ଖଟିଆରେ ବୋହି ନେଲେ ଗର୍ଭବତୀ ମହିଳାଙ୍କୁ

Spread the love

ବାଙ୍ଗିରିପୋଷି, 19/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ପୁଣି ଜନନୀଙ୍କୁ ଯନ୍ତ୍ରଣା । ଆଜିଯାଏଁ ନିତିଦିନିଆ ରାସ୍ତାଟିଏ ତିଆରି ହୋଇ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଏଣୁ ବାଧ୍ୟ ହୋଇ ଗର୍ଭବତୀକୁ ଖଟିଆରେ ବୋହିନେଲେ ସମ୍ପର୍କୀୟ । ଆମ୍ବୁଲାନ୍ନ ପାଖରେ  ପହଞ୍ଚିବା ପାଇଁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ବିପଦପୂର୍ଣ୍ଣ ନଦୀ ମଧ୍ୟ ପାର କରାଇଲେ । ଶେଷରେ ଆମ୍ବୁଲାନ୍ସ ଓ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗର୍ଭବତୀ । ମାତ୍ର ବିଳମ୍ବ ହେବା ଯୋଗୁଁ ମହିଳା ଜଣକ ଏକ ମଲା ଶିଶୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି ।ବାଙ୍ଗିରିପୋଷି  ବୃକ୍ତ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଏବେ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଛି । ପ୍ରସୂତି ଜଣକ ହେଉଛନ୍ତି ଏହି ବ୍ଲକ୍ ଅଧୀନ ଚାକିଡ଼ି ପଞ୍ଚାୟତ କୁସୁମତୋଟା ଗାଁର ସିରୁ କିସ୍କୁ(୩୫) ଙ୍କ ପତ୍ନୀ ଧାନ କିସ୍ତୁ(୩୦) । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ ଧାନି। ମେଡିକାଲ ନେବା ପାଇଁ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ରାସ୍ତା ନ ଥିବା ଏବଂ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରିବାକୁ ପଡ଼ୁଥିବାରୁ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ ଗ୍ରାମବାସୀ । ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ଧାନି । ଶନିବାର ସକାଳୁ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ତାଙ୍କୁ ଏକ ଖଟିଆରେ ବୋହି ନେଇ ବୁଢ଼ାବଳଙ୍ଗ ନଦୀ ପାର କଲେ । ନଦୀ ଆରପଟେ ପହଞ୍ଚିବା ପରେ ପେଟରେ ଯନ୍ତ୍ରଣା ବଢ଼ିଥିଲା। ସେତେବେଳେକୁ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା । କିଛି ସମୟ ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ଆସିଥିଲା। ସେଥିରେ ଧାନିଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ନିକଟସ୍ଥ ଗାଁର ଆଶା ଦିଦି ରଇବାରୀ ନାଏକ ସହଯୋଗ କରିଥିଲେ। ମେଡିକାଲରେ ଧାନି ମୃତ ଶିଶୁଟିଏ ଜନ୍ମ ଦେଇଥିବା ସିରୁ ସୂଚନା ଦେଇଛନ୍ତି । ବାଙ୍ଗିରିପୋଷି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟିଚାଲିଛି । ଗର୍ଭ ଯନ୍ତ୍ରଣା ସରେ ମେଡିକାଲ ଯିବା ପାଇଁ ସକାଳ ପାହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ରାଜ୍ୟ ସରକାରଙ୍କ ଜନନୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ ବାଙ୍ଗିରିପୋଷିର ଜନନୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳୁନି ଏନେଇ ରାଜ୍ୟ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବଣ ଜଙ୍ଗଲ ଘେରା ଅଞ୍ଚଳଗୁଡ଼ିକ କେତେ ଯେ ଅବହେଳିତ ତାହା ଉକ୍ତ ଘଟଣାରୁ ଜଳଜଳ ହୋଇ ବାରି ହେଉଛି । ଆମ୍ବୁଲାନ୍ସ ଠିକଣା ସମୟରେ ପହଞ୍ଚିଥିଲେ, ହୁଏତ ଶିଶୁଟିର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାରେ ରହିଛି ୨୬ଟି ବ୍ଳକ୍ ସେଥିରୁ ସବୁଠାରୁ ଦୁର୍ଗମ ଓ ଆଦିବାସୀ ଅଧୁଷିତ ବ୍ଲକ୍ ହେଉଛି ବାଙ୍ଗିରିପୋଷି । ଏହି ବ୍ଲକ୍ ଅଧୀନ ଶିମିଳିପାଳ ପାଦଦେଶରେ ଥିବା ଚାକିଡ଼ି ପଞ୍ଚାୟତ ଅନ୍ତର୍ଗତ କୁସୁ ମତୋଟା, ଖଡ଼ି ଘାଟି ଓ ଜାମତୋଳିଆ ଗାଁକୁ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ହୋଇ ରହିଛି ।

Related Posts

About The Author

Add Comment