ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ

Spread the love

ଯାଜପୁର  :  ଗତକାଲି ଅପରାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) ପ୍ରକ୍ରିୟାର ବର୍ତ୍ତମାନ ସ୍ଥିତି ଏବଂ ପରବର୍ତ୍ତୀ କାର୍ଯ୍ୟସୂଚୀ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି, ନାମ ବାଦ ପଡ଼ିବା, ସଂଶୋଧନ ଆବଶ୍ୟକତା ଓ ଚିହ୍ନଟ ଅସଙ୍ଗତି ସମ୍ପର୍କିତ ଦାବି ଏବଂ ଆପତ୍ତି ଉପରେ ନୋଟିସ ପ୍ରଦାନ ସହ ଶୁଣାଣୀ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା। ଭୋଟର ତାଲିକାରେ ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ନିଷ୍ପତ୍ତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ, ଆସନ୍ତା ସେପ୍ଟେମ୍ୱର ୨୧ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ(EROs), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AEROs), ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ସି ଡି ଓ ଦେବୀପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ,ଅତିରିକ୍ତ ଉପଜିଲ୍ଲାପାଳ, ଅତିରିକ୍ତ ସିଡିଓ,ଡେପୁଟି କଲେକ୍ଟର, ନିର୍ବାଚନ, ଅଶୋକ କୁମାର ଦେହୁରୀ,ବିଭାଗୀୟ ଅଧିକାରୀ ଦେବେନ୍ଦ୍ର ନାଥ କର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment