ସାମାଜିକ ପରିବର୍ତ୍ତନ ଆନ୍ଦୋଳନକୁ ଗତିଶୀଳ କରିବା ପାଇଁ ବହୁଜନ ବୁଦ୍ଧିଜୀବୀ ସଂଘର ଆହ୍ୱାନ

Spread the love

ଭଦ୍ରକ, ୧୯/୧୧ (ସନ୍ଧାନ ନିଉଜ) : ଭଦ୍ରକ ବହୁଜନ ବୁଦ୍ଧିଜୀବୀ ସଂଗଠନ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ବୁଦ୍ଧିଜୀବୀ ମାନଙ୍କର ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ବିଧାନ କାର୍ଯ୍ୟକାରୀ ହେବାର ୬୯ ବର୍ଷ ପରେ ବି ଦଳିତ ବହୁଜନ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିନାହାନ୍ତି । ଉପସ୍ଥିତ ବୁଦ୍ଧିଜୀବୀମାନେ ଏହାର କାରଣ ଓ ନିରାକରଣ ସମ୍ବନ୍ଧରେ ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ । ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ବୃହତ ସମ୍ବିଧାନ ଗ୍ରନ୍ଥ ସମ୍ବିଧାନ ସଭାରେ ହସ୍ତାନ୍ତର କରିବା ବେଳେ ଏହାର କାର୍ଯ୍ୟକାରିତା ନେଇ ମନରେ ସନ୍ଦେହ ପ୍ରକାଶ କରିଥିଲେ । ସେ କହିଲେ, ‘ମନ୍ଦିର ସଦୃଶ ପବିତ୍ର ସଂସଦ ଭବନରେ ସମ୍ବିଧାନ ମୂର୍ତ୍ତିକୁ ପ୍ରତିଷ୍ଠା କରାଗଲା । ଏହାକୁ ସୁଚାରୂ ରୂପେ କାର୍ଯ୍ୟକାରୀ କରିବା ଦାୟିତ୍ୱ ସାଂସଦମାନଙ୍କର ।’ କିନ୍ତୁ ଆଜି ସାରା ଭାରତ ବର୍ଷରେ ସାମ୍ବିଧାନିକ ବ୍ୟବସା୍ଥରେ ଅବକ୍ଷୟ ଘଟୁଥିବାରୁ ଏହାର ସୁରକ୍ଷା ତଥା ସମ୍ବିଧାନ ସମ୍ମତ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନ ଲୋଡ଼ା । ତେଣୁ ସମସ୍ତ ବୁଦ୍ଧିଜୀବୀମାନେ ଏ ସମ୍ବନ୍ଧରେ ବୃହତ ଜନମତ ସୃଷ୍ଟି କରିବା ପାଇଁ ବହୁଜନ ବୁଦ୍ଧିଜୀବୀ ସଂଗଠନର ଆବାହକ ଅଗଣି ଚରଣ ଯେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମାଜର ନିଷ୍ପେସିତ ଅବହେଳିତ ଲୋକମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଠିକଣା ରାସ୍ତାରେ ନେବା ପାଇଁ ବୁଦ୍ଧିଜୀବୀମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମଧ୍ୟ ଉପସ୍ଥିତ ବକ୍ତାମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ବାବା ସାହେବ ଆମ୍ବେଦକରଙ୍କ କୃତି ଓ କୃତିତ୍ୱ ବହୁଳ ମାତ୍ରାରେ ଉପସ୍ଥାପନ କରାଗଲେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଚାର ପ୍ରସାର ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସଂଗଠନ ତରଫରୁ ମନୋଜ କୁମାର ଯେନା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଅଭିରାମ ମଲ୍ଳିକ ଓ ସମ୍ମାନିତ ବକ୍ତା ଭାବେ ଆର୍. ଶ୍ରୀନିବାସ ରାଓ ଯୋଗ ଦେଇଥିଲେ । ରାଜ୍ୟ ବହୁଜନ ସଂଗଠନର କାର୍ଯ୍ୟକାରିଣୀ ସଭ୍ୟ ବଳରାମ ମଲ୍ଲିକ ଅନ୍ୟତମ ବକ୍ତା ଭାବେ ମଞ୍ଚାସିନ ଥିଲେ । ଉକ୍ତ ସମ୍ମିଳନୀରେ ପ୍ରଫେସର ଅଟଳବିହାରୀ ନାୟକ, ପ୍ରଫେସର କ୍ଷୀରୋଦ ଚନ୍ଦ୍ର ସାମଲ, ଅଧ୍ୟାପକ ନାସିର ବକ୍ସ ବାବା ସାହେବଙ୍କ ରଚିତ ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ଉପରେ ବିଶ୍ଳୋଷଣାତ୍ମକ ବକ୍ତବ୍ୟ ରଖିଥିଲେ । ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଯୋଗ ଦେଇଥିବା ପ୍ରତିନିଧିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଉକ୍ତ ସମ୍ମିଳନୀରେ ବରିଷ୍ଠ ସମାଜସେବୀ ଆମ୍ବେଦକରବାଦୀ କହ୍ନେଇ ଦାସଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ବିଭିନ୍ନ ବ୍ଳକରୁ ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଶେଷରେ ଆଇନଜୀବୀ ଅକ୍ଷୟ କୁମାର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment