ଗତ କାଲି ସାମାନ୍ୟ ଥଣ୍ଡା ଟିକେ ହୋଇ ଥିଲା। ପତ୍ନୀ ଖୁବ୍ ବ୍ୟସ୍ତ କଲା ଏ କରୋନା ସମୟରେ ତୁରନ୍ତ ଯାଇ ଡାକ୍ତର ଦେଖାଇ ଔଷଧ ଆଣ। ବାଧ୍ୟ ହୋଇ ଲକ୍ ଡାଉନ ଭିତରେ ବି ଜଣେ ନାମକରା ଡାକ୍ତରଙ୍କ ପାଖକୁ ଗଲି। ନମ୍ବର ପଡିବା ପରେ ଡାକରା ହେଲା।ପଡି ଥିବା ଷ୍ଟୁଲ ଉପରେ ବସିବା ପାଇଁ ଧଳା ପଲିଥିନ ସେ ପାଖରେ କାହାର ଜଣଙ୍କର ନିର୍ଦ୍ଦେଶ ଆସିଲା। ବସି ଯାଇ ଲକ୍ଷ କଲି ସଂପୂର୍ଣ୍ଣ ଶରୀର ପି.ପି.କିଟରେ ଆବୃତ ବ୍ୟକ୍ତି ଜଣଙ୍କ ମୋତେ ରୋଗର ଲକ୍ଷଣ ବିଷୟରେ ପଚାରି ଥିଲେ।
ମୁଁ ନିଶ୍ଚିତ ହୋଇ ଯାଇ ଥିଲି ସେ ଡାକ୍ତର ବୋଲି। ଗୋଟିଏ କାଗଜରେ ପ୍ରେସକ୍ରିପସନ ଲେଖି ବଢାଇ ଦେଇ କହିଲେ -ମେଡିସିନ ନେଇ ୭ ଦିନ ଖାଇବ। କଣ ହେଲା ସାତ ଦିନ ପରେ ଫୋନରେ ଯୋଗା ଯୋଗ କରିବ।
ସେଠାରୁ ଆସି ଔଷଧ ଆଣିବାକୁ ସିଧା ମେଡିକାଲ ଷ୍ଟୋରକୁ ଗଲି ପ୍ରେସକ୍ରିପସନ ବଢାଇ ଦେଲି।
ସେ କହିଲା- ” ପ୍ରଥମ ମେଡିସିନକୁ ଛାଡି ସବୁ ଔଷଧ ଅଛି। ନେବ ଯଦି ୪/୫ ଦିନ ପରେ ମଗେଇ ଦେଇ ଦେବି”।
ତା ପରେ ୨ ୟ ମେଡିସିନ ଦୋକାନକୁ ଗଲି।
ସେ କହିଲା- ପ୍ରଥମ ଲେଖାଟିର କଂପାନିର ମେଡିସିନଟି ସରି ଯାଇଛି । କହିବ ଯଦି ଅନ୍ୟ କଂପାନିର ଦେଇ ଦେବି।”
ତା ପରେ ୩ ୟ ଦୋକାନକୁ ଗଲି।
ସେ କହିଲା- ଏ କରୋନା ସମୟରେ ପ୍ରଥମ ମେଡିସିନଟାର ଡିମାଣ୍ଡ ପ୍ରବଳ, ବ୍ଲାକ ହେଉଛି। ଯଦି କହିବେ ମଗେଇ ଦେବି। ଦାମ କିନ୍ତୁ ଅଧିକ ପଡିବ।
ସେଠାରୁ ୪ର୍ଥ ଦୋକାନ ପାଖକୁ ଯାଇ ତା କଥା ଶୁଣି ମୋ ହୋସ ଉଡି ଗଲା।
ସେ କହିଲା-ଏଇଟା ‘ରାମଡିସିଭର’ ପରି ଖୁବ୍ ଚାହିଦା। ଲୁଚାଛପାରେ ମିଳେ। କାହାରିକୁ ଯଦି ନ କହିବ, ଗୋଟିଏ ଷ୍ଟ୍ରିପ ମଗେଇ ଦେବି। କେହି ଯେମିତି ନ ଜାଣନ୍ତି। ଖବର ପାଇଲେ ଦୋକାନ ଆଗରେ ଏତେ ଭିଡ ହେବ ଯେ କଂଟ୍ରୋଲ କରିବା ମୁସ୍କିଲ ହୋଇ ଯିବ।
ଯାହା ବି ହେଉ ସେତେ ବେଳକୁ ବଜାର ସାରା ବୁଲି ବୁଲି ସଂଧ୍ୟା ପ୍ରାୟ ହୋଇ ଆସିଲାଣି। ସିଧା ପୁଣି ଡାକ୍ତରଙ୍କ ପାଖକୁ ଧାଇଲି। ତାଙ୍କର ରୋଗି ଦେଖିବା ସମୟ ଶେଷ ହୋଇ ଯାଇ ଥାଏ। ଘର ସାମ୍ନା ଲନରେ ସପତ୍ନିକ ବସି ହସ ଖୁସିରେ ମଜ୍ଜି ଥାନ୍ତି।
ପହଞ୍ଚି କହିଲି,-ସାର ପ୍ରଥମ ମେଡିସିନ ପାଇଁ ଆଜି ଦିନ ଯାକ ଏ ଦୋକାନରୁ ସେ ଦୋକାନ ବୁଲି ବୁଲି ନୟାନ୍ତ ହେଲିଣି, ସଂଧ୍ୟା ବି ହେଲାଣି। କିନ୍ତୁ ମିଳୁ ନାହିଁ, କିଛି ଅନ୍ୟ ମେଡିସିନ ଲେଖି ଦିଅନ୍ତୁ, ନେଇ ଯିବି।
ହାତରୁ ପ୍ରେସକ୍ରିପସନଟି ନେଇ ସେ ସାନିଟାଇଜର ସ୍ପ୍ରେ କରି ଆଖିରେ ଚଷମା ଦେଇ ଦେଖି କହିଲେ-
“ଆରେ ହେ ତମେ ଏତେ ବୋକା। ପ୍ରଥମଟା ମେଡିସିନ ନୁହଁ, ମୋ କଲମ ଚାଲୁ ନ ଥିଲା ସାମାନ୍ୟ ଗାରେଇ ଦେଖୁ ଥିଲି କଲମ ଚାଲୁଛି କି ନାହିଁ।
ଗଦାଧର ବଳ, ଆଇନଜୀବୀ, ଭଦ୍ରକ