କୂଳ ଲଘୁଛି ସୁବର୍ଣ୍ଣରେଖା

Spread the love

ବାରିପଦା ୧/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଲଗାଣ ବର୍ଷାରେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ପ୍ରବାହିତ ହେଉଥିବା ସୂବର୍ଣ୍ଣରେଖା ନଦୀରେ ଏ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଜଳସ୍ତର ବଢୁଥିବାରୁ ସୁବର୍ଣ୍ଣରେଖା ନଦୀର ଉଭୟ କୂଳ ଲଙ୍ଘିବାରେ ଲାଗିଛି । ଏହି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଜାମଶୋଳାଠାରେ ଥିବା ଭାରତ ସରକାରଙ୍କ କେନ୍ଦ୍ରୀୟ ଜଳ ଆୟୋଗ ବେତାର କାର୍ଯ୍ୟାଳୟ ସୂଚନା ମୁତାବକ ଏହି ନଦୀର ଜଳପତ୍ତନର ବିପଦ ସଂକେତ ୪୮ ମିଟର ରହିଛି । ଆଜି ପୂର୍ବାହ୍ନ ୮ଟାରୁ ଏହା ଏକ ମିଟର ଉପରେ ପ୍ରବାହିତ ହେଉଛି । ସେହିପରି ଅଞ୍ଚଳରେ ଲଗାତାର ଗତ ୩ ଦିନ ଧରି ବର୍ଷ ଜାରି ରହିଥିବା ବେଳେ ଗତକାଲି ପୂର୍ବାହ୍ନ ୮ଟା ସୁଦ୍ଧା ସର୍ବାଧିକ ୧୧୬.୬ ମିମି ବର୍ଷା ରେକର୍ଡ କରାଯାଇଛି । ସୂବର୍ଣ୍ଣରେଖାରେ ଜଳପତ୍ତନ ବୃଦ୍ଧି ହେବା ପରିଲକ୍ଷିତ ହେଉଥିବାରୁ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ଏକ ଘଣ୍ଟାରେ ଥରେ ମାପ କରାଯାଇ ସ୍ଥିତି ଉପରେ ଦୃଷ୍ଟି ରଖାଯାଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଉପର ମୁଣ୍ଡରେ ଝାଡ଼ଖଣ୍ଡ ରାଜ୍ୟରେ ଥିବା ଚାଣ୍ଡିଲ ଓ ଗାଲୁଡିହି ବ୍ୟାରେଜ୍‌ରେ ଆଜି ରାତିରେ ପାଣି ଛଡ଼ାଯିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ସୁବର୍ଣ୍ଣରେଖାରେ ଆହୁରି ଜଳପତ୍ତନ ବୃଦ୍ଧି ହେବାର ଆଶଙ୍କା ରହିଛି ।

Related Posts

About The Author

Add Comment