କାଲାମଙ୍କ ମହାନତା

Spread the love
  •  
  •  
  •  
  •  
  •  
ପୂଣ୍ୟ ତିଥିରେ କୋଟି ପ୍ରଣାମ।୨୦୧୪ ମସିହା କଥା। ଏକ ଗ୍ରାଇଣ୍ଡର କମ୍ପାନୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ କଲାମ। କାର୍ଯ୍ୟକ୍ରମ ଶେଷରେ ଉକ୍ତ କମ୍ପାନୀ ତାଙ୍କୁ ଏକ ଗ୍ରାଇଣ୍ଡର ଉପହାର ପ୍ରଦାନ କରିଥିଲା। ହେଲେ କଲାମ ତାହାକୁ ଗ୍ରହଣ କରି ନ ଥିଲେ। ତେବେ ଯେହେତୁ ସେତେବେଳେ ତାଙ୍କର ଗ୍ରାଇଣ୍ଡରଟିଏ ଦରକାର ଥିଲା  କଲାମ ସେଇଟିକୁ ଟଙ୍କା ଦେଇ କିଣିବାକୁ ଚାହିଁଥିଲେ। ଜଣେ ବ୍ୟକ୍ତିଙ୍କ ହାତରେ ଦୋକାନ ମାଲିକଙ୍କ ପାଖକୁ  ୪,୮୫୦ ଟଙ୍କାର ଚେକ୍  ପଠାଇଥିଲେ।
ହେଲେ, ଦୋକାନୀ କଲାମଙ୍କ ପାଖରୁ ଟଙ୍କା ଗ୍ରହଣ କରିବାକୁ ଚାହୁଁ ନ ଥିଲେ। ମାସେ ବିତିଯିବା ପରେ ବି ଦୋକାନୀ ସେଇ ଚେକ୍ ବ୍ୟାଙ୍କରେ ଡିପୋଜିଟ କରି ନଥିଲେ। କଲାମଙ୍କ ଅଫିସରୁ ଦୋକାନୀଙ୍କୁ  ଶୀଘ୍ର ଚେକ୍ ଡ଼ିପୋଜିଟ କର ନଚେତ ଗ୍ରାଇଣ୍ଡର ଫେରାଇ ନେବାକୁ ଫୋନ କରି କୁହାଯାଇଥିଲା। ଶେଷରେ ଦୋକାନୀ ସେଇ ଚେକ୍ ବ୍ୟାଙ୍କରେ ଡ଼ିପୋଜିଟ କଲେ।  ଚେକ୍ ଡ଼ିପୋଜିଟ ହେବା ଜାଣିବା ପରେ କଲାମ ସେଇ ଦୋକାନୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ। କଲାମଙ୍କ ହସ୍ତାକ୍ଷର ଥିବା ସେଇ ଚେକକୁ  ସ୍କାନ କରି ତାହାର ଏକ କପିକୁ ଦୋକାନୀ ନିଜ ପାଖରେ  ସାଇତି ରଖିଛନ୍ତି। କଲାମଙ୍କ ଜାଗାରେ କୋଉ ନେତା, ମନ୍ତ୍ରୀ ଥିଲେ କ’ଣ କରିଥାନ୍ତେ ତାହା କାହାକୁ ବା ଅଜଣା। ଆଜିକାଲି ତ ଗୋଟିଏ ଇଶାରାରେ ନେତାଙ୍କ ଘରେ କଣ କଣ ପହଞ୍ଚି ଯାଉଛି ତାର ହିସାବ ନାହିଁ। ବିଡା ବିଡା ଟଙ୍କା, ପେଟିପେଟି ମାଲ, ଏମିତି କେତେ କ’ଣ।
ରାଷ୍ଟ୍ରପତି ଭାବେ କେରଳ ଗସ୍ତ ବେଳେ ଜଣେ ମୋଚି ଓ ଛୋଟିଆ ହୋଟେଲ କରି ପେଟ ପୋଷୁଥିବା ବ୍ୟକ୍ତିଙ୍କୁ କଲାମ ନିଜର ଅତିଥି ଭାବେ ରାଜଭବନକୁ ନିମନ୍ତ୍ରଣ କରି ନିଜ ମହାନତାର ପରିଚୟ ଦେଇଥିଲେ। ସଫଳତାର ଆକାଶ ଛୁଇଁ ସାରିଲା ପରେ ବି ମାଟିର ମହକକୁ ଭୁଲି ନ ଥିଲେ। ଏମିତି ଅନେକ ଘଟଣା ଅଛି ଯାହା କଲାମଙ୍କ ବଡ଼ପଣ, ଉଦାରତା, ସଚ୍ଚୋଟତା, ସରଳତାର ଉଦାହରଣ ରଖେ।  କାଲାମଙ୍କ ବ୍ୟକ୍ତିତ୍ୱ ବର୍ଣ୍ଣନା କରିବାକୁ ସାରା ଦୁନିଆର ଶବ୍ଦ ବି କମ ପଡ଼ିଯିବ। ଗର୍ବ, ଅହଙ୍କାର କେମିତିଆ ଅନୁଭୂତି  ତାହା ହୁଏତ କାଲାମ ନିଜ ଜୀବନ କାଳ ଭିତରେ କେବେ ବି ଜାଣି ପାରି ନ ଥିବେ। ଯେତେ ଉପରକୁ ଉଠିଥିଲେ ସେ, ତାଙ୍କ ପାଦ ସେତେ ତଳେ ଲାଗି ରହିଥିଲା। କାହାର ଜାତି କ’ଣ, ଧର୍ମ କ’ଣ  ବୁଝୁ ନ ଥିଲେ, ମଣିଷଙ୍କୁ କେବଳ ମଣିଷ ହିସାବରେ ଭଲ ପାଉଥିଲେ।
