ଯାଜପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି।

Spread the love

ଯାଜପୁର, : ୯/୮/୨୬ (ସନ୍ଧାନ ନ୍ୟୁଜ) ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ  ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଓଡ଼ିଶା ଗେଜେଟ୍ ରେ  ପ୍ରକାଶ ପାଇଛି। ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଜିଲ୍ଲା ରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଓ ଅନ୍ତର୍ଭୂକ୍ତିମୂଳକ କରିବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଛି। ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ହୋଇନାହିଁ କିମ୍ବା ଭୋଟର ତାଲିକାରେ ଥିବା ତଥ୍ୟରେ କୌଣସି ତ୍ରୁଟି ରହିଛି, ସେମାନେ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ଅବଧି ମଧ୍ୟରେ ଫର୍ମ-୬ ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ, ଫର୍ମ-୭ ମାଧ୍ୟମରେ ନାମ ବିଲୋପ ପାଇଁ ଆବେଦନ ଏବଂ ଫର୍ମ-୮ ମାଧ୍ୟମରେ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଆବେଦନ କରାଯାଇପାରିବ। ୦୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନୋଟିସ ପ୍ରଦାନ, ଶୁଣାଣି ଓ ଦାବି-ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଡେପୁଟି କଲେକ୍ଟର ନିର୍ବାଚନ  ସୂଚନା ଦେଇଛନ୍ତି।

Related Posts

About The Author

Add Comment