ଜେନାପୁର,୧୭/୧୦ (ସନ୍ଧାନ ନ୍ୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଠାରୁ ଜେନାପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଏହି ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ମୁକୁନ୍ଦପୁର, ମଧୁସୂଦନ ପୁର ଠାରୁ ପ୍ରାୟ ୫ କିଲୋମିଟର ପରେ ଉକ୍ତ ରାସ୍ତା ଜାରକା- କବାଟବନ୍ଧ ନଦୀ ବନ୍ଧ ରାସ୍ତା ସହ ଜେନାପୁର ଲକ ବଜାର ନିକଟରେ ସଂଯୋଗ ହେଉଛି।ରଘୁନାଥପୁର ଗ୍ରାମ ନିକଟରେ ହେଉ କିମ୍ବା ଜେନାପୁର ଟ୍ରେନ ଗେଟ( ଲେବୁଲ କ୍ରସିଂ) ପର୍ଯ୍ୟନ୍ତ ଅତି ଶୋଚନୀୟ ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ହଜାର ହଜାର ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରିବା ସହିତ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ଏହି ରାସ୍ତାଟି ଦୀର୍ଘ ଦିନ ଧରି ମରାମତି ହୋଇନଥିବାରୁ ଏବେ ଶୋଚନୀୟ ହୋଇ ପଡ଼ିଛି। ରଘୁନାଥପୁର ନିକଟରେ ଏହି ରାସ୍ତା ଉପରେ କେବଳ ପଥର ଦେଖା ଯାଉଛି। ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହିଛି। ଯାହା ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି। ଜେନାପୁର ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ସ୍ଥାନ ଅଟେ। ଦୈନିକ ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ଜେନାପୁର ରେଳ ଷ୍ଟେସନ, ଜେନାପୁର ଥାନା, ପୋଷ୍ଟ ଅଫିସ,ଜେନାପୁର ମେଡ଼ିକାଲ ,ଜେନାପୁର ହାଇସ୍କୁଲ ସମେତ ବିଭିନ୍ନ ବ୍ୟାଙ୍କ ଏବଂ ପ୍ରାୟ ପାଞ୍ଚ ଗୋଟି ଘରୋଇ ସ୍କୁଲ ରହିଛି। ଏହା ବ୍ୟତୀତ ଧର୍ମଶାଳା ବ୍ଲକ, ମେଡ଼ିକାଲ, ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା। ତେବେ ଏମିତି ଏକ ମୁଖ୍ୟ ରାସ୍ତା ରେ ଦୈନିକ ଜନସାଧାରଣ ଯିବା ଆସିବା ରେ ଅସୁବିଧା ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ସଚେତନ ହେଉନଥିବା ଦୁର୍ଭାଗ୍ୟଜନକ। ଜେନାପୁର ରେଳ ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ଏହି ରାସ୍ତାରେ ଏକ ବିରାଟ ଗାଡ଼ ସୃଷ୍ଟି ହୋଇଛି।ଯାହାକି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ ଯାଉଥିବା ଅଟୋ ଏବଂ ଅନ୍ୟାନ୍ୟ ଯାନ ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ସ୍ଥାନୀୟ ସାହାଣୀଡ଼ିହ ପଞ୍ଚାୟତର ରାମଚନ୍ଦ୍ରପୁର, କୃଷ୍ଣଚନ୍ଦ୍ର ପୁର, ଭେଜିଗୋଠ ,ଗୋଡ଼ି ପଟିଆ, ଦଣ୍ଡାଘାଟି,ପୁରୁଣା ବଉଳମାଳ ପଞ୍ଚାୟତର ବରମୁଣ୍ଡୁଳି, ସାତମାଣ, ଖଜୁରୀବାଟି, ଇଚ୍ଛାପୁର, ବୃନ୍ଦାଦେଇପୁର ପଞ୍ଚାୟତର ରଘୁନାଥପୁର, ତରାସ,ଡ଼ିହକଷ୍ଟି,ଅଞ୍ଜିରା ପଞ୍ଚାୟତର ବାଲିସାହି, ଶ୍ୟାମସୁନ୍ଦରପୁର,ମୁରାଲୀପୁର, ଅଞ୍ଜିରା,କୋଟସାହି, ଢ଼ଙ୍କୁଣିଆ, ଚକ୍ରଧରପୁର ପଞ୍ଚାୟତର ମୁକୁନ୍ଦପୁର, ମଧୁସୂଦନ ଆଦି ଅଞ୍ଚଳର ହଜାର ହଜାର ଜନସାଧାରଣ ଗମନାଗମନ ଅସୁବିଧାରେ ପ୍ରତ୍ୟେକ ଦିନ ସାମନା କରୁଛନ୍ତି।ମରାମତି ଅଭାବରୁ ଏହା ଯାତାୟାତ ଅନୁପଯୋଗୀ ହୋଇ ଥିଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ରାସ୍ତା ନ ଥିବାରୁ ବାଧ୍ୟ ହୋଇ ଲୋକମାନେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ଜେନାପୁର ଲେବୁଲ କ୍ରସିଂ ନିକଟରେ ରାସ୍ତାରେ ଖାଲ ହୋଇଥିବା ଗଭୀରତାକୁ ଜାଣି ନ ପାରି ଦୈନିକ ଛୋଟ ବଡ଼ ଅନେକ ଦୁର୍ଘଟଣା ଘଟୁଛି। ବିଶେଷ କରି ରାତି ସମୟରେ ଦୁର୍ଘଟଣା ଆଶଙ୍କା ଅଧିକ ରହିଛି।ସାଧାରଣ ଲୋକ ମାନେ ବିଭିନ୍ନ କାମ କୁ ଦିନରେ ସାରି ଫେରି ଆସୁଥିବା ବେଳେ ଟ୍ରେନ ଯୋଗେ ବିଭିନ୍ନ ସ୍ଥାନରୁ ରାତିରେ ଫେରିବା ଲୋକ ମାନେ ବେଶୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯଦି ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ଏମିତି ତେବେ ବିଭାଗୀୟ ଅଧିକାରୀ ମାନେ କି ପ୍ରକାର ତଦାରଖ କରୁଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କୁ ତୁରନ୍ତ ମରାମତି କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ବିଭାଗୀୟ ଅଧିକାରୀ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହିତ ଗମନାଗମନ ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରଘୁନାଥପୁର- ଜେନାପୁର ରାସ୍ତା ଅବସ୍ଥା ଶୋଚନୀୟ।
|
October 18, 2025 |



