ଗଣତନ୍ତ୍ର କେବଳ ମତଦାନର ଏକ ବ୍ୟବସ୍ଥା ନୁହେଁ; ଏହା ନାଗରିକଙ୍କ ଦୈନନ୍ଦିନ ଜୀବନରେ ନ୍ୟାୟ, ସମାନତା ଓ ସମ୍ମାନର ଅନୁଭୂତି। ଭାରତ ପରି ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶରେ ଗଣତନ୍ତ୍ରର ସଫଳତା ପ୍ରଶାସନର କ୍ଷମତା, ସମନ୍ୱୟ, ସ୍ୱଚ୍ଛତା ଓ ନୈତିକତା ଉପରେ ନିର୍ଭର କରେ। “ସର୍ବେ ଭବନ୍ତୁ ସୁଖିନଃ” – ଏହି ଆଧ୍ୟାତ୍ମିକ ଚିନ୍ତାଧାରା ଯଦି ପ୍ରଶାସନର ମୂଳ ମନ୍ତ୍ର ହୁଏ, ତେବେ ଗଣତନ୍ତ୍ର ମାନବମୁଖୀ ହୁଏ। ନୀତି ଓ ଜନଜୀବନର ସେତୁ ଗଣତନ୍ତ୍ରୀୟ ପ୍ରଶାସନରେ ଜିଲ୍ଲା ସ୍ତର ହେଉଛି ରାଜ୍ୟ ଓ କ୍ଷେତ୍ରସ୍ତର ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେତୁ। ଜିଲ୍ଲାପାଳ ଓ ଜିଲ୍ଲା ସ୍ତରର ଅଧିକାରୀମାନେ ବିଭିନ୍ନ ଲାଇନ୍ ବିଭାଗ, ବ୍ଲକ, ଗ୍ରାମ ପଞ୍ଚାୟତ ଓ ସମୁଦାୟ ସଂଗଠନମାନଙ୍କୁ ଏକ ସାଧାରଣ ଲକ୍ଷ୍ୟରେ ଏକତ୍ର କରନ୍ତି। ଯୋଜନାର ଯଥାର୍ଥ ରୂପାୟଣ, ସମ୍ପଦର ସମନ୍ତର ବଣ୍ଟନ ଓ ସେବାର ଗୁଣମାନ ଜିଲ୍ଲା ପ୍ରଶାସନର ଦୃଢ଼ ନେତୃତ୍ୱ ଉପରେ ନିର୍ଭର କରେ।ଜିଲ୍ଲା ସ୍ତରରେ ଯଦି ନିରୀକ୍ଷଣ, ମୂଲ୍ୟାଙ୍କନ ଓ ସମୟୋପଯୋଗୀ ସଂଶୋଧନ ହୁଏ, ତେବେ ଗଣତନ୍ତ୍ର କାଗଜରୁ ବାହାରି ମାଟିକୁ ଛୁଏ।ବ୍ଲକ ସ୍ତରରେ ବିଭାଗୀୟ ସମନ୍ୱୟ ହେଉଛି ପ୍ରଶାସନର କାର୍ଯ୍ୟକ୍ଷେତ୍ର କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସମବାୟ ଓ ମହିଳା–ଶିଶୁ ବିକାଶ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ନଥିଲେ ଉନ୍ନୟନ ଖଣ୍ଡିତ ହୁଏ। ଜିଲ୍ଲା ନେତୃତ୍ୱ ତଳେ ବ୍ଲକ ସ୍ତରର ସମନ୍ୱିତ ପ୍ରଶାସନ ହେଉଛି ଗଣତନ୍ତ୍ରର ଚାଳକଶକ୍ତି। ଗାଁ ସ୍ତରରେ ଜୀବିକା ସୁରକ୍ଷା ଓ ସ୍ୱାବଳମ୍ବନ ଗଣତନ୍ତ୍ରର ଆତ୍ମା ଗାଁରେ ବସେ। ଜୀବିକା ସୁରକ୍ଷା ନଥିଲେ ନାଗରିକ ଅଧିକାର ଅସାର ହୁଏ। କୃଷି, ପଶୁପାଳନ, ମାଛଚାଷ, ସ୍ୱୟଂସହାୟକ ଗୋଷ୍ଠୀ, ସମବାୟ ଓ ଗ୍ରାମୀଣ ଉଦ୍ୟମ ମାଧ୍ୟମରେ ସମ୍ମାନଜନକ ରୋଜଗାର ସୃଷ୍ଟି ହେଲେ ଗଣତନ୍ତ୍ର ଭିତ୍ତିଶୀଳ ହୁଏ/ ମାନବ ପୁଞ୍ଜିର ଆଧାରଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଗଣତନ୍ତ୍ରର ଦୁଇଟି ମୌଳିକ ଆଧାରସ୍ତମ୍ଭ। ଗୁଣାତ୍ମକ ଶିକ୍ଷା ସଚେତନ ନାଗରିକ ସୃଷ୍ଟି କରେ ଓ ସ୍ୱାସ୍ଥ୍ୟ ସେବା ତାଙ୍କୁ ସଶକ୍ତ କରେ। ଜିଲ୍ଲା ଓ ବ୍ଲକ ସ୍ତରରେ ବିଦ୍ୟାଳୟ, ଆଙ୍ଗନୱାଡ଼ି, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଦି ସୁଦୃଢ଼ ହୁଏ, ତେବେ ଗଣତନ୍ତ୍ର ଦୀର୍ଘକାଳୀନ ହୁଏ।ଗ୍ରାମ ପଞ୍ଚାୟତ, ସମୁଦାୟ ଓ ଲୋକସହଭାଗୀତା ଗ୍ରାମ ପଞ୍ଚାୟତ ହେଉଛି ଗଣତନ୍ତ୍ରର ପ୍ରଥମ ସିଢ଼ି। ସକ୍ରିୟ ଗ୍ରାମ ସଭା, ସମୁଦାୟ ଆଧାରିତ ସଂଗଠନ ଓ ସାଧାରଣ ନାଗରିକଙ୍କ ସହଭାଗୀତା ଯଦି ଦୃଢ଼ ହୁଏ, ତେବେ ପ୍ରଶାସନ ଲୋକମୁଖୀ ହୁଏ। ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେଉଛି – ଲୋକେ ନିଜ ଉନ୍ନତିର ଭାଗୀଦାର।ରାଜନୈତିକ ନେତୃତ୍ୱ ଓ ନୋକରଶାହୀ ରାଜନୈତିକ ନେତା ଦୃଷ୍ଟିକୋଣ ଦିଅନ୍ତି, ନୋକରଶାହୀ ସେହି ଦୃଷ୍ଟିକୋଣକୁ କାର୍ଯ୍ୟରୂପ ଦିଏ। ଉଭୟଙ୍କ ମଧ୍ୟରେ ସମନ୍ୱୟ, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ଥିଲେ ଗଣତନ୍ତ୍ର ସୁସ୍ଥ ରହେ। ସେବାଭାବ ଯଦି ଶାସନର କେନ୍ଦ୍ରବିନ୍ଦୁ ହୁଏ, ତେବେ ଶକ୍ତି ସେବାରେ ପରିଣତ ହୁଏ।ପ୍ରଯୁକ୍ତି, ସୁଶାସନ ଓ ସେବା ପ୍ରଦାନ ପ୍ରଯୁକ୍ତି ଆଜି ଗଣତନ୍ତ୍ରର ଏକ ଶକ୍ତିଶାଳୀ ଉପକରଣ। ଇ-ଗଭର୍ନାନ୍ସ, ଡିବିଟି, ଅନଲାଇନ୍ ସେବା, ଜିଲ୍ଲା ଡ୍ୟାସବୋର୍ଡ ଓ ଅଭିଯୋଗ ନିରାକରଣ ପ୍ରଣାଳୀ ଦ୍ୱାରା ପାରଦର୍ଶିତା ବଢ଼ିଛି ଓ ଲୋକଙ୍କ ଭରସା ଗଢ଼ିଉଠିଛି। ଶାସନ ଏକ ସାଧନା ଭାରତୀୟ ଦର୍ଶନରେ ଶାସନ ଏକ ଧର୍ମ। “ସେବା ପରମୋ ଧର୍ମଃ” ଯଦି ପ୍ରଶାସନର ଆତ୍ମା ହୁଏ, ତେବେ ଗଣତନ୍ତ୍ର କେବଳ ବ୍ୟବସ୍ଥା ନୁହେଁ, ଏକ ମାନବୀୟ ଆନ୍ଦୋଳନ ହୁଏ। ଗଣତନ୍ତ୍ରର ସଫଳତା ନୀତି ଘୋଷଣାରେ ନୁହେଁ, ଜିଲ୍ଲାରୁ ଗାଁ ପର୍ଯ୍ୟନ୍ତ ସେବା ପ୍ରଦାନରେ ପ୍ରତିଫଳିତ ହୁଏ। ସମନ୍ୱିତ ପ୍ରଶାସନ, ସଚେତନ ସମୁଦାୟ, ଦାୟିତ୍ୱଶୀଳ ନେତୃତ୍ୱ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ — ଏହି ଚାରିଟି ଉପରେ ଗଢ଼ା ଗଣତନ୍ତ୍ର ହିଁ ସ୍ଥାୟୀ ଓ ସମାବେଶୀ।ଗଣତନ୍ତ୍ର ଏକ ଯଜ୍ଞ – ଯେଉଁଠାରେ ପ୍ରଶାସନ ପୂଜାରୀ, ନାଗରିକ ଯଜମାନ ଓ ସେବା ହିଁ ସର୍ବୋଚ୍ଚ ଆହୁତି।
Dr. Puskar Jena
Mancheswar, Bhubaneswar


