ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭ରାଜ୍ୟସ୍ତରକୁ ମନୋନୀତ ହେଲେ ଯାଜପୁର ଜିଲ୍ଲାର ୬ ଯୁବ ପ୍ରତିଭା

Spread the love

ଯାଜପୁର:  ୨୧/୧୧/୨୬ (ସନ୍ଧାନ ନ୍ୟୁଜ) ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat) ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାର ୬ ଜଣ ଯୁବ ପ୍ରତିଭା ରାଜ୍ୟସ୍ତରୀୟ ପର୍ଯ୍ୟାୟ ପାଇଁ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳ ଚିନ୍ତାଧାରା, ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଯୋଗଦାନକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଜିଲ୍ଲାସ୍ତରୀୟ PPT (PowerPoint Presentation) ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାରୁ ୩୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ନିଜର ସୃଜନଶୀଳ ଚିନ୍ତାଧାରା, ଉପସ୍ଥାପନା ଶୈଳୀ ଓ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଯୁବ ପ୍ରତିଭା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନୋନୀତ ଯୁବ ପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ଏହି ସଫଳତା ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିବା ସହ ବିକଶିତ ଭାରତ ଗଠନରେ ଯୁବସମାଜର ସକ୍ରିୟ ଭାଗୀଦାରିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

Related Posts

About The Author

Add Comment