ଅଭିଶପ୍ତ 2020 ର ପ୍ରାରମ୍ଭ ରୁ ଜୀବନ ଟା ସତେ ଯେମିତି ସ୍ଵାଦହୀନ, ରଙ୍ଗହୀନ ହୋଇପଡି ଛି… ଏକବିଂଶ ଶତାବ୍ଦୀ ରେ ପାଦ ଦେଇ ଆଧୁନିକତା, ପ୍ରଯୁକ୍ତିବିଦ୍ୟା ଓ ଚିକିତ୍ସା ଶାସ୍ତ୍ର ର ଶୀର୍ଷ ସ୍ଥାନ ରେ ଉପନୀତ ହେଲା ପରେ ମଧ୍ୟ ଏ କୋଭିଡ 19 ପରି ଦୁରାବସ୍ଥା ଭୋଗିବାକୁ ପଡିବ ସେ ଭାବନା କେବେ ମାନସପଟ୍ଟ ରେ ଉଦ୍ରେକ ହୋଇନଥିଲା.. ଲକ ଡାଉନ, ସଟ ଡାଉନ, କଣ୍ଟେନମେଣ୍ଟ ଜୋନ ଭିତରେ ବି ଜୀବନ ଯେ ଜୀଇଁ ହୁଏ କେହି ହୁଏତ ସେଭଳି କଳ୍ପନା କରିନଥିଲେ… ସରକାର ଙ୍କ ନାନାଦି କଟକଣା ହେତୁ ସକାଳ ହେବା କ୍ଷଣି “ମଲ୍ଟି ଜିମ” ରେ କସରତ କରିବା ଠାରୁ ଆରମ୍ଭ କରି ମଧ୍ୟ ରାତ୍ରରେ “ପଞ୍ଚତାରକା ଭୋଜନାଳୟ” ରୁ ଆତ୍ମା ଶାନ୍ତି କରି ଅବା ରାଜଧାନୀ ର କୋଉ ପାର୍କ /ଶପିଂ ମଲ ରୁ ଗୁଲି ଖଟି କରି ଫେରିବା ହେଉ ସବୁ କିଛି ଅନିର୍ଦ୍ଧିଷ୍ଟ କାଳ ଯାଏ ଠପ ହୋଇଯାଇଛି… ଗାଁ ମୁଣ୍ଡ” ଚା ପାନ” ଦୋକାନ ରେ ସେ ସରଗରମ ରାଜନୈତିକ ଆଲୋଚନା ଆଉ ହେଉନି କି କଲେଜ ପାଖ “ଇଣ୍ଟରନେଟ କେଫ “ରେ ସେ ଲୁଚା ଛପା ପ୍ରେମ ଆଉ ଚାଲୁନି…ଛକ ବଜାର ରେ ନା ଆଉ ବୁଲେଟ, ପଲସର ର ଆବାଜ ଶୁଭୁଛି ନା ଆମ କଲେଜ ପଢୁଆ ପିଲା ଙ୍କ ଭିଡ ଜମୁଛି… ବସ ଷ୍ଟାଣ୍ଡ ପାଖ “ଫାଷ୍ଟ ଫୁଡ ଷ୍ଟଲ” ଆଗରେ ରେ ନା ଆଉ ନାଲି ନେଳି ସ୍କୁଟି ଲାଗୁଛି ନା ଦହିବରା ଵାଲା ର ହାଣ୍ଡି ଖଡ଼ ଖଡ଼ ଶବ୍ଦ ଆଉ ଆସୁଛି… ବୈଦ୍ୟୁତିକ ଗଣମାଧ୍ୟମ ଗୁଡିକରେ ନା ଅଛି ସେ “5 T”ର ପୁଙ୍ଖାନୁପୁଙ୍ଖ ଆଲୋଚନା ନା ଅଛି “ଜନମଞ୍ଚ “ପରି କାର୍ଯ୍ୟକ୍ରମ ର ସେ ତେଜସ୍ୱୀ ଵାକଯୁଦ୍ଧ… ଏହା ଭିତରେ କେବେ ପ୍ରକୃତି କୋଳରୁ ଗ୍ରୀଷ୍ମ ବିଦାୟ ନେଇ ବର୍ଷା ଆଗମନ କରିଛି ସେ ବିଷୟ ବି ଅଜ୍ଞାତ ସାର ରେ ରହିଯାଇଛି… ଓଡ଼ିଆ ଘର ର ବାର ମାସରେ ତେର ପର୍ବ ରୁ ବି କିଛି ରଙ୍ଗହୀନ, ମୂଲ୍ୟହୀନ ହୋଇଯାଇଛି… କୋମଳମତି ଶିଶୁ ଠାରୁ ଆରମ୍ଭ କରି ଶଯ୍ୟାଶାୟୀ ବୃଦ୍ଧ ବୃଦ୍ଧା ଯାଏ ସମସ୍ତେ ଏକ ପ୍ରକାର ମାନସିକ ବିଷାଦ ମଧ୍ୟ ରେ ଗତି