ସୁକିନ୍ଦା/୨୮/୪ (ସନ୍ଧାନ ନ୍ୟୁଜ):ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜଣେ ଯୁବ, ପ୍ରତିଭାବାନ ତଥା ଜନପ୍ରିୟ ଜନପ୍ରତିନିଧିଙ୍କୁ ହରାଇଛି ସମଗ୍ର ଅଞ୍ଚଳ। ପଙ୍କପାଳ ପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ ତଥା ସୁକିନ୍ଦା ବିଜେପିର ଦକ୍ଷ ସଂଗଠକ ସ୍ମୃତି ରଞ୍ଜନ ଜେନା (ମିଟିକା)ଙ୍କର ମାତ୍ର ୩୯ ବର୍ଷ ବୟସରେ ଅକାଳ ପ୍ରୟାଣ ଘଟିଛି। ଜଣେ ସରଳ, ପରୋପକାରୀ ଏବଂ ମିଷ୍ଟଭାଷୀ ମଣିଷ ଭାବେ ସମଗ୍ର ଜିଲ୍ଲାରେ ସେ ବେଶ୍ ପରିଚିତ ଥିଲେ।
ସୂଚନା ମୁତାବକ, ଗତ ୨୨ ତାରିଖରେ ସ୍ମୃତି ରଞ୍ଜନ କୌଣସି ଜରୁରୀ କାର୍ଯ୍ୟରେ ଯାଜପୁର ରୋଡ଼ ଅଞ୍ଚଳକୁ ଯାଇଥିବା ବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଉଦ୍ବେଗଜନକ ହେ
ବାରୁ ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ ଏବଂ ପରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଦୀର୍ଘ କେଇଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଆଜି ମଧ୍ୟାହ୍ନ ପ୍ରାୟ ୧୨:୨୦ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରୀ ସୂଚନା ଅନୁଯାୟୀ, ବ୍ରେନ ଷ୍ଟୋକ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।
ସ୍ମୃତି ରଞ୍ଜନଙ୍କ ବିୟୋଗରେ ଗଭୀର ମର୍ମାହତ ହୋଇ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, “ସ୍ମୃତି ରଞ୍ଜନ ଜଣେ ସାଂଗଠନିକ ଯୋଦ୍ଧା ଥିଲେ। ତାଙ୍କର ମୃତ୍ୟୁରେ ସୁକିନ୍ଦା ବିଜେପି ପରିବାର ଏକ ବଡ଼ ସ୍ତମ୍ଭକୁ ହରାଇଲା। ଏହି କ୍ଷତି ଅପୂରଣୀୟ।”
ଜଣେ ସରପଞ୍ଚ ଭାବେ ପଞ୍ଚାୟତର ବିକାଶ ଏବଂ ଜନସାଧାରଣଙ୍କ ସେବାରେ ସେ ସର୍ବଦା ନିଜକୁ ନିୟୋଜିତ ରଖୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଙ୍କପାଳ ସମେତ ସମଗ୍ର ସୁକିନ୍ଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଛି।



