ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !

Spread the love

ଝାରସୁଗୁଡ଼ା/ସନ୍ଧାନ ନ୍ୟୁଜ: ନବ ଦାସ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୂରିଥିଲେ ବି ଏହାକୁ ନେଇ ଚର୍ଚ୍ଚା ଓ ସନ୍ଦେହ ଥମିବାର ନାଁ ନେଉନି । ଗୋପାଳ ନବ ଦାସଙ୍କୁ ସତ୍ୟା କରିଛି ନା ଏହା ପଛରେ ଆଉ କାହାର ହାତ ରହିଛି ? କିଏ ସେ ମାଷ୍ଟର ମାଇଣ୍ଡ ଯିଏ ଆଜି ବି ଖୋଲାରେ ବୁଲୁଛି, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବିଜେପି ଓ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବିଜେଡି କହୁଛି ଏହାର ଆବଶ୍ୟକତା ନାହିଁ । ସରକାର ଚାହିଁଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ । ଆଉ ଏହି ରାଜନୈତିକ ବୟାନ ବାଜି ଭିତରେ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ଶୀଘ୍ର ସେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ସରକାରଙ୍କ ପାଖରେ ଦାବି କରିବେ ।ନବ ଦାସ ନା କେବଳ ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ, ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ବଢ଼ି ଚାଲିଥିବା ରାଜନୈତିକ ପତିଆରା ମଧ୍ୟ କିଛି ଲୋକଙ୍କ ଆଖିରେ କଣ୍ଟା ଭଳି ଖେଞ୍ଚି ହେଉଥିଲା । ଆଉ ବ୍ୟବସାୟୀରେ ତ ଅନେକ ପ୍ରତିଯୋଗୀ ଓ ଗୁପ୍ତ ଶତ୍ରୁ ଥାଇ ପାରନ୍ତି । ଗତକାଲି ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକିରେ ପୁଣି ଥରେ ଦୀପାଳି ସିବିଆଇ ତଦନ୍ତ କଥା ଉଠାଇଛନ୍ତି । ସପ୍ତାହେ କି ଦୁଇ ସପ୍ତାହ ମଧ୍ୟରେ ସେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବି କରିବେ ବୋଲି କହିଛନ୍ତି । ଦୀପାଳିଙ୍କ ଏପରି ବୟାନ ଏବେ ରାଜ୍ୟ ରାଜନୀତିକୁ ଉଷ୍ଣ କରି ଦେଇଛି ।ଶ୍ରାଦ୍ଧ ଦିବସରେ ରାଜନୈତିକ ବୟାନ ବାଜି ବି ଦେଖିବାକୁ ମିଳିଛି । ଭୁବନେଶ୍ବରରେ ନବକିଶୋର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ଉତ୍ସବରେ ଅନେକ ରାଜନେତା ଓ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ହତ୍ୟାକାଣ୍ଡକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ହତ୍ୟା ପଛରେ ଜଣେ ଆଇପିଏସ୍, ଜଣେ ଆଇଏଏସ୍ ଓ ଦୁଇ ରାଜନେତାଙ୍କ ହାତ ଅଛି । କୌଣସି ଶତ୍ରୁତା ନଥାଇ କାହିଁକି ଗୋପାଳ ହତ୍ୟାକଲା ? ଗୁଳି ବାଜିଥିବା ସାର୍ଟ, ଗୁଳି ଗଲା କୁଆଡେ ? ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଜୟ । ସେହିପରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ଗୋଟିଏ ସ୍କ୍ରିପ୍ଟ । ଯେଉଁମାନେ ତଦନ୍ତ କରୁଥିଲେ ସେମାନଙ୍କ ଆଚରଣ ଉଚ୍ଚାରଣ କହୁଥିଲା ଯେ ସେମାନେ ତଦନ୍ତକୁ ଦିଗହରା କରୁଛନ୍ତି । ଯେଉଁ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ତା’ର ବିଚାରରେ କୌଣସି ମୂଲ୍ୟ ନାହିଁ ।ସେପଟେ କଂଗ୍ରେସନେତା ସନ୍ତୋଷ ସିଂ ସାଲୁଜା ବ୍ୟାବସାୟିକ ଶତ୍ରୁତା ଦିଗକୁ ପୁଣିଥରେ ଇଙ୍ଗିତ କରିଛନ୍ତି । କୋଲ୍ ଏରିଆ ଛାଡିବା ପାଇଁ ସ୍ବର୍ଗତ ନବ ଦାସଙ୍କୁ ତତ୍କାଳୀନ ଝାରସୁଗୁଡ଼ା ଏସ୍‌ପି ଓ ଜିଲ୍ଲାପାଳ କହୁଥିବା କହି ବିଜେଡି ସରକାର ସମୟର ତଦନ୍ତ ପ୍ରକ୍ରିୟାକୁ ଟାର୍ଗେଟ କରିଛନ୍ତି ସାଲୁଜା । କିନ୍ତୁ ବିଜେଡିର ଯୁକ୍ତି ହତ୍ୟାକାଣ୍ଡ ତଦନ୍ତରେ ଯଦି ସନ୍ଦେହ ଅଛି ତା’ହେଲେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ । ଏବେ ସମସ୍ତଙ୍କ ନଜର ନବ ଦାସଙ୍କ ପରିବାର ଓ ସରକାର ଉପରେ । କେବେ ସ୍ବର୍ଗତ ଦାସଙ୍କ ପରିବାର ପକ୍ଷରୁ କେବେ ଲିଖିତ ଭାବେ ସିବିଆଇ ତଦନ୍ତ ଲାଗି ଦାବି କରାଯିବ ଓ ସରକାର କି ପଦକ୍ଷେପ ନେବେ ତାକୁ ସମସ୍ତେ ଅନାଇ ବସିଛନ୍ତି ।

Related Posts

About The Author

Add Comment