ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌; ପ୍ରଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ନାତି

Spread the love

ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସ୍ୱତନ୍ତ୍ର ଅଦାଲତ ଏପରି ରାୟ ଦେଇଛନ୍ତି। ଆଜୀବନ ଜେଲଦଣ୍ଡ ସହ ତାଙ୍କ ଉପରେ ୧୧ ଲକ୍ଷ ଟଙ୍କାର ଜୋରିମାନା ଲଗା ଯାଇଛି। ଏହି ଜୋରିମାନା ଅର୍ଥ ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ଦିଆଯିବ। 

ପ୍ରଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ନାତି। ଏବେ ସେ ୪୮ ବର୍ଷୀୟ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦଣ୍ଡ ପାଇଛନ୍ତି। ୪୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ଭିଡିଓକୁ ମଧ୍ୟ ଭାଇରାଲ କରିବା ମାମଲାରେ ପ୍ରଜ୍ୱଳ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ହାସନ ଜିଲ୍ଲାର ହୋଲେନାରାସିପୁର ସ୍ଥିତ ରେଭାନ୍ନାଙ୍କ ପରିବାର ମାଲିକାନାରେ ଥିବା ଫାର୍ମ ହାଉସରେ ଘରୋଇ ସହାୟିକା ଭାବେ ମହିଳା ଜଣଙ୍କ କାମ କରୁଥିଲେ। କିନ୍ତୁ ୨୦୨୧ ପରଠାରୁ ପ୍ରଜ୍ୱଳ ରେଭାନ୍ନା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏପରି କି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିଥିଲେ। ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ମହିଳାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ। ଏଥିସହ ନିଜ ଇଚ୍ଛା ଅନୁସାରେ ତାଙ୍କୁ ଉପଭୋଗ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। 

ଦୁଷ୍କର୍ମ ମାମଲା ରୁଜୁ ହେବାର ମାତ୍ର ୧୪ ମାସ ମଧ୍ୟରେ କୋର୍ଟ ଏହାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। ଆଜୀବନ ଜେଲଦଣ୍ଡ ସହ କୋର୍ଟ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ବେଳେ ଜେଡିଏସ ଓ ବିଜେପି ମେଣ୍ଟ କରିଥିଲେ। ଜେଡିଏସ ମଧ୍ୟ ପ୍ରଜ୍ୱଳ ରେଭାନ୍ନାଙ୍କୁ ଟିକେଟ ଦେଇଥିଲା। ସେ ନିଜର ପ୍ରଚାର ମଧ୍ୟ କରିଥିଲେ। ଏତିକି ବେଳେ ତାଙ୍କୁ ବିରୋଧରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ଏପରି ତାଙ୍କୁ ଗିରଫ ହେବାକୁ ମଧ୍ୟ ପଡ଼ିଥିଲା। ତଥାପି ସେ ହାସନ ଜିଲ୍ଲାରୁ ମେଣ୍ଟ ପ୍ରାର୍ଥୀ ଭାବେ ଲଢ଼ିଥିଲେ। କିନ୍ତୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଥିଲା।

ରେଭାନ୍ନାଙ୍କ ବିରୋଧରେ ମାମଲା କର୍ଣ୍ଣାଟକା ସିଆଇଡିର ସାଇବର କ୍ରାଇମ ଷ୍ଟେସନରେ ରୁଜୁ ହୋଇଥିଲା। ଅଭିଯୋଗକାରୀ ମହିଳାଙ୍କୁ ରେଭାନ୍ନା ଦୁଇ ଥର ଦୁଷ୍କର୍ମ କରିଥିଲେ ଓ ଏହି ଜଘନ୍ୟକାଣ୍ଡର ଭିଡିଓ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲ କରୁଥିଲେ। ତଦନ୍ତ ଓ ଶୁଣାଣି ବେଳେ ପୀଡ଼ିତା ଜଣଙ୍କ ଗୋଟିଏ ଶାଢ଼ୀକୁ ଫିଜିକାଲ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ। ଏହାକୁ ଦୁଷ୍କର୍ମ ବେଳ ଠାରୁ ସେ ସାଇତି ରଖିଥିଲେ। ଫରେନ୍ସିକ ଟେଷ୍ଟରୁ ଉକ୍ତ ଶାଢ଼ୀରୁ ସ୍ପର୍ମ ମିଳିଥିଲା। ଏହାକୁ କୋର୍ଟରେ ବଳିଷ୍ଠ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା।

ଆଇପିସି ଓ ଆଇଟି ଆକ୍ଟ ୨୦୦୮ ଅନୁସାରେ ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ମାମଲା ହୋଇଥିଲା। ସିଆଇଡିର ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସ୍‌ଆଇଟି ତଦନ୍ତ ବେଳେ ୧୨୩ଟି ପ୍ରମାଣ ସଂଗ୍ରହ କରିଥିଲା। ଏହାପରେ ଇନସପେକ୍ଟର ଶୋଭାଙ୍କ ନେତୃତ୍ୱାଧୀନ ଏସଆଇଟି ୨ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା। ୨୦୨୪ ଡିସେମ୍ବର ୩୧ରୁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ହୋଇଥିଲା। ୭ ମାସ ମଧ୍ୟରେ କୋର୍ଟ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିଥିଲେ। ଏହାପରେ ଫରେନ୍ସିକ ଲ୍ୟାବ ରିପୋର୍ଟ ଓ ଭିଡିଓ କ୍ଲିପଗୁଡ଼ିକର ତର୍ଜମା କରିଥିଲେ। ଏହାପରେ ଶୁକ୍ରବାରା ପ୍ରଜ୍ୱଳ ରେଭାନ୍ନାଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଜି ତାଙ୍କର ଦଣ୍ଡ ବିଧାନ ହୋଇଛି।

Related Posts

About The Author

Add Comment