ଭୁବନେଶ୍ୱର:୨୧/୦୭ (ସନ୍ଧାନ ନ୍ୟୁଜ୍)-: ଶାସକ ବିଜେଡିର ୧୨ ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ବିରୁଦ୍ଧରେ ‘ଅଫିସ୍ ଅଫ୍ ପ୍ରଫିଟ୍’ର ଅଭିଯୋଗ ଆଣି ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନେଇ ନଭେମ୍ବର ୧୫ତାରିଖ ସୁଦ୍ଧା ତାଙ୍କ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କୁ ଅବଗତ କରାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୨୦୧୯ ଅଗଷ୍ଟ ୯ ତାରିଖରେ ବିଜେଡିର ୧୨ଜଣ ବିଧାୟକଙ୍କୁ ‘ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ’ ଦେଇ ୧୨ ଜିଲ୍ଲାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀ ଶ୍ରୀ ବେଉରା ୨୦୧୯ ମେ’ ୨୮ତାରିଖ ଓ ସେପ୍ଟେମ୍ବର ୨୭ତାରିଖରେ କରିଥିବା ଦୁଇଟି ଆବେଦନ ଉପରେ ୨୦୨୧ ନଭେମ୍ବର ୮ତାରିଖ ସୁଦ୍ଧା ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ହାସଲ କରି ନଭେମ୍ବର ୧୫ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍(ରିମୁଭାଲ୍ ଅଫ ଡିସକ୍ୱାଲିଫିକେସନ୍) ସଂଶୋଧନ ଆଇନ-୨୦୧୬’ ଉପରେ ମତାମତ ନଦେଇ ଖଣ୍ଡପୀଠ ଏହି ଅନ୍ତର୍ଗତ ଦାଖଲ ହୋଇଥିବା ଦୁଇଟି ଆବେଦନ ଉପରେ ଆବେଦନକାରୀଙ୍କୁ ନିଷ୍ପତ୍ତି ଜଣାଇବାକୁ ରାଜ୍ୟପାଳଙ୍କୁ ହାଇକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ହାଇକୋର୍ଟରେ ଏହି ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କ ବୃନ୍ଦାବନ ନାୟକ ବନାମ ଜାତୀୟ ନିର୍ବାଚନ କମିଶନଙ୍କ ରାୟକୁ ଉଲ୍ଲେଖ କରିବା ସହ ଆବେଦନକାରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କ ମତାମତ ନେଇ ରାଜ୍ୟପାଳ ନିଷ୍ପତ୍ତି ଶୁଣାଇବା ବାଧ୍ୟତାମୂଳକ ବୋଲି ଯୁକ୍ତି ବାଢ଼ିଥିଲେ।