ଆଜିକାଲିକା ସରପଞ୍ଚ, ଏମଏଲଏ, ଏମପିଙ୍କ ଫୁଟାଣି  କାହାକୁ ବା ଅଛପା। ସିଏ ତ ପ୍ରଫେସର, ବୈଜ୍ଞାନିକ,  ରାଷ୍ଟ୍ରପତି ହେଇଥିଲେ। ଖାଲି ସେତିକି ନୁହେଁ, ଭାରତର ରତ୍ନ ହେଇ କି ତଳେ ବସି ଖାଇ ପାରୁଥିଲେ। ଛୋଟିଆ ଦୋକାନରେ ବସି ଚା’ ପିଇ ପାରୁଥିଲେ। ଛୋଟିଆ ଖଟିଆରେ ଶୋଇ ପାରୁଥିଲେ। ଆଜିକାଲି କିଏ ଟିକିଏ କ’ଣ କୋଉଠୁ ପଢ଼ି ଜାଣିଗଲେ ଆଉ ଇଂଦ୍ରଚଂଦ୍ର ମାନୁ ନାହାନ୍ତି। ନିଜକୁ ଅନ୍ୟଠାରୁ ଜ୍ଞାନୀ ଭାବୁଛନ୍ତି। ହେଲେ, ଠିକ ଫଳନ୍ତି ଗଛ ଭଳି ଥିଲା କାଲାମଙ୍କ ଜୀବନ। ଜ୍ଞାନର ଭଣ୍ଡାର ଥିଲେ, ତଥାପି ମୁଣ୍ଡ ତଳକୁ ନୋଇଁ ଚାଲୁଥିଲେ। ନିଜେ ଶିଖୁଥିଲେ, ସବୁବେଳେ ଅନ୍ୟକୁ ଶିଖାଉଥିଲେ।
ଯାହା ରୋଜଗାର କରୁଥିଲେ ସବୁ ଦାନ କରି ଦେଉଥିଲେ। ଅତ୍ୟନ୍ତ ନିଃଶ୍ବାର୍ଥପର ଥିଲେ। ନିଜଠାରୁ ଅଧିକ ଦେଶବାସୀ, ଗରିବ, ଦୁସ୍ଥମାନଙ୍କ କଥା ଚିନ୍ତା କରୁଥିଲେ। କାଳେ ପିଲାଛୁଆଙ୍କ ମାୟାରେ ପଡ଼ି ସ୍ୱାର୍ଥପର ହେଇଯିବେ ସେଥିପାଇଁ ବାହା ହେଲେନାହିଁ ବୋଲି ଥରେ କଥା ଛଳରେ କହିଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ୱ ଏ ଦୁନିଆରେ ବିରଳ। ଦୁନିଆ ଛାଡ଼ି ଯିବା ବେଳକୁ କଲାମ ଯେଉଁ କେତୋଟି ସମ୍ପତ୍ତି ଛାଡ଼ି ଯାଇଥିଲେ ତାହା ହେଉଛି ଗୋଟିଏ ଭାରତ ରତ୍ନ, ଗୋଟିଏ ପଦ୍ମଶ୍ରୀ, ଗୋଟିଏ ପଦ୍ମବିଭୁଷଣ, ୧୬ଟା ଡକ୍ଟରେଟ,  ୨୫ଟି ବହି, ଡିଆରଡିଓର ୪ଟା ୟୁନିଫର୍ମ ସମେତ ୬ଟା ପ୍ୟାଣ୍ଟ, ୪ଟା ଶାର୍ଟ, ଗୋଟିଏ ଟୁଇଟର ଆକାଉଣ୍ଟ ଓ ଗୋଟିଏ ଇ-ମେଲ ଆଇଡି। ତାଙ୍କ ପାଖରେ କାରଟିଏ ବି ନ ଥିଲା। ଟିଭି, ୱାସିଂମେସିନ, ଜାଗାବାଡ଼ି, ବ୍ୟାଙ୍କ ବାଲାନ୍ସ ନ ଥିଲା।
-ହଜାରହଜାର ବର୍ଷ ପରେ ବି କଲାମଙ୍କ ଜୀବନୀ ଅନ୍ୟକୁ ଏମିତି ପ୍ରେରଣା ଯୋଗାଉଥିବ। ଘରେ ବାପା, ମା’ଙ୍କ ଫଟୋ ପାଖରେ କଲାମଙ୍କ ହସହସ ମୁହଁର ଫଟୋଟିଏ ଟାଙ୍ଗି ଦେଲେ କେତେ ଭଲ ହୁଅନ୍ତା  ! ସେଇ ମୁହଁ ଆମକୁ ପ୍ରତିଦିନ ସରଳ, ଶାନ୍ତ ହେବାକୁ, ଉପରେ ଉଡ଼ିଲେ ବି ତଳେ ପାଦ ରଖିବାକୁ,  ନିରାଡମ୍ବର ଜୀବନ ଜିଇଁବାକୁ ନିଇତି ପ୍ରେରଣା ଯୋଗାଇବ ନିଶ୍ଚୟ।
ପଞ୍ଚମ ତିରୋଧାନ ଦିବସରେ ଏହି ମହାମାନବ, ଭାରତର ଅମୂଲ୍ୟ ରତ୍ନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ମୋର ବନ୍ଧୁ

Related Posts

About The Author

Add Comment