ରାସଗୋବିନ୍ଦପୁର, ୨୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)- ରାସଗୋବିନ୍ଦପୁର ବ୍ଲକ ସାରୁମଳା, କମାରଡ଼ିହା ନଳଗଜା, ଛାତନା, ଅମରଦା, ଝାଟିଅଡା, ଖୁଣ୍ଟାପାଳ, ବଡ଼ାମପୁର ସମେତ ସଦର ରାସଗୋବିନ୍ଦପୁର ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗାଁ ଗହଳି ମାନଙ୍କରେ ବ୍ୟାପକ ପରିମାଣରେ ବେଆଇନ ଦେଶୀମଦ ବିକ୍ରି ଚାଲିଛି । ବେଆଇନ ମଦ ବ୍ୟବସାୟକୁ କୌଣସି ସଚେତନଶୀଳ ବ୍ୟକ୍ତି ବା ମହିଳା ସ୍ଵେଚ୍ଛାସେବୀ ସଂଗଠନ ବିରୋଧ କଲେ ସେମାନଙ୍କୁ ମକ ବ୍ୟବସାୟୀଙ୍କ ଶିକାର ହେବାକୁ ପଡୁଛି । ଏପରିକି ଲୋକେ ଅବକାରୀ ବିଭାଗ ନିକଟରେ ଆପତ୍ତି ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଗାଁଗହଳି ମାନଙ୍କରେ ଖୁଲମଖୁଲା ଦେଶୀମଦ ବିକ୍ରି କରାଯାଉଥିବାରୁ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହା ବ୍ୟତୀତ ଅଳ୍ପ ବୟସରେ ରୋଗଗ୍ରସ୍ତ ହୋଇ ବହୁଲୋକ ମୃତ୍ୟୁବରଣ କରୁଛନ୍ତି । ସ୍ଥାନୀୟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇ ୧୦/୨୦ଲିଟର ମଦ ଜବତ କରାଯାଉଛି ସତ କିନ୍ତୁ କୋଭିଡ-୧୯ ସମୟରେ ସେମାନଙ୍କୁ ଥାନାରେ ଜିମା ଦିଆଯାଇ ଛାଡି ଦିଆଯାଉଥିବାରୁ ସେମାନେ ପୁଣିଥରେ ଅନାୟାସରେ ମଦ ବ୍ୟବସାୟରେ ଲିପ୍ତ ରହୁଛନ୍ତି । ସରକାରଙ୍କ ପକ୍ଷରୁ ରାସଗୋବିନ୍ଦପୁର ବ୍ଲକର ୪ଟି ସ୍ଥାନରେ ଦେଶୀମଦ ବିକ୍ରି କରାଯିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ପ୍ରତ୍ୟେକ ଗାଁ ର ୩-୪ସ୍ଥାନରେ ଦେଶୀମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ରୋକାଯିବା ପାଇଁ ସରକାରୀ ସ୍ଵତନ୍ତ୍ର ଭାବେ ଅବକାରୀ ଥିବା ବେଳେ ରାସଗୋବିନ୍ଦପୁର ବ୍ଲକରେ ଏହି ବିଭାଗର କାର୍ଯ୍ୟକଳାପ ଶୂନ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଜିଲାପାଳ ତୁରନ୍ତ ଏଥିପ୍ରତି ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହୋଇଛି ।
ଗାଁ ଗହଳିରେ ଚାଲିଛି ଦେଶୀମଦ ବ୍ୟବସାୟ; ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ
|
September 20, 2020 |
