ରାଉରକେଲା, ୧୦/୧୦ (ସନ୍ଧାନ ନିଉଜ/ଏସ ନାୟକ) : ଦକ୍ଷିଣ ରାଉରକେଲା ସମେତ ସାରନଗରୀ ବାସିନ୍ଦା ମାନଙ୍କ ଏକ ନିତିଦିନିଆ ରାସ୍ତା ହେଉଛି ହେକେଟ ରୋଡ । ଏହି ରାସ୍ତାଟି ଦେଓଗାଁ କୁଷ୍ଠ କଲୋନୀ ଠାରୁ ଉଦିତନଗର ସାରନା ଛକ ଯାଏ ଲମ୍ବିଛି । ରାଉରକେଲା ସହରର ଗୁରୁତ୍ୱପୁର୍ଣ୍ଣ ଅଂଚଳ ଯେପର ଆରଜିଏଚ, କୋର୍ଟ ଓ ସେକ୍ଟର ଅଂଚଳକୁ ଯିବାକୁ ହେଲେ ଜନସାଧାରଣ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ସାରନଗରୀ ଅଂଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ଟ୍ରାଫିକ ଗେଟ ତଥା ପ୍ଲାଂଟ ସାଇଟ ଅଂଚଳକୁ ନିଜ ବ୍ୟବସାୟ ଲାଗି ଦ୍ରବ୍ୟ କ୍ରୟ କରିବାକୁ ଯିବା ଲାଗି ଏହି ରାସ୍ତାକୁ ବ୍ୟବହାର କରନ୍ତି । ମାତ୍ର ଏବେ କିଛି ଦିନର ବର୍ଷାରେ ହେକେଟ ରୋଡ଼ ସଂପୂର୍ଣ୍ଣ ଭାବେ କାଦୁଅରେ ଭର୍ତି ହୋଇ ଯାଇଛି । ବାଇକ ତ ଦୂରର କଥା, ପାଦରେ ଚାଲି ମଧ୍ୟ ରାସ୍ତାରେ ଯିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ଛାତ୍ରଛାତ୍ରୀ ମାନେ ମ୍ୟୁନିସପାଲ କଲେଜକୁ ସାଇକେଲରେ ଯିବା ଆସିବା କରିବା ସମୟରେ ସେମାନଙ୍କ ସାଇକେଲ ଚକା ଗାଢାରେ ପଡ଼ିବା କାରଣରୁ ୫ରୁ ଉର୍ଦ୍ଧ ଛାତ୍ର ଆହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷରେ ସଂଧ୍ୟା ଓ ରାତ୍ରୀ ସମୟରେ ହେକେଟ ରୋଡ଼ର କିଛି ସ୍ଥାନରେ ଆଲୋକ ବ୍ୟବସ୍ଥା ରହିଥିବା ବେଳେ, ଅଧିକାଂଶ ଅଂଚଳ ଅନ୍ଧକାରମୟ ହୋଇ ରହୁଛି । ଯାହାକି ନିଶ୍ଚିତ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଏହା ବ୍ୟତିତ ବିଳମ୍ବିତ ରାତ୍ରୀ ଏହି ରୋଡ଼ରେ ପୁଲିସ କର୍ମୀଙ୍କ ନିୟମିତ ରାତ୍ରୀକାଳୀନ ପାଟ୍ରୋଲିଂ ନହେବା କାରଣରୁ ଛିନତାଇ ଘଟଣା ମଧ୍ୟ ବଢିବାରେ ଲାଗିଛି । ହେକେଟ ରୋଡ଼ର ଉଭୟ ପାଶ୍ୱର୍ରେ ଅଳିଆ ତଥା ମଲା ଗୋରୁଗାଈ, କୁକୁରଙ୍କ ପଚାସଢା ଶବ ପଡ଼ି ରହିବା କାରଣରୁ ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତି ମାନେ ବହୁ କଷ୍ଟରେ ରାସ୍ତା ପାର କରୁଛନ୍ତି । ଏଠାରେ ପ୍ରକାଶ ଥାଉକି, ସାରନଗରୀ ବାସିନ୍ଦା ସ୍ପଳ୍ପ ସମୟରେ ହେକେଟ ରୋଡ଼ ଦେଇ ରାଉରକେଲା ସହରକୁ ପ୍ରବେଶ କରିଥାନ୍ତି । ମାତ୍ର ଜାତୀୟ ରାଜପଥ-୧୪୩ ଅତିକ୍ରମ କରି ବାଲୁଘାଟ ଦେଇ ଯାତ୍ରା କଲେ ଦୀର୍ଘ ସମୟ ଓ ଅର୍ଥ ଅପଚୟ ହେବା ସାର ହୋଇଥାଏ । ଏଣୁ ପ୍ରଶାସନ ଏହି ହେକେଟ ରୋଡ଼ର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାରନଗରୀ ବାସିନ୍ଦା ମାନଙ୍କ ମଧ୍ୟରେ ଦାବି ଜୋର ଧରିଛି ।
ହେକେଟ ରୋଡ ଏବେ ‘ହଟହଟା’ରୋଡ !
|
October 10, 2019 |



