ନୂଆଦିଲ୍ଲୀ,୩/୧ (ସନ୍ଧାନ ନିୟୁଜ) : ବ୍ୟାଙ୍କ ଅଫ୍ ବରୋଦା (ବିଓବି), ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶ୍ରଣକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। ଏହି ମିଶ୍ରଣ ଆସନ୍ତା ଏପ୍ରିଲ୍ ୧ରୁ କାର୍ଯ୍ୟକାରୀ ହେବ। ଏହି ତିନି ବ୍ୟାଙ୍କର ମିଶ୍ରଣରେ ଦେଶର ତୃତୀୟ ବଡ଼ ବ୍ୟାଙ୍କ ସୃଷ୍ଟି ହେବ। ୨୦୧୮ ସେପ୍ଟେମ୍ବରରେ ଏହି ତିନି ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ନେତୃତ୍ବାଧୀନ କମିଟି ମଞ୍ଜୁରି ପ୍ରଦାନ କରିଥିଲା। ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଏଚ୍ଡିଏଫ୍ସି ରହିଛି। କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସ୍ପଷ୍ଟ କରିଦେଇଛନ୍ତି ଯେ, ମିଶ୍ରଣର କୌଣସି ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିବ ନାହିଁ। ବିଜୟା ଓ ଦେନା ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ବ୍ୟାଙ୍କ ଅଫ୍ ବରୋଦାକୁ ଟ୍ରାନ୍ସଫର (ବଦଳି) କରାଯିବ। ଦେନା ବ୍ୟାଙ୍କ ନିଜର ପ୍ରତି ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ୍ ବରୋଦାର ୧୧୦ଟି ସେୟାର ପାଇବ। ସେହିପରି ନିଜର ପ୍ରତି ୧୦୦୦ ସେୟାର ବଦଳରେ ବିଜୟା ବ୍ୟାଙ୍କ ୪୦୨ଟି ବ୍ୟାଙ୍କ ଅଫ୍ ବରୋଦା ସେୟାର ହାସଲ କରିବ। ତିନି ବ୍ୟାଙ୍କ ମିଶିଯିବା ପରେ ଯେଉଁ ବ୍ୟାଙ୍କ ଗଠନ ହେବ ତାହାର ମୋଟ କାରବାର ପରିମାଣ ୧୪.୮୨ ଲକ୍ଷ କୋଟି ଟଙ୍କା ରହିବ।
ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ଅଫ୍ ବରୋଦା, ଦେନା ଓ ବିଜୟା ବ୍ୟାଙ୍କ ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ବିରୋଧ କରୁଛନ୍ତି। ଏହାକୁ ନେଇ ଗତ ଡିସେମ୍ବର ୨୬ରେ ବ୍ୟାଙ୍କ ସଂଘଗୁଡ଼ିକ ସବର୍ଭାରତୀୟ ଧର୍ମଘଟ କରିଥିଲେ। ସେହିପରି ଏହାର କିଛି ଦିନ ପୂର୍ବରୁ ଡିସେମ୍ବର ୨୧ରେ ସେମାନେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିବା ସହ ଧର୍ମଘଟ କରିଥିଲେ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ କୁହାଯାଇଛି ଯେ, ମିଶ୍ରଣ ହେଲେ କୌଣସି ବ୍ୟାଙ୍କର ଲାଭ ହେବନି, ବରଂ କ୍ଷତି ହେବ।