ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ ଇନ୍ସପେକ୍ଟର, ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ; ଚଢ଼ାଉରେ ୨୪.୯୯ ଲକ୍ଷ ଟଙ୍କା ଜବତ

Spread the love
ସୁନ୍ଦରଗଡ଼  : ୪/୮/୨୬ (ସନ୍ଧାନ ନ୍ୟୁଜ)  ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ କାର୍ଯ୍ୟରତ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ରଙ୍ଗେହାତ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଟ୍ୟାଙ୍କର ପରିବହନ ସମ୍ପର୍କିତ ଅନୁମତି ଦେବା ପାଇଁ ଜଣେ ଟ୍ରକ୍ ମାଲିକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗର ଯାଞ୍ଚ ପରେ ଭିଜିଲାନ୍ସ ପକ୍ଷରୁ ଫାଶ ବିଛାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ କାବୁ କରାଯାଇଥିଲା। ଗିରଫ ପରେ ଭିଜିଲାନ୍ସ ଟିମ୍ ବରଗଡ଼ ରେଳ ଷ୍ଟେସନ ନିକଟସ୍ଥ ତାଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨୪ ଲକ୍ଷ ୯୯ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ସୁନା ଅଳଙ୍କାର, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ସ୍ଥାବର-ଅସ୍ଥାବର ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ବରଗଡ଼ ରେଳ ଷ୍ଟେସନ ନିକଟରେ ଥିବା ତାଙ୍କ ଅନ୍ୟ ଏକ ଘରରେ ମଧ୍ୟ ଭିଜିଲାନ୍ସର ତଲାସି ଜାରି ରହିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related Posts

About The Author

Add Comment