ଭୁବନେଶ୍ବର, ୨୦/୫ (ସନ୍ଧାନ ନିୟୁଜ) : ଦୂତି ଚାନ୍ଦ, ପଡ଼ିଆ ଭିତର ଚମକ ପାଇଁ ସବୁବେଳେ ଚର୍ଚାରେ ରହୁଥିବା ଏହି ଓଡ଼ିଆ ଧାବିକା ନିଜ ବ୍ୟକ୍ତିଗତ ଜୀବନର ଏକ ବଡ଼ ରହସ୍ୟକୁ ରବିବାର ଉନ୍କୋଚନ କରିଛନ୍ତି। ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିବା ତଥା ଦେଶର ଦ୍ରୁତତମ ଧାବିକା ଦୂତିଙ୍କୁ ଜୀବନ ସାଥୀ ମିଳିଯାଇଛି। ତେବେ ତାଙ୍କ ଜୀବନର ଏହି ମହତ୍ବପୂର୍ଣ୍ଣ ବ୍ୟକ୍ତି ଜଣକ ପୁରୁଷ ନୁହେଁ, ସେ ଜଣେ ମହିଳା। ଦୂତିଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ କ୍ରୀଡ଼ା ଦୁନିଆରେ ଝଡ଼ ସୃଷ୍ଟି ହୋଇଛି।
ଦୂତି ତାଙ୍କ ଗାଁ ଯାଜପୁର ଜିଲ୍ଲାର ଚକଗୋପାଳପୁରର ଜଣେ ୧୯ ବର୍ଷୀୟା ଝିଅର ପ୍ରେମରେ ପଡ଼ି ଯାଇଛନ୍ତି। ବିବାହ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି। ଅଲିମ୍ପିକ୍ସ ଯିବା ପୂର୍ବରୁ ନିର୍ବନ୍ଧ କରିନେବା ପାଇଁ ସଜବାଜ ହେଉଥିଲେ ମଧ୍ୟ ଏହାକୁ ସଂପ୍ରତି ସ୍ଥଗିତ ରଖିଛନ୍ତି। ଏକଥା ପଦାକୁ ଆସିବା ପରେ କ୍ରୀଡ଼ାପ୍ରେମୀଙ୍କ ଆଖି କିନ୍ତୁ ଖୋସି ହୋଇଯାଇଛି। ଥୋକାଏ ଏହାକୁ ସମର୍ଥନ କରୁଥିଲା ବେଳେ ଅନେକ ନାପସନ୍ଦ କରିଛନ୍ତି। ଦୂତିଙ୍କ ଏହି ସ୍ବୀକାରୋକ୍ତି ମଧ୍ୟ ଓଡ଼ିଶା ସହ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଛି। ଦୂତି ନିଜ ପ୍ରେମିକାଙ୍କ ନାଁ ଗୋପନ ରଖିଛନ୍ତି। ଝିଅ ଜଣକ, ସଂପର୍କରେ ଦୂତିଙ୍କର ଝିଆରି ହେବ ବୋଲି ଅବଶ୍ୟ ତାଙ୍କ ବଡ଼ ଉଭଣୀ ସରସ୍ବତୀ ଚାନ୍ଦ ସୂଚନା ଦେଇଛନ୍ତି। ଦୂତି ସମଲିଙ୍ଗୀ ବୋଲି ସ୍ବୀକାର କରିବା ପରେ କିନ୍ତୁ ରବିବାର ପ୍ରକାଶ ପାଇଥିବା ୨୦୧୯ ନିର୍ବାଚନର ବାହୁଡ଼ା ମତ ଫଳାଫଳ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ସେ ଏକପ୍ରକାର ବଳି ଯାଇଛନ୍ତି। ଦୂତି ଯେମିତି ସବୁ ପ୍ରକାର ଗଣମାଧ୍ୟମର ପ୍ରମୁଖ ଶିରୋନାମା ପାଲଟି ଯାଇଛନ୍ତି। ଦୂତି ଅତୀତରେ ନିଜ ବଳିଷ୍ଠ ପ୍ରଦର୍ଶନରେ ଭାରତ ପାଇଁ ଅନେକ ପ୍ରଥମ ପଦକ ଜିତିଛନ୍ତି। ଏବେ ସମଲିଙ୍ଗୀ ସଂପର୍କକୁ ଖୋଲାଖୋଲି ଭାବେ ସ୍ବୀକାର କରିବାରେ ଦେଶର ପ୍ରଥମ କ୍ରୀଡ଼ା ତାରକା ହୋଇଛନ୍ତି। ସଂପୃକ୍ତ ଝିଅ ସହ ଗତ ତିନି ବର୍ଷ ହେବ ପ୍ରେମ ସଂପର୍କ ଥିବା ଦୂତି କହିଛନ୍ତି। ଅନେକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଧନା ସଭାରେ ମଧ୍ୟ ତାଙ୍କୁ ଦୂତିଙ୍କ ସହ ଦେଖିବାକୁ ମିଳେ।
