ପଦ୍ମପୁର ୧୬ /୭/୨୬ (ସନ୍ଧାନ ନ୍ୟୁଜ) : ପାଇକମାଲ–ଝାରବନ୍ଧ ମୁଖ୍ୟ ସଡ଼କରେ ଥିବା ଅମଠି ବ୍ରିଜ୍ର ନବନିର୍ମାଣ କାର୍ଯ୍ୟ ସମ୍ପ୍ରତି ଶେଷ ହୋଇଛି। ଏହି ସଡ଼କ ଦେଇ ପ୍ରତିଦିନ ଶହ ଶହ ଯାନବାହନ ଚଳାଚଳ କରୁଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ଓ ଅନ୍ୟାନ୍ୟ ପଥଚାରୀମାନେ ମଧ୍ୟ ଯାତାୟାତ କରିଥାନ୍ତି। ପାଇକମାଲ ଓ ଝାରବନ୍ଧ ବ୍ଲକ୍କୁ ସଂଯୋଗ କରୁଥିବା ଏହି ସଡ଼କକୁ ଉଭୟ ଅଞ୍ଚଳର ଜୀବନରେଖା ବୋଲି ମଧ୍ୟ କୁହାଯାଏ। ତେବେ ନୂତନ ବ୍ରିଜ୍ର ଉଭୟ ପାର୍ଶ୍ୱରେ ପ୍ରାୟ ୧୦ରୁ ୧୫ ଫୁଟ ଗଭୀର ଢାଳ ରହିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଲୁହା ବ୍ୟାରିକେଡ୍ ସ୍ଥାପନ କରାଯାଇନାହିଁ। ସଡ଼କ ସୁରକ୍ଷା ନିୟମ ଅନୁଯାୟୀ ବ୍ରିଜ୍ର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବ୍ୟାରିକେଡ୍ର ଅଭାବ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବାରୁ ପଥଚାରୀ ଓ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ବ୍ରିଜ୍ର ଉଭୟ ପାର୍ଶ୍ୱରେ ସୁରକ୍ଷା ବ୍ୟାରିକେଡ୍ ସ୍ଥାପନ କରିବାକୁ ଦାବି କରିଛନ୍ତି।
ଅମଠି ବ୍ରିଜ୍ର ଦୁଇ ପାର୍ଶ୍ୱରେ ବ୍ୟାରିକେଡ୍ ନଥିବାରୁ ବଢ଼ୁଛି ଅସନ୍ତୋଷ
|
July 16, 2026 |



