ଭୁବନେଶ୍ୱର: ୭/୮/୨୬ (ସନ୍ଧାନ ନ୍ୟୁଜ) ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଶୁଭାରମ୍ଭ ହୋଇଛି। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ନବସୃଜନ ଓ ସ୍ଥାୟୀ ବିକାଶକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଭୁବନେଶ୍ୱର ଓ ଓଡ଼ିଶାକୁ ପ୍ରାଚୀନ ଶିକ୍ଷା, ସମୃଦ୍ଧ ସଂସ୍କୃତି ଓ ସଭ୍ୟତାର ଅନନ୍ୟ କେନ୍ଦ୍ର ବୋଲି ବର୍ଣ୍ଣନା କରି ସମସ୍ତ ବିଦେଶୀ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ‘ଅତିଥି ଦେବୋ ଭବ’ ଭାରତର ପ୍ରାଚୀନ ପରମ୍ପରାକୁ ଉଲ୍ଲେଖ କରି ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ଭାରତ ସର୍ବଦା ନିଜ ଅତିଥିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ସଂକଳ୍ପକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସମ୍ମିଳନୀରେ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା, ଗବେଷଣା, ଦକ୍ଷତା ବିକାଶ, ଡିଜିଟାଲ ଶିକ୍ଷା ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା ହେଉଛି। ସଦସ୍ୟ ଦେଶମାନେ ପରସ୍ପରର ଅଭିଜ୍ଞତା ଓ ସଫଳ ମଡେଲ୍ ଆଦାନପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ମତ ପ୍ରକାଶ କରିଛନ୍ତି। ଭାରତର ଅଧ୍ୟକ୍ଷତାର ମୂଳ ବିଷୟ ‘ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ସ୍ଥିରତା ଏବଂ ନବସୃଜନର ବିକାଶ’ ଉପରେ ମଧ୍ୟ ସମ୍ମିଳନୀରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ବଦଳୁଥିବା ପ୍ରଯୁକ୍ତି ଭଳି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ଥିର ଓ ନବସୃଜନମୂଳକ କରିବାର ଆବଶ୍ୟକତା ଥିବା ପ୍ରହ୍ଲାଦ ଯୋଶୀ କହିଛନ୍ତି। ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଇରାନ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାର ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି। ବିଶ୍ୱର ୪୦୦ କୋଟିରୁ ଅଧିକ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ବ୍ରିକ୍ସ ମଞ୍ଚ ଶିକ୍ଷା କ୍ଷେତ୍ରରେ ବୈଶ୍ୱିକ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ; ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ
|
August 7, 2026 |



