ବ୍ରାହ୍ମଣୀ କୂଳରେ ଅଭାବନୀୟ କାଣ୍ଡ: ମା’ ରାମଚଣ୍ଡୀଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

Spread the love

ଗଁନ୍ଦିଆ, ୨୩/୦୪ (ସନ୍ଧାନ ନ୍ୟୁଜ):ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ପଞ୍ଚାୟତର ପୁରୁଣା ଅମାଙ୍ଗ ଡ଼ୁବୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଅତି ପ୍ରାଚୀନ ମା’ ରାମଚଣ୍ଡୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ପ୍ରତ୍ୟେକ ଦିନ ଭଳି ଗତକାଲି ସନ୍ଧ୍ୟା ଆଳତି ଓ ପହଡ଼ ପରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଥିଲା। ମାତ୍ର ଆଜି ଭୋର ସମୟରେ ମନ୍ଦିର ପୂଜକ ପୂଜା କରିବା ପାଇଁ ଦ୍ୱାର ଖୋଲିବାକୁ ଆସିଥିବା ବେଳେ ଦେଖିଲେ ଯେ ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଛି। ମନ୍ଦିର ଭିତରକୁ ଯାଇ ଦେଖିଲା ବେଳକୁ ମା’ଙ୍କ ଶରୀରରେ ଥିବା ସୁନା ହାର, ମୁକୁଟ ଓ ରୁପା ଅଳଙ୍କାର ସବୁ ଗାୟବ ହୋଇଯାଇଥିଲା। ଦୁର୍ବୃତ୍ତମାନେ ଅତି ଚତୁରତାର ସହ ଗର୍ଭଗୃହରେ ପଶି ସମସ୍ତ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି।

ମା’ ରାମଚଣ୍ଡୀଙ୍କ ପୀଠ ଏହି ଅଞ୍ଚଳର ଏକ ପ୍ରାଚୀନ ତଥା ପ୍ରତ୍ୟକ୍ଷ ଦେବୀ ପୀଠ ଭାବେ ବେଶ ଜଣାଶୁଣା। ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ରହିଛି। ଏଭଳି ଏକ ପବିତ୍ର ସ୍ଥଳରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ମନ୍ଦିର ନିକଟରେ ଶତାଧିକ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ରୁଣ୍ଡ ହୋଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ନିହଲପ୍ରସାଦ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଚୋରି ହୋଇଥିବା ସାମଗ୍ରୀର ଆକଳନ କରାଯାଉଛି। ଅଞ୍ଚଳରେ ବାରମ୍ବାର ଏପରି ଚୋରି ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ, ପୋଲିସ ଖୁବ୍ ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛି।

Related Posts

About The Author

Add Comment