ସୁନ୍ଦରଗଡ଼ ତା:୧୯/୩/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ସହରର ପରିଚୟ କୁହାଯାଉଥିବା ଐତିହାସିକ ଗାଙ୍ଗପୁର ଷ୍ଟେଟ୍ର ବିରମିତ୍ର ମେମୋରିଆଲ ଗେଟ୍ ଆଜି ସରକାରୀ ଅବହେଳାର ଶିକାର। ଗାଙ୍ଗପୁର ରାଜବଂଶର ଗୌରବମୟ ଇତିହାସ ବହନ କରୁଥିବା ଏହି ପ୍ରବେଶ ପଥ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଏକଦା ଗାଙ୍ଗପୁର ରାଜ୍ୟର ରାଜଧାନୀ ଥିଲା। ରାଜା ସୁନ୍ଦର ସିଂହଦେଓଙ୍କ ପୁତ୍ର ବିରମିତ୍ର ପ୍ରତାପ ଦେଓଙ୍କ ସ୍ମୃତିରେ ଏହି ଭବ୍ୟ ମେମୋରିଆଲ ଗେଟ୍ ନିର୍ମାଣ କରାଯାଇଥିଲା। ଏହି ତୋରଣଟି ସୁନ୍ଦରଗଡ଼ର କଳା, ସ୍ଥାପତ୍ୟ ଏବଂ ରାଜକୀୟ ପରମ୍ପରାର ମୂକସାକ୍ଷୀ ହୋଇ ରହିଆସିଛି। ଦୁର୍ଭାଗ୍ୟର ବିଷୟ, ସମୟର କରାଳ ଚକ୍ରରେ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହ୍ୟ ସ୍ଥଳଟି ଧୀରେ ଧୀରେ ଧ୍ୱଂସ ହେବାକୁ ବସିଲାଣି। ଗେଟ୍ର କାନ୍ଥରୁ ଚୂନପଥର ଛାଡ଼ିବା ସହ ଏହା ଚାରିପାଖରେ ଫାଟ ସୃଷ୍ଟି ହେବା ସହ ଭାଙ୍ଗିବାକୁ ବସିଲାଣି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜିଲ୍ଲା ଖଣିଜ ପାଣ୍ଠି (DMF) କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ମୁଖ୍ୟ ଐତିହ୍ୟକୁ କାହିଁକି ଅଣଦେଖା କରାଯାଉଛି? ସହରର ଗୌରବକୁ ବଞ୍ଚାଇବା ପାଇଁ ତୁରନ୍ତ ଏହାର ମରାମତି ଏବଂ ସୌନ୍ଦର୍ଯ୍ୟକରଣ କରିବାକୁ ଦାବି ଜୋର ଧରିଛି। ବିରମିତ୍ର ଗେଟ୍ ଆମ ସୁନ୍ଦରଗଡ଼ର ପରିଚୟ। ଯଦି ଏହାକୁ ଆଜି ସଂରକ୍ଷିତ କରାନଯାଏ, ତେବେ ଆସନ୍ତା ପିଢ଼ି ଆମ ଇତିହାସ ବିଷୟରେ ଜାଣିପାରିବେ ନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଉ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଏଥିପ୍ରତି କେବେ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।



