କଳିଙ୍ଗନଗର ଅଞ୍ଚଳରେ ‘କୋଟପା’ (COTPA) ଆଇନ କଡ଼ାକଡ଼ି: ୨୨ ଜଣ ଅମାନିଆଙ୍କ ଠାରୁ ୨,୮୦୦ ଟଙ୍କା ଜରିମାନା ଆଦାୟ

Spread the love

ସ୍କୁଲ ଓ କଲେଜର ୧୦୦ ଗଜ ପରିଧି ମଧ୍ୟରେ ତମାଖୁ ବିକ୍ରି ଓ ସର୍ବସାଧାରଣରେ ଧୂମପାନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଧାରା ୪, ୬(କ) ଓ ୬(ଖ) ଅନୁଯାୟୀ ୨୨ଟି ଚାଲାଣ କଟାଯାଇ ୨,୮୦୦ ଟଙ୍କା ଆଦାୟ।
ତମାଖୁର ଭୟାବହତା ସମ୍ପର୍କରେ ପ୍ରାୟ ୭୦ରୁ ୮୦ ଜଣ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନତା ପତ୍ରିକା ବଣ୍ଟନ କରାଗଲା।
ଯାଜପୁର,  :୧୯/୧୧/୨୬ (ସନ୍ଧାନ ନ୍ୟୁଜ)  ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଅର୍ଥାତ୍ ବୁଧବାର ଦିନ ପୂର୍ବାହ୍ନ ୧୧ଟା ସମୟରେ କଳିଙ୍ଗନଗର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ତମାଖୁ ନିୟନ୍ତ୍ରଣ ଆଇନ (COTPA-୨୦୦୩)କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ବିଶେଷ କରି କଳିଙ୍ଗନଗର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳ ସମେତ ସ୍ଥାନୀୟ ବଜାରରେ ଥିବା ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଏହି ମିଳିତ ଏନଫୋର୍ସମେଣ୍ଟ ଟିମରେ ଖାଦ୍ୟ ସୁରକ୍ଷା ଅଧିକାରୀ (FSO) ଡା. ଜ୍ୟୋତି ପ୍ରକାଶ ସୋରେନ, ଅଣ-ସଂକ୍ରାମକ ରୋଗ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର (AM NCD) ସସ୍ମିତା ରାଉତ ଏବଂ କଳିଙ୍ଗନଗର ଥାନାର ସବ୍-ଇନ୍ସପେକ୍ଟର (SI) ଓ ତାଙ୍କ ପୋଲିସ ଟିମ୍ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ସର୍ବସାଧାରଣ ସ୍ଥାନରେ ଧୂମପାନ (ଧାରା-୪), ନାବାଳକମାନଙ୍କୁ ତମାଖୁ ସାମଗ୍ରୀ ବିକ୍ରି (ଧାରା-୬କ) ଏବଂ ଶିକ୍ଷାନୁଷ୍ଠାନର ୧୦୦ ଗଜ ପରିଧି ମଧ୍ୟରେ ତମାଖୁ ବିକ୍ରି (ଧାରା-୬ଖ) ଅଭିଯୋଗରେ ମୋଟ ୨୨ ଜଣ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇ ୨,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଟିମ୍ ପକ୍ଷରୁ ଉପସ୍ଥିତ ପ୍ରାୟ ୭୦ରୁ ୮୦ ଜଣ ଛାତ୍ରଛାତ୍ରୀ, ଦୋକାନୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ତମାଖୁ ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସମ୍ପର୍କିତ ସଚେତନତା ପତ୍ରିକା (ଲିଫଲେଟ୍) ବଣ୍ଟନ କରାଯିବା ସହ ସଚେତନ କରାଯାଇଥିଲା। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ଏବଂ ଶିକ୍ଷାନୁଷ୍ଠାନ ପରିସରକୁ ତମାଖୁ ମୁକ୍ତ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Posts

About The Author

Add Comment