କରୁଛନ୍ତି… ସକାଳୁ ସନ୍ଧ୍ୟା ଯାଏ ବାରମ୍ବାର ହାତ ଧୋଇବା, କେଉଁଠି କେତେ ରୋଗୀ ବାହାରିଲେ ପ୍ରତି ମୁହୂର୍ତ୍ତ ରେ ଯାଞ୍ଚ କରିବା, ଆରୋଗ୍ୟ ସେତୁ ଆପ ଅପଡେଟ କରି ସୁରକ୍ଷିତ ନା ନାହିଁ ଜାଣିବା, ମାସ୍କ ଓ ସାନିଟାଇଜର ପାଇଁ ଔଷଧ ଦୋକାନ କୁ ଫୋନ କରିବା, ସରକାର ଙ୍କ ସାମ୍ବାଦିକ ସମ୍ମିଳନୀ କୁ ମନ ଧ୍ୟାନ ଦେଇ ଶୁଣିବା ପ୍ରାୟ ସମସ୍ତଙ୍କର ନିତି ଦିନିଆ ଅଭ୍ୟାସ ରେ ପରିଣତ ହୋଇଯାଇଛି… ଏହି କୋରାନା ରୂପୀ ଘୋର ଅନ୍ଧକାର ଭିତରେ ଆମର ତଥାକଥିତ ଯୋଦ୍ଧା ମାନେ ଏକ ନୂତନ ଆଶା ର ଆଲୋକ ସାଜିଛନ୍ତି… ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ, ଅଗ୍ନିଶମ କର୍ମଚାରୀ, ସାମ୍ବାଦିକ, ସଫେଇ କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ ଯାଏ ସମସ୍ତେ ଏ ଯୁଦ୍ଧ ରେ ଜଣେ ଜଣେ ଦକ୍ଷ ବିଚକ୍ଷଣ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇଛନ୍ତି… ସରକାର ଙ୍କ ଉଦ୍ୟମ ରେ ବିଭିନ୍ନ ଗଣମାଧ୍ୟମ ର ସହାୟତା ରେ ଜନ ସାଧାରଣ ଙ୍କୁ ସଚେତନ କରାଯାଉଛି… ପ୍ରଚାର ଗାଡି, ପ୍ରଚାର ପତ୍ରିକା ର ବ୍ୟବହାର ମଧ୍ୟ କରାଯାଉଛି… ବହୁ ସାମାଜିକ ଅନୁଷ୍ଠାନ ର କର୍ମୀ ମାନେ ପୁରପଲ୍ଲୀ ରେ ପଂହଁଚି କୋରୋନା ମହାମାରୀ ର ସଚେତନତା ବାର୍ତ୍ତା ଜନ ସାଧାରଣ ଙ୍କ ନିକଟରେ ରଖୁଛନ୍ତି… ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ରୁ ସହର ଯାଏ ବୁଲି ବୁଲି ହାତ ଧୋଇବା ର ବୈଜ୍ଞାନିକ ପ୍ରଣାଳୀ, ମାସ୍କ ର ସଠିକ ବ୍ୟବହାର, ରୋଗ ର ଲକ୍ଷଣ ଇତ୍ୟାଦି ବିଷୟ ରେ ଅନବରତ ସଚେତନ କରାଉଛନ୍ତି… ମହାମାରୀ ସମୟରେ ସରକାର ଙ୍କର କଡ଼ା ନିୟମାବଳୀ ବିଷୟରେ ବିଭିନ୍ନ ସାମାଜିକ ମାଧ୍ୟମ ଓ ପ୍ରମୁଖ ଗଣମାଧ୍ୟମ ର ସହାୟତା ରେ ଜନ ସାଧାରଣ ଙ୍କ ନିକଟରେ ପ୍ରତି ମୁହୂର୍ତ୍ତ ରେ ପଂହଁଚୁଛି.. ପୋଲିସ ଭାଇ ମାନେ ଦିନ ରାତି ଏକ କରି ଜନ ସାଧାରଣ ଙ୍କୁ ନିୟମାବଳୀ ବିଷୟ ରେ ଅବଗତ କରିବା ସହ ତାଗିଦ ମଧ୍ୟ କରୁଛନ୍ତି… ମହାମାରୀ ସମୟ ରେ ସରକାର ଙ୍କ ନିର୍ଦ୍ଧେଶାନାମା କୁ ଅବମାନନା କଲେ ବା ନୀତି ନିୟମ କୁ ଉଲଙ୍ଘନ କଲେ କଠୋର ଦଣ୍ଡ ବିଧାନ ର ବ୍ୟବସ୍ଥା ବି ଅଛି… ଏସବୁ ସତ୍ତ୍ୱେ କେଉଁଠି ନା କେଉଁଠି ସଚେତନତା ର ଅଭାବ ପରିଲକ୍ଷିତ ହେଉଛି … ମାନସିକତା ରେ ଶତ ପ୍ରତିଶତ ପରିବର୍ତ୍ତନ ଲକ୍ଷ କରାଯାଉନି… ଯେମିତିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ର କୋଭିଡ ମାର୍ଗଦର୍ଶିକା ଅନୁସାରେ ବାହାର ସ୍ଥାନ ରେ ମାସ୍କ ର ବ୍ୟବହାର ଅପରିହାର୍ଯ୍ୟ, କିନ୍ତୁ ଅବସାଦ ର ବିଷୟ ଏଥିରେ ସାଙ୍ଘାତିକ ବ୍ୟତିକ୍ରମ ଦେଖା ଦେଉଛି… ନାନା ଆଳ ଦେଖାଇ ଜନ ସାଧାରଣ ମାସ୍କ ବ୍ୟବହାର ରୁ ନିବୃତ୍ତ ରହୁଛନ୍ତି…ଯଦି କେହି କେବେ ପ୍ରଶ୍ନ କରେ ବିଭିନ୍ନ ହାସ୍ୟାସ୍ପଦ ବେଖାତିର ଉତ୍ତର ସାମ୍ନା କୁ ଆସୁଛି… ଦୈନନ୍ଦିନ ଜୀବନ ର ଅନୁଭୂତି ରୁ ଏପରି କିଛି ପ୍ରଶ୍ନୋତ୍ତର…
ପ୍ରଶ୍ନ :ମାସ୍କ କାହିଁକି ପିନ୍ଧି ନାଁହାନ୍ତି???
ଉତ୍ତର ସମୂହ :
1.ସ୍ମିତହାସ୍ୟ ଦେଇ ନିରୁତ୍ତର
2.ଭୁଲି ଯାଇଛି !!!
3.ବାଇକ ରେ ଆସିବା ସମୟରେ ଉଡ଼ିଗଲା
4.ପାଖରେ ଘର ତ ପଳେଇ ଆସିଲି
5.ଧୋଇକି ଶୁଖେଇ ଦେଇଛି
6.ପକେଟ ରେ ଅଛି
7.ଗାଡି ଡ଼ିକି ରେ ଅଛି
8.ପିନ୍ଧିଥିଲି ଏବେ ଖୋଲିଦେଲି
9.ମାସ୍କ ପିନ୍ଧିଲେ ବି ତ ରୋଗ ହେଉଛି !!!
10.ଆମ ଅଞ୍ଚଳ ରେ କୋରୋନା ନାହିଁ
11.ମୋର କିଛି ହେବନି
12.ମାସ୍କ ଆଉ ମିଳୁନି
13.ମୁଁ ପିନ୍ଧିବିନି ଆପଣ ଯାହା କୁହନ୍ତୁ
14.କେହି ତ ପିନ୍ଧୁନାଁହାନ୍ତି
15.ମୋତେ ଅଣ ନିଶ୍ୱାସୀ ଲାଗୁଛି
16.ମୁଁ ହଜାର ହଜାର ଲୋକଙ୍କୁ ମାସ୍କ ବାଣ୍ଟିଛି ଆପଣ କଣ ମୋତେ ଶିଖାଉଛନ୍ତି
17.ଡାକ୍ତରଖାନା ରେ ମାଗିଲେ ଦେଉ ନାଁହାନ୍ତି.. ଏପରି ଅନେକ କିଛି….
ତେଣୁ ଜନସାଧାରଣ ଙ୍କୁ ବିନମ୍ର ଅନୁରୋଧ ଏପରି ଅସାବଧାନତା ସ୍ଵଭାଵ କୁ ପରିତ୍ୟାଗ କରି ସମାଜ କୁ ସୁରକ୍ଷିତ ରଖିବା ସହ ଦେଶ ର ପ୍ରଗତି ଓ କୋରୋନା ଯୁଦ୍ଧ ରେ ସକ୍ରିୟ ସାମିଲ ହୁଅନ୍ତୁ…