ଅପହୃତଙ୍କୁ ଉଦ୍ଧାର ପରେ ଖୋଲିଲା ଗୁମର, ଅପହରଣକାରୀଙ୍କ ସହ ଅପହୃତ ବି ବନ୍ଧାହେଲେ |

Spread the love

 

ଭୁବନେଶ୍ୱର୧୧/୦୭(ସନ୍ଧାନ ନ୍ୟୁଜ୍)- : ରାଜଧାନୀରେ ଏକ ଅପହରଣ ମାମଲାରେ କମିଶନରେଟ୍‌ ପୁଲିସ୍‌ ଅପହୃତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ଖୋଲିଥିଲା ପ୍ରକୃତ ଗୁମର। ଆଉ ତା’ପରେ ଦୁଇ ଅପହରଣକାରୀଙ୍କ ସହିତ ଅପହୃତଙ୍କୁ ଗିରଫ କରିଛି ପୁଲିସ୍‌।

ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ପ୍ରମୋଦ ମହାନ୍ତି, ସନ୍ତୋଷ ପଟ୍ଟନାୟକ ଓ ସଦାନନ୍ଦ ବେହରା। ପୁରୀ ଅଞ୍ଚଳର ପ୍ରମୋଦ ଓ ନୟାଗଡ଼ର ସନ୍ତୋଷଙ୍କୁ ପୁଲିସ୍ ଅପହରଣ ମାମଲାରେ ଗିରଫ କରିଥିବା ବେଳେ ସଦାନନ୍ଦଙ୍କୁ ଠକେଇ ମାମଲାରେ ଗିରଫ କରିଛି।

ଏସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସୂଚନା ଅନୁଯାୟୀ, ମାର୍କେଟିଂ ସାରି ଫେରୁଥିବା ବେଳେ ସଦାନନ୍ଦଙ୍କୁ ଦୁଇ ଜଣ ଯୁବକ ଏକ କାରରେ ଅପହରଣ କରି ନେଇଥିବା ନେଇ ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଅପହରଣକାରୀ ମାନେ ଫୋନ୍ କରି ସାଢ଼େ ୩ ଲକ୍ଷ ଟଙ୍କା ମାଗିଥିବା ସେ କହିଥିଲେ। ଏହା ପରେ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନ ପୁଲିସ୍ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିବା ପରେ ସଦାନନ୍ଦଙ୍କୁ ଖୋର୍ଦ୍ଧାରେ ଏକ ଫାର୍ମ ହାଉସ୍‌ରେ ରଖାଯାଇଥିବା ଜଣାପଡ଼ିଥିଲା। ଏହା ପରେ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରାଯାଇଥିଲା ଓ ଅପହରଣକାରୀଙ୍କୁ ବି ଗିରଫ କରାଯାଇଥିଲା।

ଅଭିଯୁକ୍ତ ସଦାନନ୍ଦ ବେହେରା
ସେ ଆହୁରି କହିଛନ୍ତି, ଗିରଫ ହେବା ପରେ ଦୁଇ ଅପହରଣକାରୀ କହିଥିଲେ ଯେ ସଦାନନ୍ଦ ସେମାନଙ୍କୁ ପୁଲିସ୍ ଚାକିରି କରାଇ ଦେବେ କହି ସାଢ଼େ ୩ ଲକ୍ଷ ଟଙ୍କା ନେଇଥିଲେ। ଦେଢ଼ ବର୍ଷ ତଳେ ସନ୍ଦାନନ୍ଦ ସେମାନଙ୍କ ଠାରୁ ଏହି ଟଙ୍କା ନେଇଥିଲେ। ତେବେ ଚାକିରି କରାଇ ଦେଇ ନଥିଲେ କି ଟଙ୍କା ବି ଫେରାଇ ନଥିଲେ। ଉକ୍ତ ଟଙ୍କା ଫେରି ପାଇବା ପାଇଁ ସେମାନେ ସଦାନନ୍ଦଙ୍କୁ ଅପହରଣ କରିଥିଲେ।

ଅପହରଣକାରୀଙ୍କ ଅଭିଯୋଗକ୍ରମେ ସଦାନନ୍ଦଙ୍କ ନାଁରେ ଠକେଇ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେ କିଛି ଚାକିରି କରନ୍ତି ନାହିଁ। ଏମିତି ଲୋକଙ୍କୁ ଠକି ଟଙ୍କା ରୋଜଗାର କରନ୍ତି ବୋଲି ଅଭିଯୋଗ ହୋଇଛି। ସେ କେବଳ ଏହି ଦୁଇ ଜଣ ନୁହେଁ, ଆହୁରି ଅନେକଙ୍କୁ ଠକି ଥିବା ଆଶଙ୍କା କରାଯାଉଛି। ଏ ଦିଗରେ ତଦନ୍ତ ଚାଲିଛି। ତଦନ୍ତ ପରେ ସବୁକଥା ଜଣାପଡ଼ିବ ବୋଲି ଏସିପି ଶ୍ରୀ ପାଲ୍ କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି,

Related Posts

About The Author

Add Comment