ) ଅଛି, ସେହି ଢ଼ିଅରେ ରାଣି ଉଆସ (କଚେରୀ ଗୃହ) ରହିଥିଲା l ଗୃହ, ପାଚେରୀ, ପୋଖରୀ ପାହାଚ ଆଦିରେ ଆସିଆନ ପର୍ବତମାଳାର ବଉଳମାଳା ପଥର, ଖୋର୍ଦ୍ଧା ଅଂଚଳର ତାପଙ୍ଗ ପଥର ଓ କୁଣ୍ଡାପଥର ବ୍ୟବହାର ହୋଇଥିଲା l ଏହି ଚାରି କୋଣିଆ ବିଶିଷ୍ଟ ପଥର ଗୁଡ଼ିକର ଆକାର(ପ୍ରାୟତଃ ଉଚ୍ଚତା ୩୦ଇଞ୍ଚ, ପ୍ରସ୍ଥ ୮ଇଞ୍ଚ) ସାମାନ୍ୟ ପରଷ୍ପର ଠାରୁ ଭିନ୍ନ ଥିଲା l ୧୯୯୭ ମସିହାରେ ଅତେଙ୍ଗଶ୍ବର ସ୍କୁଲ ମାଟିଗୃହ ସ୍ଥାପନ ବେଳେ ପୋତି ହୋଇ ରହିଥିବା ପଥର ଅଳ୍ପ ପରିମାଣରେ ବାହାରିଥିଲା l ରାଣୀ ଉଆସର ସମ୍ମୁଖ ଭାଗରେ ୪ର୍ଥ ରାଣୀଙ୍କ ସ୍ନାନ ନିମନ୍ତେ ପୋଖରୀ (କଚେରୀ ପୋଖରୀ) ନିର୍ମାଣ କରାଯାଇଥିଲା l ସେହି ପୋଖରୀ ନିକଟରୁ ଏକ ସ୍ନାନ ପଥର ଉଦ୍ଧାର କରାଇଛି l ପଥରଟି ଏବେ ଗାଁ’ର ଅମର ଦାସଙ୍କ ଘରେ ମହଜୁଦ ଥିବାର ଜଣାଯାଏ l ପୋଖରୀର ଦକ୍ଷିଣ ପଟ ହୁଡ଼ାରୁ ଗୋଟିଏ ବଡ଼ ମାଟିଘୁମ ଭର୍ତ୍ତି କଉଡ଼ି ଉଦ୍ଧାର କରାଯାଇଥିଲା l ଜଳକଷ୍ଟ ଦୂର ପାଇଁ ଷଣ୍ଢ ବଂଶିୟ ରାଜାମାନେ ଗ୍ରାମର ମଧ୍ୟସ୍ଥଳରେ ଚନ୍ଦନ ପୋଖରୀ, ରାଣି ଉଆସ ଓ ଶ୍ରୀ ହରିଶଙ୍କର ମହାପ୍ରଭୁଙ୍କ ପୀଠରେ କୂଅମାନ ନିର୍ମାଣ କରିଥିଲେ l ପ୍ରଜାମାନଙ୍କ ବାସସ୍ଥାନ ନିମନ୍ତେ କୃତିମ ଉଚ୍ଚ ମାଟିକୁଦମାନ ନିର୍ମାଣ କରାଯାଇଥିଲା l  ତାହା ପଲ୍ଲୀଗଡ଼ ଭାବେ ବିଦିତ l ପ୍ରଥମ ଷଣ୍ଢ ରାଜା ମାଲିକଙ୍କ ଚତୁର୍ଥ ପତ୍ନୀ ସମୟରେ(ମତାନ୍ତର:ପରବର୍ତ୍ତୀ ସମୟରେ) ପଲ୍ଲୀଗଡ଼କୁ କୁଜଙ୍ଗ ଅଂଚଳର କିଛି କାଣ୍ଡି(ବାଉରୀ) ଓ କୈବର୍ତ୍ତ ଜାତିର ଲୋକମାନେ ଆସିଥିଲେ l କାଣ୍ଡିମାନେ କନ୍ଦାଚାଷରେ ଧୁରନ୍ଧର ଥିଲାବେଳେ, କୈବର୍ତ୍ତ ଗୋଷ୍ଠୀ ସାମାଜିକ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିଲେ l ସେ ସମୟରେ ସେମାନେ “ରାଜବଂଶ କୈବର୍ତ୍ତ” ନାମରେ ପ୍ରସିଦ୍ଧ ଲାଭ କରିଥିଲେ l କିନ୍ତୁ, ପଲ୍ଲୀଗଡ଼ର ମୂଳ ବାସିନ୍ଦା ଗୋଖା ସଂପ୍ରଦାୟର କୌଣସି ବଂଶଧର ଏଠାରେ ଆଉ ନାହାଁନ୍ତି l ସମ୍ଭବତଃ, ମାଲିକ ଷଣ୍ଢ ପଲ୍ଲୀଗଡ଼ ଦଖଲ ପରେ, ସେମାନଙ୍କୁ ତଡ଼ି ଦେଇଥିଲେ l ପ୍ରଜା ହିତୈଷୀ ଅପେକ୍ଷା, ଷଣ୍ଢ ଜମିଦାରମାନେ ଅତ୍ଯାଚାରୀ, କପଟି ଓ କାମାର୍ଥ ଭାବେ ଜଣାଶୁଣା ଥିଲେ l କହିବା ବାହୁଲ୍ୟ ହେବ ଯେ, ପଲ୍ଲୀକୁ ‘କନ୍ଦାଚାଷ’ ରାଜସ୍ବ ଆଦାୟ କେନ୍ଦ୍ର ଓ ସାମରିକ ଗଡ଼ ଭାବେ ଅଧିକ ଉପଯୋଗୀ ଥିଲା l 
ପଲ୍ଲୀଗଡ଼ ଠାରୁ ଅନତି ଦୂରରେ ଏକ ବେଲାରି (ବାଲିକୁଦ) ଉପରେ ସୈନ୍ୟଙ୍କ ନିମନ୍ତେ ‘ଆଖାଡାଶାଳ’ ବ୍ଯବସ୍ଥା କଲେ l ଭୌଗୋଳିକ ଅବସ୍ଥିତି ଓ ସାମରିକ ଦୃଷ୍ଟିରୁ ‘ଆଖଡ଼ାଶାଳ’ ପଲ୍ଲୀଗଡ଼ର ଦ୍ବାର ଭାବେ କାର୍ଯ୍ୟ କରୁଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ l ଯାହାକୁ, ଆଜିର ଦିନରେ ମଧ୍ୟ ଲୋକେ ଆଖଡାଶାଳୀ ବୋଲି କହୁଛନ୍ତି l
ବର୍ଦ୍ଧମାନ’ର ବିତ୍ତଶାଳୀ ଜମିଦାର ମହାରାଜା ମହତାବ ଚନ୍ଦ୍ର ବାହାଦୁର କୁଜଙ୍ଗ ଇଷ୍ଟେଟ୍’ର ଜମିଦାରୀ ସତ୍ତ୍ବକୁ କ୍ରୟ ପରେ ଗଡ଼ଟି କଚେରୀ ଗୃହରେ ରୂପାୟନ ହୋଇଥିଲା l ଏହି କଚେରୀରେ ଶେଷ ତହସିଲଦାର ଭାବେ ଗରଦପୁର ଅଂଚଳର (ପ୍ରଧାନ ପାଟକିରା) କୃତିବାସ ରାଉତରାୟ କାର୍ଯ୍ୟ କରିଥିଲେ l କଲିକତାସ୍ଥ ଏସିଆଟିକ୍ ସୋସାଇଟି, ପାରାଦ୍ବୀପଗଡ଼ସ୍ଥ ଜମିଦାରୀ ଗୃହ ଓ ପଲ୍ଲୀଗଡ଼ର ବାସିନ୍ଦା ତଥା ହରଚଣ୍ଡୀଙ୍କ ପୂଜକ ବାବନ ଦାସ(ମୃତ)ଙ୍କ ନିକଟରେ ଷଣ୍ଢ’ବଂଶୀୟ ସମୟର କିଛି ଐତିହାସିକ ଦସ୍ତାବିଜ ରହିଥିବାର ଅନୁମାନ କରାଯାଏ l ଯାହା, ଏ ପର୍ଯ୍ୟନ୍ତ ପଠନୀୟ ହୋଇପାରି ନାହିଁ l ଓସଡ଼ମା ବିଲ୍ଡିଂ ଢ଼ିଅ (କଚେରୀ) ଓ ଶ୍ରୀ ହରିଶଙ୍କର ମହାପୁରୁଷ ଢ଼ିଅ, କଚେରୀ ପୋଖରୀ ଖନନ କଲେ ଅନେକ ଅନାଲୋଚିତ ଇତିହାସ ସାମ୍ନାକୁ ଆସି ପାରିବା ସହିତ ମାଟି ପୋତି ହୋଇ ରହିଥିବା ଆହୁରି ଅନେକ ମୂଲ୍ୟବାନ ମୂର୍ତ୍ତି ଓ ସାମଗ୍ରୀ ଉଦ୍ଧାର ହୋଇପାରନ୍ତା l
ରେଫରେନ୍ସ୍ ବୁକସ୍:
– – – – – – – – – – – – –
୧) ଏସ୍. ବିଲ୍, ବୁଦ୍ଧିଷ୍ଟ୍ ରେକର୍ଡ଼ ଅଫ୍ ଦ ୱେଷ୍ଟର୍ଣ୍ଣ୍ ୱାଲତ଼ l
୨) ଏ. ଷ୍ଟିଲିଂ, ଆନ୍ ଆକାଉଣ୍ଟ୍ ଅଫ୍ ଓଡ଼ିଶା l
୩) ଏନ୍. କେ. ସାହୁ, ହିଷ୍ଟ୍ରି ଅଫ୍ ଓଡ଼ିଶା l
୪) ଡ଼ବ୍ଲୁ. ଡ଼ବ୍ଲୁ. ହଣ୍ଟର, ଷ୍ଟାଟିଷ୍ଟିକାଲ ଆକାଉଣ୍ଟ୍ l
୫) ଏନ୍. ବି. ସାମନ୍ତ, ମନୁସ୍କ୍ରିପ୍ଟ l
୬) ବି. ସି. ମଜୁମଦାର, ଓରିସା ଇନ୍ ଦ ମେକିଂ l
୭) ହେନେରୀ ରିକେଟସ୍, ରେସପଣ୍ଡ୍ ଅନ୍ ଦ ଡିଷ୍ଟ୍ରିକ୍ଟ ଅଫ୍ କଟକ l
୮) ଡି. ପଟ୍ଟନାୟକ, କୁଜଙ୍ଗ ଷଣ୍ଢ ବଂଶର ଉତ୍ପତ୍ତି l
୯) ଓଡ଼ିଶା ରେକର୍ଡସ୍, ଭଲ୍ୟୁମ୍-୧, ୨ l
୧୦) ଏସ୍. ରାଜଗୁରୁ, ହିଷ୍ଟ୍ରି ଅଫ୍ ଗଙ୍ଗ l
୧୧) ମ୍ଯାଡ଼େକ୍ସ ରିପୋର୍ଟ, କଲିକତା, ୧୯୦୦ମ. l
୧୨) କଲିକତା ରିଭ୍ୟୁ, ଭଲ୍ଯୁମ୍-୭୭, ୧୮୮୩ମ. l
୧୩) ଫିଲ୍ଡ୍ ରିସର୍ଚ୍ଚ ଆଣ୍ଡ ଆନାଲାଇଜ୍ ଅଫ୍ ପଲ୍ଲୀଗଡ଼ ବାଏ ଅଥର l
୧୪) ରାଜସ୍ବ ନଥିପତ୍ର, ମହାକାଳପଡ଼ା ତହସିଲ l 
ଆଲେଖ୍ୟ : ରଂଜନ କୁମାର ଦାସ, ସୂଚ଼ନାଧିକାର କର୍ମୀ, କେନ୍ଦ୍ରାପଡା 
ସଂପର୍କ: ୮୪୫୭୮୬୬୫୫୨ 

Related Posts

About The Author

Add Comment