ନଦୀ ଭିତରେ ପୋଖରୀ ଖୋଳାକୁ ବିରୋଧ, ପୋଖରୀରୁ ବେଆଇନ ବାଲି ଚାଲଣ

Spread the love

ଯାଜପୁର,୭/୬(ସନ୍ଧାନ ନିୟୁଜ୍/ମାନସ ରାଉତ) ରସୁଲପୁର ବ୍ଲକ ଅଂଚଳରେ ଜଳଛାୟା ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ଆଳରେ ବ୍ୟାପକ ଦୁର୍ନୀତି ହେଉଛି । ଏହି ଭଳି ବିଭାଗ ବିରୁଦ୍ଧରେ ଭିନ୍ନ ଭିନ୍ନ ପଂଚାୟତରୁ ନାନା ସମୟରେ ଅଭିଯୋଗମାନ ଆସୁଛି । ବିଭାଗ ଆଇନକାନୁନ୍ ପ୍ରତି ଆଖି ବୁଜି ଦେଇ ବହୁ ବେଆଇନ କାର୍ଯ୍ୟ କରୁଛି । ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ବିଭାଗ ତଥାକଥିତ ଏକ କମିଟିକୁ ଢାଲ କରୁଛି । ଏମିତି ନାନା ବାଦବିବାଦ ମଧ୍ୟରେ ବିଭାଗ ଛନ୍ଦି ହୋଇପଡିଛି । ସେହି ସମୟରେ ବିଭାଗ ନାଁରେ ଆଉ ଏକ ଅଭିଯୋଗ ଯୋଡି ହୋଇଯାଇଛି । ଏହି ବ୍ଲକର ଶ୍ରୀନ୍ତପୁର ପଂଚାୟତର ଭଗୀରଥପୁର ଗାଁ ନିକଟସ୍ଥ ଛିଣ୍ଡା ଖରସ୍ରୋତା ନଦୀ ଭିତରେ ପୋଖରୀ ଖୋଳି ବିଭାଗ ପୁଣି ଆଉ ଏଜ ନୂଆ ବିବାଦ ଭିତରକୁ ଟାଣି ହୋଇଯାଇଛି । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି । ଭଗୀରଥପୁର ଗ୍ରାମବାସୀ ଏ ନେଇ ଅଭିଯୋଗ ଯାଜପୁର ଜିଲାପାଳ, ଜିଲାପରିଷଦ ଅଧ୍ୟକ୍ଷ, ପ୍ରକଳ୍ପ ଅଧିକାରୀ ଜଳଛାୟା ପ୍ରକଳ୍ପ ଆଦିଙ୍କୁ ଦିଆଯାଇଛି । ନଦୀ ଭିତରେ ପୋଖରୀ ଖୋଳା ଓ ତା ମଧ୍ୟରୁ ଲଘୁ ଖଣିଜ ଜାତ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ସଂପର୍କରେ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପ୍ରାୟତଃ ୨ବର୍ଷ ତଳେ ବିଭାଗ ପକ୍ଷରୁ ଭୋଟକା ପଂଚାୟତ ଛିଣ୍ଡା ଖରସ୍ରୋତା ନଦୀ ଗର୍ଭରେ ପୋଖରୀ ଖୋଳା ଯାଇଥିଲା । ଏହି ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏବେ ବିଭାଗ ପୁଣି ତାର ପୁରୁଣା ଦୋଷକୁ ଦୋହରାଇଛି । ଏଠାରେ ସମାନ ନଦୀ ଉପରେ ବିଭାଗ ଖୋଳୁଥିବା ଏକ ପୋଖରୀକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ୨୦୧୭-୧୮ ଆର୍ଥôକ ବର୍ଷରେ ବିଭାଗ ପକ୍ଷରୁ ଏକ ପୋଖରୀ ଖୋଳା ଯାଇଥିଲା । ପୋଖରୀଟି ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଉଦିଷ୍ଟ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଖୋଳାଯାଇଥିବା ପୋଖରୀ ଚାଷୀଙ୍କ କାମରେ ଲାଗି ନଥିଲା । ବରଂ ପୋଖରୀଟି ସର୍ବସାଧାରଣଙ୍କ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିଥିଲା । ଚଳିତ ଆର୍ଥକ ବର୍ଷରେ ଗାଁର କିଛି ମାଫିଆ ବିଭାଗୀୟ ଅଧିକାରୀଙ୍କୁ ହାତକରି ନଦୀ ଗର୍ଭରୁ ବେଆଇନ ବାଲି ଚାଲାଣ କରୁଛନ୍ତି । ନଦୀ କିସମ ଜମିରୁ ଦୈନିକ କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ଶହ ଶହ ଟ୍ରିପ୍ ବାଲି ଚୋରାରେ ବିକ୍ରୀ ପାଇଁ ପଠାଉଛନ୍ତି ।

ଏହାକୁ ବିରୋଧ କରିବାରୁ ଏଠାରେ ଚାଷୀଙ୍କ ପାଇଁ ପୋଖରୀ ଖୋଳାଯାଉଥିବା କୁହାଯାଉଛି । ପୋଖରୀ ଖନନ ସ୍ଥାନରେ ନାମଫଳକ ନାହିଁ । ପୋଖରୀ ଖୋଳା ଯିବା ପୂର୍ବରୁ ପ୍ରକଳ୍ପ ଗୁଡିକୁ ବୈଷୟିକ ଅନୁମୋଦନ ମିଳିନାହିଁ । ଏ ଦିଗରେ ଫାଇଲପତ୍ର ଖୋଲା ଯାଇନାହିଁ । ପୋଖରୀ ଖୋଳିବାକୁ ଚିହ୍ନଟ ଜମି ସଂପର୍କିତ ପ୍ରମାଣପତ୍ର ବଭାଗକୁ ମିଳିନାହିଁ । ପୋଖରୀ ଖନନ ପୂର୍ବରୁ ବିଭାଗୀୟ ଅଧିକାରୀ ଥରୁଟିଏ ବି କ୍ଷେତ୍ର ପରିଦର୍ଶନ କରିନାହାଁନ୍ତି । ଏ ସବୁ ସତ୍ୱେ ପୋଖରୀ ଖୋଳିବାକୁ କେମିତି ଅନୁମତି ମିଳିଛି ତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ପ୍ରକଳ୍ପ ଅଧିକାରୀ ଧୃବଚରଣ ପଣ୍ଡାଙ୍କୁ ପଚାରିବାରୁ ସେ ପ୍ରକଳ୍ପ ସ୍ଥଳକୁ ଯାଇନାହାଁନ୍ତି । କମିଟି କାମ କରୁଛି । ସବୁ ଅଭିଯୋଗକୁ ତର୍ଜମା କରିବାକୁ ତାଙ୍କ ନିକଟରେ ମାନବ ସମ୍ବଳ ନାହିଁ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment