ଭୁବନେଶ୍ୱର, ,୧୪/୬ (ସନ୍ଧାନ ନିୟୁଜ) କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋିଯାଇଛି । ଏଥିରେ ୧୦ଟି ଜିଲ୍ଲାର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଲୋକମାନଙ୍କ ସହିତ ସଂପର୍କ ରଖିଥିବା ଏବଂ ତୃଣମୂଳ ସ୍ତରର ନେତାମାନଙ୍କୁ ୨୦୧୯ ନିର୍ବାଚନ ପାଇଁ ଟିକେଟ୍ ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଅଖିଳ ଭାରତୀୟ
କଂଗ୍ରେସ କମିଟି (ଏଆଇସିସି) ନାନା ଜିଳ୍ଲାର ନୂଆ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦେବା ପରେ ଏହା ହେଉଛି ପ୍ରଦେଶ କଂଗ୍ରେସର ପ୍ରଥମ ବୈଠକ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନଙ୍କୁ ପରସ୍ପର ମଧ୍ୟରେ ଭାବ ବିନିମୟ ପାଇଁ ସୁଯୋଗ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ୨୦୧୯ ପାଇଁ ଟିକେଟ୍ ବଂଟନ ନେଇ ସ୍ପଷ୍ଟ ମତ ରଖିଥିଲେ । ବୈଠକ ପରେ ପିସିସି ସଭାପତି ଗଣମାଧ୍ୟମକୁ କହିଛନ୍ତି ଯେ, ଭୁବନେଶ୍ୱରରେ ବସିଥିବା ବ୍ୟକ୍ତି ନେତା ହୋଇପାରିବେ ନାହିଁ । ଯେଉଁମାନେ ତୃରମୂଳ ସ୍ତରରେ କାମ କରୁଛନ୍ତି ସେମାନଙ୍କୁ ଟିକେଟ ଦିଆଯିବ । ନିରଞ୍ଜନ କହିଛନ୍ତି ଯେ, ଜିଲ୍ଲା କମିଟି ପ୍ରତି ୧୫ ଦିନରେ ରିପୋର୍ଟ ଦେବେ ଏବଂ ସେଥିରୁ ଦୁଇ ତିନି ମାସ ମଧ୍ୟରେ କିଏ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାଯଁ୍ୟ କରୁଛି ତାହା ଜଣାପଡିବ । ଏହିଭଳି ଭାବେ କଂଗ୍ରେସକୁ ସୁଦୃଢ଼ କରାଯିବ । ବୈଠକ ପରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ପ୍ରତି ଜିଲ୍ଲା ପରିଷଦ ଜୋନ୍କୁ ଗୋଟିଏ ବ୍ଲକ ଧରାଯିବ ଏବଂ ପ୍ରତି ଜୋନ୍ରେ ନୂଆ ସଭାପତି ନିଯୁକ୍ତି ହେବେ । ଚଳିତ ମାସ ଶେଷ ସୁଦ୍ଧା ନୂଆ ସଭାପତି ନିଯୁକ୍ତ କରାଯିବ ଓ ଜୁଲାଇ ୧୦ ସୁଦ୍ଧା ବୁଥ୍ସ୍ତରୀୟ କମିଟି ଗଠନ କରାଯିବ ବୋଲି ଶ୍ରୀମାଝୀ ସୂଚନା ଦେଇଛନ୍ତି ।