ପରିବାର ଲୋକ ମୋତେ ମାନସିକ ଯନ୍ତ୍ରଣା ଦେଉଛନ୍ତି: ଦୂତି
ଦୂତି କିନ୍ତୁ ନିଜ ପରିବାର ଏବଂ ବିଶେଷ କରି ବଡ଼ ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରୋଧରେ ଅନେକ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋ ବଡ଼ ଭଉଣୀ ଆମ ଘରୁ ମୋ ଭାଇକୁ ବାହାର କରି ଦେଇଛନ୍ତି। ନାନି ଭାଉଜଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ମୋ ସହ ମଧ୍ୟ ସେମିତି କରିବେ ବୋଲି ଧମକ ଦେଇଛନ୍ତି। ହେଲେ ମୁଁ ସାବାଳିକା ଏବଂ ମୋର ବ୍ୟକ୍ତିଗତ ସ୍ବାଧୀନତା ରହିଛି। ସେଥିପାଇଁ ମୁଁ ଆଗକୁ ବଢ଼ିଲି ଏବଂ ମୋ ସଂପର୍କକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଲି। ପରିବାର ପାଇଁ ଯାହା କରିବା କଥା ମୁଁ କରି ସାରିଛି। ତିନି ମହଲା କୋଠା କରିଛି। ଉଉଣୀମାନଙ୍କ ପଢ଼ା ପଢ଼ି ସବୁ ଦାୟିତ୍ବ ନେଉଛି। ମୁଁ ତ ସବୁବେଳେ ଓଡ଼ିଶା ବାହାରେ ରହୁଛି। ମୋ ନାନି ମା’-ବାପାକୁ ଶିଖାଶିଖି କରିଛନ୍ତି। ସେଥିପାଇଁ ସେମାନେ ଏଭଳି କହୁଛନ୍ତି। ଝିଅ ଘର ପରିବାର ନେଇ ସେମାନେ ଦେଉଥିବା ମନ୍ତବ୍ୟ ଅମୂଳକ। ବରଂ ଘରଲୋକ ମୋତେ ମାରିଦେବାକୁ ଚାହୁଁଛନ୍ତି। ମୁଁ ମରିଗଲେ ଜୀବନ ବୀମାରୁ ବହୁତ ଟଙ୍କା ପାଇବେ। ସଞ୍ଚୟ କରିବେ। ଘର କଥା ବୋଲି ମୁଁ କିଛି କହି ପାରୁନି। ମୁଁ କେତେ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛି, ମୁଁ ଜାଣିଛି। ମୋର ପରିବାର ପ୍ରତି ଭଲପାଇବା ଏବଂ ସମ୍ମାନ ରହିଛି। ନାନି ସମସ୍ତଙ୍କୁ ମାର ପିଟ କରନ୍ତି। କିଛି ମାସ ତଳେ ମୋତେ ମାରିଥିଲେ। ଏକଥା ପୁଲିସ ଥାନାକୁ ବି ଯାଇଥିଲା। ସେଠାରେ ସମାଧାନ ହୋଇଥିଲା। ମୋ ଭଉଣୀ ମଧ୍ୟ ଜଣେ ଝିଅକୁ ରଖିଛନ୍ତି। ସେ ବିଷୟରେ ମୁଁ କିଛି କହିବାକୁ ଚାହେଁନି।